ନୂଆଦିଲ୍ଲୀ,୨୭/୦୭: ରେୟାର୍ ଆର୍ଥ ଖଣିଜ ପଦାର୍ଥ ଯୋଗାଣକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ଚୀନ୍ର ରପ୍ତାନି କଟକଣା ଭାରତୀୟ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାତାଙ୍କୁ ବାଧିଲାଣି । ଅଧିକାଂଶ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣରେ ରେୟାର୍ ଆର୍ଥ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଏଭଳି ସ୍ଥିତିରେ ଇଲେକ୍ଟ୍ରୋନିକ୍ସ ଉପକରଣ ବିନିର୍ମାଣ ସ୍କିମ୍(ଇସିଏମ୍)ର କେତେକ ଆବେଦକ ସରକାରଙ୍କୁ ସତର୍କ କରିଛନ୍ତି ଯେ, ସେମାନେ ହୁଏତ ପ୍ରଥମ ବର୍ଷ ପାଇଁ ଇନ୍ସେଣ୍ଟିଭ୍-ଲିଙ୍କ୍ଡ ବା ସବ୍ସିଡିସଂଯୁକ୍ତ ଟାର୍ଗେଟ ପୂରଣ କରିପାରିବେ ନାହିଁ । ଏହି ରେୟାର୍ ଆର୍ଥ ଅଭାବ ସ୍ଥିତି ଆଉ ୬ ମାସ ରହିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି ।
ଏ ସ୍କିମ୍ ଅଧୀନରେ ଆବେଦନ ସଂଖ୍ୟା ୧୧୦ ପାର୍ କରିଥିବାବେଳେ ଅନ୍ୟୁନ ୧୦ଟି କମ୍ପାନି ରେୟାର୍ ଆର୍ଥ ସଂକଟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଶିଳ୍ପ ଉତ୍ପାଦନ ସମ୍ପ୍ରସାରଣ କରିବା ସହ ରପ୍ତାନି ପଦଚିହ୍ନ ବଢ଼ାଉଥିବା ସ୍ଥିତିରେ ଏ ସମସ୍ୟା କମ୍ପାନିଗୁଡ଼ିକ ପାଇଁ ଆହ୍ନାନ ଆଣିଥିବା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ଅଧିକାରୀ ଏବଂ ଶିଳ୍ପ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି ।
ରେୟାର୍ ଆର୍ଥ ସଂକଟ ଯୋଗୁ କେତେକ ଉପକରଣକୁ କମ୍ପାନିଗୁଡ଼ିକ ଘରୋଇ ସ୍ତରରେ ପ୍ରସ୍ତୁତ କରିବା ବଦଳରେ ଆମଦାନି କରିବାକୁ ଚାହୁଁଛନ୍ତି । ଯଦି ଏକ ଉପକରଣ ରେୟାର୍ ଆର୍ଥ ବ୍ୟବହାର କରିଥାଏ ତେବେ ରେୟାର୍ ଆର୍ଥକୁ ଆମଦାନି କରି ଉକ୍ତ ଉପକରଣକୁ ଭାରତରେ ପ୍ରସ୍ତୁତ କରିବା ବଦଳରେ ଏହାକୁ ସିଧାସଳଖ ଆମଦାନି କରିବା ଉପରେ କମ୍ପାନିଗୁଡ଼ିକ ଏବେ ଗୁରୁତ୍ୱ ଦେଉଛନ୍ତି ।
