ଭୁବନେଶ୍ବର, ୨୨/୧୧ : ପୂର୍ବତନ ଡିଜି ପୋଲିସ ଅମିୟ ଭୂଷଣ ତ୍ରିପାଠୀଙ୍କ ଲିଖିତ ପୁସ୍ତକ ‘ଜଣେ ଐତିହ୍ୟ କର୍ମୀର କଥା ଓ ବ୍ୟଥା’ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । ପୂର୍ବତନ ପ୍ରଶାସକ ସଞ୍ଜିବ ଚନ୍ଦ୍ର ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପୁସ୍ତକର ସମୀକ୍ଷା କରିଥିଲେ ଐତିହାସିକ ନିହାର ରଞ୍ଜନ ପଟ୍ଟନାୟକ । ପୁସ୍ତକର ବିଷୟ ବସ୍ତୁ ଉପରେ ଆଲୋଚନା କରି ଓଡ଼ିଶାର ତିନୋଟି ପ୍ରମୁଖ ଐତିହ୍ୟ କୋଣାର୍କ, ଶିଶୁପାଳ ଗଡ଼ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ସଙ୍ଗେ ଶ୍ରୀ ତ୍ରିପାଠୀ ଘନିଷ୍ଠ ଭାବେ ଜଡ଼ିତ ଓ ତାଙ୍କ ଅନୁଭୂତିର ଉପାଦେୟତା କେବଳ ପାଠକ ମହଲରେ ଆଦୃତ ହେବ ନାହିଁ । ସରକାରୀ ସ୍ତରରେ ମଧ୍ୟ ପ୍ରାସଙ୍ଗିକ ହେବ । ସମ୍ମାନୀତ ଅତିଥି ସୌମ୍ୟରଞ୍ଜନ ପଟ୍ଟନାୟକ ଓଡ଼ିଶାରେ ଐତିହ୍ୟ ସୁରକ୍ଷା ଦିଗରେ ବ୍ୟକ୍ତିଗତ ଓ ଜାତୀୟ ସାଂସ୍କୃତିକ ନିଧି ମାଧ୍ୟମରେ ଶ୍ରୀ ତ୍ରୀପାଠୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ।
ମୁଖ୍ୟ ଅତିଥି ମାନ୍ୟବର ବିଚାରପତି ଦୀପକ ମିଶ୍ର ଦିଂବଗତ ଉଷାରାଣୀ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପୁସ୍ତକରେ ବର୍ଣ୍ଣିତ ଲେଖକଙ୍କ ଅନୁଭୂତିମାନ ଐତିହ୍ୟ ସୁରକ୍ଷା ଦିଗରେ ତାଙ୍କ ଉତ୍ସର୍ଗୀକୃତ ଆଭିମୁଖ୍ୟ ଓ ଏହା ପାଠକମାନଙ୍କୁ ପ୍ରେରଣା ଦେବ ବୋଲି ଆଶାବ୍ୟକ୍ତ କରିଥିଲେ । କଳିଙ୍ଗ ହେରିଟେଜ୍ ସଂସ୍ଥାର ସଭାପତି ଅନିଲ ଦେ ଓ ରାଜ୍ୟ ଇନଟାକର ନିର୍ଦେଶିକା ମଲ୍ଲିକା ମିତ୍ର ଐତିହ୍ୟ ସୁରକ୍ଷା ଦିଗରେ ଲେଖକଙ୍କ ସଙ୍ଗେ କାମ କରିବା ଅନୁଭୂତି ଉପରେ ରେଖାପାତ କରିଥିଲେ ।
ସଭାପତି ଶ୍ରୀ ହୋତା ୧୯୯୪ମସିହାଠାରୁ ରେଭେନ୍ସା ମହାବିଦ୍ୟାଳୟର ବିକାଶ ପାଇଁ ଗଠିତ ହୋଇଥିବା ଟ୍ରଷ୍ଟରେ ତାଙ୍କର ଓ ଲେଖକଙ୍କ ଭୂମିକା ଓ ପରବର୍ତ୍ତୀ କାଳରେ ରାଜ୍ୟରେ ଐତିହ୍ୟ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲାଚନା କରିଥିଲେ । ସଭା ପରିଚାଳନା କରିଥିଲେ ଲେଖକଙ୍କ କନିଷ୍ଠ ଜାମାତା ପିଏମଓର ଅତିରିକ୍ତ ସଚିବ ଶୁଭାଶିଷପଣ୍ଡା ଓ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ୟେଷ୍ଠ ଜାମାତା, ଜାତୀୟ ପୋଷ୍ଟାଲ ବୋର୍ଡ଼ର ଅବସର ପ୍ରାପ୍ତ ସଦସ୍ୟ ବିଶ୍ବପାବନ ପତି ।