ପୁରୀ, ୪।୬ : ତିନିରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇ ତିନିରଥ ଅଖ ଉପରକୁ ଦଣ୍ଡା ଫ୍ରେମ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଛି। ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ସହଯୋଗୀ ମହାରଣା ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନଙ୍କ ସହଯୋଗରେ ଏହା ଶେଷ ହୋଇଛି।
ରଥ ଯାତ୍ରା ପୂର୍ବ ଦିନ ତିନି ରଥ ଗୁଡ଼ିକ ବିନା ବାଧାରେ ଯେପରି ନିଜ ନିଜ ସ୍ଥାନରେ ସିଂହଦ୍ଵାର ଠାରେ ପହଞ୍ଚି ପାରିବ ସେ ଦୃଷ୍ଟିରୁ ଦିଗ ନିର୍ଣ୍ଣୟ କରାଯାଇ ଚକ.ଅଖ ଗୁଡ଼ିକୁ ସେଟିଂ କରାଯାଇଛି। ଏଥିସହ ରଥ ନିର୍ମାଣ ସମୟରେ ଚକ ଗୁଡ଼ିକ ନିଜ ସ୍ଥାନରୁ ନଗଡିବା ପାଇଁ ପ୍ରତ୍ୟେକ ଚକର ଉଭୟ ପାର୍ଶ୍ଵରେ ଆମ୍ବ ଗଡ ବାନ୍ଧ ଦିଆଯିବା ସହ ରଥ ଉପର ନିର୍ମାଣ କାର୍ଯ୍ୟ ଗଢି ଉଠିଲେ ଅଖ ଉପରେ ଅଧିକ ଚାପ ପଡିବା ପାଇଁ ଅଖ ତଳେ ଆମ୍ବ ଗଡ ବା ମେଣ୍ଢି ଖମ୍ବ ଲଗାଯାଇଛି।
ଗୁରୁବାର ତିନିରଥ ଦଣ୍ଡା ଗୋଳେଇ କାର୍ଯ୍ୟ (ଦଣ୍ଡା ଗୁଡ଼ିକରେ ଅର୍ଦ୍ଧ ଚନ୍ଦ୍ରାକାର ଖୋଦେଇ ବା କାପ କାର୍ଯ୍ୟ) ହେବ। ତିନିରଥ ଦଂଡାକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା ଆଗ,ପଛ ରେ ମୁହାଁଟ ସଂଯୋଗ ହେବ। ଆଗ ମୁହାଁଟ ରେ ସାଲ ଗୁଜ ଏବଂ ପଛ ମୁହାଁଟରେ ଜଳଯନ୍ତ୍ର ଲଗାଯିବ। ଦୁଇଟି ସାଲ ଗୁଜ ଉଠି ଗୁଜ ଉପରେ ନିରାଡି ପଡ଼ି କୁଡୁକା ସଂଯୋଗ ହୋଇ କଣ୍ଟା ବାଡିଆ କାର୍ଯ୍ୟ ପାଇଁ କତା ଦଉଡିରେ ଟାଣ ଦେଇ ବାନ୍ଧେଣି ପକାଯିବ।
ଏଥିସହ ବୁଧବାର ତିନି ରଥର ପୋଲ ଗୟଳ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥ ର ୧୨ ଗୋଟି ଲେଖାଏଁ ଗୟଳ ରୁ ୭ ଗୋଟି ଲେଖାଏଁ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର ମୋଟ ୮ଗୋଟି ଗୟଳରୁ ୫ ଗୋଟି ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି।
ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟରେ ଚିତ୍ର ଖୋଦେଇର ପଲିସ କାର୍ଯ୍ୟ ସହ ତିନିରଥ ନାଟ ଗୋଡ଼ରେ ରାହୁ ରୂପ ବା ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଦଣ୍ଡା କଣ୍ଟା ଶେଷ କରି ନଦା କଣ୍ଟା ନିର୍ମାଣ କରୁଛନ୍ତି। ଦୋଳବେଦୀ ଠାରେ ପାହି ମହାରଣାମାନେ ଅଣସର ଏବଂ ରଥ ଯାତ୍ରା ରେ ସେବାପୂଜା କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।