ଅଧିକାରୀମାନଙ୍କ କହିବାନୁସାରେ, ଅନ୍ୟାନ୍ୟ ବିକଳ୍ପ ରହିଛି, ଯେପରି ଯୋଗାଣର ବିକଳ୍ପ ଉତ୍ସ କିମ୍ବା ରେୟାର୍ ଆର୍ଥ ବ୍ୟବହାର କରୁ ନ ଥିବା ବିକଳ୍ପ ପ୍ରଯୁକ୍ତି । ଚୀନ୍ ଦ୍ୱାରା ଲଗାଯାଇଥିବା କଟକଣାରୁ ସୃଷ୍ଟି ହୋଇଥିବା ଅଭାବ ସ୍ଥିତି ବର୍ତ୍ତମାନ ଏକ ବଡ଼ ଆହ୍ୱାନ ଭାବେ ଛିଡ଼ାହୋଇଛି ।
ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ସେମିକଣ୍ଡକ୍ଟର ଆସୋସିଏସନ୍ (ଆଇଇଏସ୍ଏ)ର ଅଧ୍ୟକ୍ଷ ଅଶୋକ ଚଣ୍ଡକ କହିଛନ୍ତି ଯେ, ଇଲେକ୍ଟ୍ରୋନିକ୍ସ ଉପକରଣ ବିନିର୍ମାଣ ସ୍କିମ୍କୁ ଏଭଳି ସମୟରେ ଅଣାଯାଇଛି, ଯେତେବେଳେ ଅଧିକାଂଶ କମ୍ପାନି ରପ୍ତାନି ବଢ଼ାଇବାକୁ ଚାହୁଁଛନ୍ତି । ପାରମ୍ପରିକ ଶିଳ୍ପ ବାଦ ଅଧିକାଂଶ ଭାରତୀୟ କମ୍ପାନି ଉପକରଣ ବିନିର୍ମାଣ ଆଡ଼କୁ ବଢୁଛନ୍ତି । କିନ୍ତୁ ବର୍ତ୍ତମାନ ରେୟାର୍ ଆର୍ଥ ମ୍ୟାଗ୍ନେଟ୍ର ଯୋଗାଣ ସମସ୍ୟା ଯୋଗୁ ଶିଳ୍ପ ପ୍ରଭାବିତ ହୋଇଛି ।
ପ୍ରାୟ ସମସ୍ତ ଆଧୁନିକ ଇଲେକ୍ଟ୍ରୋନିକ୍ ଡିଭାଇସ୍ରେ ବ୍ୟବହାର ହେଉଥିବା ଉପକରଣଗୁଡ଼ିକ ପାଇଁ ଏକ ଦୃଢ଼ ଘରୋଇ ବିନିର୍ମାଣ ଇକୋସିଷ୍ଟମ୍ ତିଆରି କରିବାରେ ୨୨,୯୧୯ କୋଟି ଟଙ୍କାର ଏହି ଇଲେକ୍ଟ୍ରୋନିକ୍ସ ଉପକରଣ ବିନିର୍ମାଣ ସ୍କିମ୍(ଇସିଏମ୍) ସହାୟକ ହେଉଛି । ଏହି ଉପକରଣଗୁଡ଼ିକ ମଧ୍ୟରେ ରହିଛି ବହୁ-ସ୍ତରୀୟ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ(ପିସିବି) ଏବଂ ଡିଜିଟାଲ ଆପ୍ଲିକେଶନଗୁଡ଼ିକ ପାଇଁ ଲାୟନ୍ ସେଲ୍, ରେସିଷ୍ଟର୍ସ, କାପାସିଟର ଏବଂ ଇଣ୍ଡକ୍ଟର୍ସ ଭଳି ପାସିଭ୍ ଉପକରଣ । ଡିସ୍ପ୍ଲେ ଏବଂ କ୍ୟାମେରା ମଡ୍ୟୁଲ୍ ମଧ୍ୟ ଏହା ମଧ୍ୟରେ ରହିଛି । ରେୟାର୍ ଆର୍ଥ ଉପକରଣ ଉପରେ ଚୀନ୍ ରପ୍ତାନି କଟକଣା ଲଗାଇବାର ମାସେ ପରେ ଇସିଏମ୍ ପାଇଁ ମେ’ ମାସରେ ଆବେଦନ ଖୋଲିଥିଲା ।
ପ୍ରକାଶଯୋଗ୍ୟ, ବିଶ୍ୱ ରେୟାର୍ ଆର୍ଥ ପ୍ରୋସେସିଂ କ୍ଷମତାର ୯୦%ରୁ ଊଦ୍ଧ୍ୱର୍କୁ ନିୟନ୍ତ୍ରଣ କରିଥାଏ ଚୀନ୍ ଏବଂ ଏଠାରେ ରେୟାର୍ ଆର୍ଥର ବିଶାଳ ଭଣ୍ଡାର ରହିଛି ।