ବରଗଡ଼/ବୁର୍ଲା,୨୧/୦୧:ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣାର ସପ୍ତାହେ ପରେ ପୁଲିସ୍ ସୋମବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜେପୁର ବ୍ଲକ ପୁଟୁକାର ସର୍ଜନ ଡନସେନା (୩୬), ପ୍ରହଲ୍ଲାଦ ଦାଶ (୩୩) ଏବଂ ଜଗଦଲପୁର ଥାନା ଅନ୍ତର୍ଗତ ଧୂମାଭଟାର ଜୟକୃଷ୍ଣ ଡନସେନା (୪୦) । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ଯୁବତୀ ନିଖୋଜ ଘଟଣାର ୯ଦିନ ପରେ ବି ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ ମଙ୍ଗଳବାର ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବିଜେଡି, ବ୍ୟବସାୟୀ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ ସମେତ ୩୦ ରାଜନୈତିକ ଓ ଅଣରାଜନୈତିକ ସଙ୍ଗଠନ ଏହାକୁ ସମର୍ଥନ ଜଣାଇଛନ୍ତି । ସକାଳୁ ସହର ବିଭିନ୍ନ ଛକରେ ବନ୍ଦ ପାଳନ ହେଉଥିବାର ଦେଖିବାକୁ ମିଳିଛି। ବିଭିିନ୍ନ ସଂଗଠନ ପକ୍ଷରୁ ପିକେଟିଂ ସହ ରାସ୍ତାରୋକ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଓ ଜରୁରୀ କାଳୀନ ସେବାକୁ ବାଦ ଦେଇ ବିଭିନ୍ନ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ କାର୍ଯ୍ୟାଳୟ ସକାଳ ୬ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।
ଅପରପକ୍ଷେ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଆସିଛି । ତାଙ୍କ ଗୁପ୍ତାଙ୍ଗରେ କୌଣସି କ୍ଷତ ନାହିଁ । ଏଥିରୁ ଦୁଷ୍କର୍ମ ହୋଇ ନ ଥିବା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଭିମ୍ସାର୍ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ଲାଲମୋହନ ନାୟକ । ଏ ସମ୍ପର୍କିତ ରିପୋର୍ଟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ବରଗଡ଼ ପୁଲିସ୍କୁ ପ୍ରଦାନ କରାଯାଇଛି । ଯୁବତୀଙ୍କ ଚିକିତ୍ସା ବୁର୍ଲା ଭିମ୍ସାରର ମହିଳା ସର୍ଜରୀ ବିଭାଗରେ ଚାଲିଛି । ତାଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରୁ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଳକ୍ଷିତ ହେଉଛି । ସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରାଯିବ ବୋଲି ଡା. ନାୟକ ସୂଚନା ଦେଇଛନ୍ତି ।
ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିବା ବେଳେ ଗତ ୧୨ ତାରିଖରେ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ । ନିଖୋଜର ୩୬ ଘଣ୍ଟା ପରେ ୧୪ ତାରିଖରେ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ନିଖୋଜ ଦିନ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଯୁବତୀ ଉଦ୍ଧାର ପରେ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବରଡ଼ୋଳ ଛକରେ ଗ୍ରାମବାସୀଙ୍କ ରାସ୍ତାରୋକ କରିଥିଲା । ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ଗିରଫ ହେବେ ବୋଲି ପୁଲିସ୍ ପ୍ରତିଶ୍ରୁତି ଦେଇଥିଲା । ଏଥିରେ ବିଫଳ ହେବା ପରେ ଶନିବାର ସର୍ବଦଳୀୟ ବୈଠକରେ ବରଗଡ଼ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।