ନୂଆଦିଲ୍ଲୀ: ଅଜରବାଇଜାନ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଥିବା ଜଣେ ଯାତ୍ରୀ ଦେଲେ ଚାଞ୍ଚଲ୍ୟକର ବୟାନ। କହିଲେ ଦୁର୍ଘଟଣା ହେବା ପୂର୍ବରୁ ହୋଇଥିଲା ଦୁଇଟି ବିସ୍ପୋରଣ। ବିସ୍ପୋରଣ ଘଟିବା ପରେ ବିମାନ ନିଜ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସୂଚନା ଅନୁଯାୟୀ, ଗତ ବୁଧବାର ଅଜରବାଇଜାନ ଏୟାରଲାଇନର ଏକ ବିମାନ ଅକତାଉ ବିମାନ ବନ୍ଦରରେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା। ଏହି ବିମାନଟି ଯେଉଁ ରୁଟରେ ଯାଉଥିଲା ସେହି ରୁଟରେ ଋଷିଆ ଯୁକ୍ରେନ ନିମନ୍ତେ ଆଣ୍ଟି ଡ୍ରୋନ ଏୟାର ଡିଫେନ୍ସ ସିଷ୍ଟମ ଲଗାଇଥିଲା। ତେବେ ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଯାତ୍ରୀ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ।
ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଶୁଭୋନକୁଲ ରକହିମୋଭ ନାମକ ଜଣେ ଯାତ୍ରୀ ଗଣମାଧ୍ୟମ ଏଜେନ୍ସି ରୟଟର୍ସକୁ ଶନିବାର ସାକ୍ଷାତକାର ଦେଇଥିଲେ। ପ୍ରଥମ ବିସ୍ଫୋରଣର ଶବ୍ଦ ହୋଇଥିଲା, ଆଉ ତା’ ପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ସ୍ପଷ୍ଟ ଯେ ବିମାନର କିଛି କ୍ଷତି ହୋଇଥିଲା ବୋଲି ସେ କହିଛନ୍ତି।
ଏହି ଦୁର୍ଘଟଣାରେ ବଞ୍ଚିଯାଇଥିବା ଅନ୍ୟଜଣେ ଯାତ୍ରୀ ଭାଫା ସବନୋଭା ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ପ୍ରଥମେ ଦୁଇଟି ବିସ୍ଫୋରଣର ଶବ୍ଦ ଶୁଭିଥିଲା। ଆଉ ଏହାପରେ ବିମାନର ଆଟେଣ୍ଡାଣ୍ଟ ସମସ୍ତଙ୍କୁ ବିମାନର ପଛ ପାଖକୁ ଯିବାପାଇଁ ଅନୁରୋଧ କରିଥିଲେ। ବିସ୍ଫୋରଣ ଶୁଭିବା ପରେ କ୍ୟାବିନର ଅକ୍ସିଜେନ ଲେବଲ ହଠାତ୍ କମିଯାଇଥିଲା ବୋଲି ଉଭୟ ଯାତ୍ରୀ ଦାବି କରିଛନ୍ତି।
ପୂର୍ବରୁ ଅନେକ ରିପୋର୍ଟରେ ଏହି ବିମାନ ଦୁର୍ଘଟଣା ପଛରେ ଋଷିଆର ଏୟାର ଡିଫେନ୍ସ ସିଷ୍ଟମର ହାତ ରହିଥିବା ନେଇ ଖବର ପ୍ରକାଶ ପାଇଥିଲା। ତେବେ ଋଷିଆର ସରକାର ଏହି ଘଟଣାକୁ ନେଇ ଆଧିକାରିକ ସ୍ତରରେ ତଦନ୍ତ କରାଯାଉଥିବା କଥା ଘୋଷଣା କରିଛନ୍ତି। ତେଣୁ ତଦନ୍ତ ରିପୋର୍ଟ ନଆସିବା ଯାଏ ଏପରି କିଛି ହୋଇଛି ବୋଲି କହିବା ଠିକ ହେବ ନାହିଁ ବୋଲି ଋଷିଆ କହିଛି। ଅନ୍ୟପଟେ ଏହି ଦୁର୍ଘଟଣା ଘଟିବା ପରେ ଅଜରବାଇଜାନ ଏୟାରଲାଇନ ଋଷିଆ ଦେଇ ଯାଉଥିବା ଏହାର ଅନେକ ବିମାନର ଉଡାଣକୁ ବାତିଲ କରିଦେଇଛି।
ଜେ୨-୮୨୪୩ ନାମକ ଏହି ବିମାନଟି ବୁଧବାର ଦିନ ଗ୍ରୋଜନିର ଅକତାଉ ବିମାନ ବନ୍ଦରରେ ଅବତରଣ କରିବାରେ ଅସଫଳ ହୋଇଥିଲା। ପାଇଲଟ ଏହି ବିମାନଟିକୁ ଦୁଇଥର ଅବତରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ବିମାନଟି ଆକାଶରେ ଅନେକଥର ଚକ୍କର କାଟିବା ପରେ ଶେଷରେ କ୍ରାସ ଲ୍ୟାଣ୍ଡିଂ କରିଥିଲା। ଅତ୍ୟଧିକ କୁହୁଡି ଓ ୟୁକ୍ରେନ ଡ୍ରୋନ ଉଡାଣ ଯୋଗୁଁ ଏହି ଯାତ୍ରୀବାହି ବିମାନଟି ନିଜ ଗତିପତ ଭୁଲି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଶୁକ୍ରବାର ଋଷିଆ ଘୋଷଣା କରିଥିଲା।