ନୂଆଦିଲ୍ଲୀ: ମସ୍କୋ ସହିତ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ରୁଷ ସହ ଆମେରିକା ପରମାଣୁ ଯୁଦ୍ଧ ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଟ୍ରମ୍ପ । ପରେ ନିଜ ମନ୍ତବ୍ୟରେ ସାମାନ୍ୟ ପରିବର୍ତ୍ତନ କରି ଟ୍ରମ୍ପ କହିଛନ୍ତି, ‘ମୁଁ ଭାବୁନାହିଁ ଯେ, ଏହି ଯୁଦ୍ଧରେ କେହି ଜିତିପାରିବ ।’ ରୁଷ ନିକଟରେ ଆମେରିକୀୟ ପରମାଣୁ ବୁଡ଼ାଜାହାଜ ମୁତୟନ କରିବାର କିଛି ସମୟ ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ, ରୁଷ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପୂର୍ବରୁ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ ଯେ,ଦିମିତ୍ରୀ ମେଦଭେଦେବଙ୍କ 'ଅତ୍ୟନ୍ତ ଉତ୍ତେଜକ ବିବୃତ୍ତି' ଆଧାରରେ, ସେ ଉପଯୁକ୍ତ କ୍ଷେତ୍ରରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, ‘ବିବୃତ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ କେତେକ ସମୟରେ ଏହା ଅନାବଶ୍ୟକ ପ୍ରତିକୂଳ ପରିଣାମ ଆଣିଥାଏ । ମୁଁ ଆଶା କରୁଛି ଯେ, ମେଦଭେଦେବଙ୍କ ମନ୍ତବ୍ୟ ପରେ ଏଭଳି କିଛି ଅସୁବିଧା ନହେଉ ।’ ଦିମିତ୍ରୀ ମେଦଭେଦେବ ରୁଷ ସୁରକ୍ଷା ପରିଷଦର ଉପସଭାପତି ।
ସୂଚନାଯୋଗ୍ୟ ଯେ, ଟ୍ରମ୍ପ ଗୁରୁବାର ତାଙ୍କ ଏକ ପୋଷ୍ଟରେ ମେଦଭେଦେବଙ୍କୁ ‘ରୁଷର ବିଫଳ ପୂର୍ବତନ ରାଷ୍ଟ୍ରପତି’ ବୋଲି କହିଥିଲେ । କିଛି ଘଣ୍ଟା ପରେ, ମେଦଭେଦେବ ଟ୍ରମ୍ପଙ୍କୁ ଜବାବ ଦେଇଥିଲେ । ସେ କହିଥିଲେ, ରୁଷ ପ୍ରତ୍ୟେକ ପ୍ରସଙ୍ଗରେ ଠିକ୍ ଏବଂ ସେହି ରାସ୍ତାରେ ଯିବ । ଟ୍ରମ୍ପ ଏବଂ ମେଦଭେଦେବଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚଳିତ ସପ୍ତାହରେ ଜୋରଦାର ଜାରି ରହିଛି । ମେଦଭେଦେବ ପ୍ରଥମେ ଲେଖିଥିଲେ, ‘ଟ୍ରମ୍ପ ରୁଷ ସହିତ ଅଲ୍ଟିମେଟମ୍ ଖେଳ ଖେଳୁଛନ୍ତି । ତାଙ୍କୁ ଦୁଇଟି କଥା ମନେ ରଖିବା ଉଚିତ । ପ୍ରଥମତଃ, ରୁଷ ଇସ୍ରାଏଲ କିମ୍ବା ଇରାନ ନୁହେଁ । ଦ୍ୱିତୀୟରେ, ପ୍ରତ୍ୟେକ ନୂତନ ଅଲ୍ଟିମେଟମ୍ ଏକ ଧମକ ଏବଂ ଯୁଦ୍ଧ ଆଡ଼କୁ ଏକ ପଦକ୍ଷେପ । ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ନୁହେଁ, ବରଂ ତାଙ୍କ ନିଜ ଦେଶ (ଆମେରିକା) ସହିତ।’
ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ୍ ରୁଷ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ନେଇ ମନ୍ତବ୍ୟ ଦେଇଥିଲେ । ସେ ହ୍ୱାଇଟ୍ ହାଉସରୁ ବାହାରିବା ସମୟରେ ତାଙ୍କୁ ପଚରାଯାଇଥିଲା ଯେ, ବୁଡ଼ାଜାହାଜର ସ୍ଥାନ କେଉଁଠାରେ ପରିବର୍ତ୍ତନ କରାଯାଇଛି, କିନ୍ତୁ ସେ କୌଣସି ସୂଚନା ଦେଇ ନଥିଲେ । ଟ୍ରମ୍ପ୍ କହିଥିଲେ, ‘ଆମକୁ ଏହା କରିବାକୁ ପଡିଲା। ଆମକୁ କେବଳ ସତର୍କ ରହିବାକୁ ପଡିବ। ଏକ ବିପଦ ଥିଲା। ଆମେ ଅନୁଭବ କଲୁ ଯେ, ଏହା ଉପଯୁକ୍ତ ନୁହେଁ, ତେଣୁ ମୋତେ ବହୁତ ସତର୍କ ରହିବାକୁ ପଡିବ।’ ଟ୍ରମ୍ପ୍ ଏହା ମଧ୍ୟ କହିଥିଲେ, ‘ମୁଁ ମୋ ଲୋକଙ୍କ ସୁରକ୍ଷା ପାଇଁ ଏହା କରୁଛି । ଯେତେବେଳେ ଆପଣ ପରମାଣୁ ଶକ୍ତି ବିଷୟରେ କଥା ହୁଅନ୍ତି, ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।’
ସପଟେ ଦିମିତ୍ରୀ ମେଦଭେଦେବ ହେଉଛନ୍ତି ରୁଷିଆର ପୂର୍ବତନ ରାଷ୍ଟ୍ରପତି । ୨୦୦୮ ମସିହାରେ ଯେତେବେଳେ ଭ୍ଲାଦିମିର ପୁଟିନଙ୍କୁ ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିବନ୍ଧକ ଲଗାଯାଇଥିଲା, ସେତେବେଳେ ସେ ରୁଷିଆର ରାଷ୍ଟ୍ରପତି ହୋଇଥିଲେ । ଏହା ପରେ, ମେଦଭେଦେବ ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ରୁଷିଆର ରାଷ୍ଟ୍ରପତି ଥିଲେ। ପୁଟିନଙ୍କୁ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିବା ପରେ ମେଦଭେଦେବ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ପୁଟିନ ୨୦୧୨ ରୁ ଲଗାତାର ରୁଷିଆର ରାଷ୍ଟ୍ରପତି ଅଛନ୍ତି। ଆଉ ରୁଷର ସୁରକ୍ଷା ପରିଷଦ ଉପସଭାପତି ଦାୟିତ୍ବରେ ଅଛନ୍ତି ମେଦଭେଦେବ । ଏବେ ଟ୍ରମ୍ପ ଏବଂ ମେଦଭେଦେବଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜୋରଦାର ଚାଲିଛି।