ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ପହଲଗାମରେ ରକ୍ତର ହୋଲି ଖେଳିଥିବା ଆତଙ୍କବାଦୀଙ୍କ ଠିକଣା ଜଣାପଡ଼ିଛି । କେବଳ ୫୪ଟି ରାସ୍ତା ଉପରେ ସେନା ଓ ପୋଲିସର ତଦନ୍ତ ନିର୍ଭର କରୁଛି । ବୈସରନ ଘାଟିକୁ ୫୪ଟି ରାସ୍ତା ସଂଯୋଗ କରୁଥିବା ବେଳେ ଏହା ହିଁ ସେନାକୁ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଇବ । କେତେକ ରାସ୍ତା ଘନ ଜଙ୍ଗଲ ଏବଂ ପର୍ବତ ଆଡ଼କୁ ଥିବା ବେଳେ ଆଉ କେତେକ ଘାଟିରୁ ସମତଳ ଆଡ଼କୁ ଲମ୍ବିଛି । ଏହି ରାସ୍ତାଗୁଡ଼ିକ କାଶ୍ମୀରର ବିଭିନ୍ନ ଅଞ୍ଚଳ ସହିତ ସଂଯୁକ୍ତ । ଏହି ଜଙ୍ଗଲ ରାସ୍ତାରେ ସେନା, ସିଆରପିଏଫ ଏବଂ ଜମ୍ମୁକାଶ୍ମୀର ପୋଲିସର ଏକ ବଡ଼ ଅପରେସନ୍ ଚାଲିଛି । ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ପଚରା ଉଚରା କରାଯାଉଛି । ସେମାନଙ୍କୁ ଜଙ୍ଗଲକୁ ନେଇ ବିଭିନ୍ନ ରାସ୍ତା ସଂପର୍କରେ ତଥ୍ୟ ଯୋଗଡ଼ କରୁଛନ୍ତି ସେନା ଓ ପୋଲିସ ।
ସେନାର ନଜର ଆଢ଼ୁଆଳରେ ଥିବା ଅନେକ ସ୍ଥାନ ଏବେ ସାମ୍ନାକୁ ଆସୁଛି । ସୂତ୍ର ଅନୁସାରେ, ଆତଙ୍କବାଦୀମାନେ ବର୍ତ୍ତମାନ ଘନ ଜଙ୍ଗଲରେ ଲୁଚି ରହିଛନ୍ତି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ, ଗୁଳିକାଣ୍ଡରେ କେବଳ ତିନି ଜଣ ଆତଙ୍କବାଦୀ ସାମିଲ ଥିଲେ । ଅନ୍ୟମାନେ ସେମାନଙ୍କ ପଛରେ କାର୍ଯ୍ୟ କରୁଥିଲେ । ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ପର୍ଯ୍ୟଟନ ସ୍ଥଳଗୁଡ଼ିକର ସଠିକ୍ ଯାଞ୍ଚ କରାଯାଇଥିଲା। ପହଲଗାମରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଅଛି । ୨୨ ଏପ୍ରିଲରେ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ନିରସ୍ତ୍ର ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଅସ୍ତ୍ରଶସ୍ତ୍ର ଧରି ଆତଙ୍କବାଦୀମାନେ ଲୋକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିବା ପରେ ହତ୍ୟା କରିଥିଲେ। ଏହି ଆକ୍ରମଣରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ହତ୍ୟା କରିଥିଲେ, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।
ଏହି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ସହିତ, ଆତଙ୍କବାଦକୁ ଦୂର କରିବା ପାଇଁ ଅଭିଯାନକୁ ତୀବ୍ର କରାଯାଇଛି। ଜାତୀୟ ତଦନ୍ତ ଏଜେନ୍ସି (NIA) ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି। ପୂର୍ବରୁ ଗିରଫ ହୋଇଥିବା ଓଭରଗ୍ରାଉଣ୍ଡ କର୍ମୀମାନଙ୍କୁ NIA ପଚରାଉଚରା କରୁଛି ଏବଂ ପ୍ରମାଣ ସଂଗ୍ରହ କରୁଛି। ଆକ୍ରମଣ ପାଇଁ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଥିଲା । TRF ହେଉଛି ଲସ୍କର-ଏ-ତୈବାର ଏକ ସହଯୋଗୀ ସଂଗଠନ। ଏନଆଇଏ ୨୭ ଏପ୍ରିଲରୁ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।