ବୀରମହାରାଜପୁର, ୧୪/୦୯ : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ହତ୍ୟା। ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ସୁବଳୟା ପୁଲିସ ୩ ଜଣକୁ ଅଟକ ରଖିଛି।
ସୂଚନା ଅନୁସାରେ, ଗୁରୁବାର ସକାଳେ ଆମ୍ବସରଭଟା ଗାଁର ବଙ୍କା ସାହୁ ଓ ଚକା ସାହୁଙ୍କ ପରିବାର ଭିତରେ ଜମିବାଡି ବିବାଦ ଏବଂ ଜମି ପାଣି ମଡାଇବା ଘଟଣାକୁ ନେଇ ଜମି ନିକଟରେ ପ୍ରଥମେ କଥା କଟାକଟି ହୋଇଥିଲା । ପରେ ଘରକୁ ଆସି ପୁଣି ଗଣ୍ଡଗୋଳ ଉଗ୍ର ରୁପ ନେଇଥିଲା । ଚକା ସାହୁ ଏବଂ ତାଙ୍କ ଦୁଇ ପୁଅ ମିଶି ବଙ୍କାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ବଙ୍କା (୬୦ ବର୍ଷ)ଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ସୁରେନ୍ଦ୍ର ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ଚୋଟ ଲାଗିଥିବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ସୁବଲୟା ପରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।
ସୂଚନା ପାଇ ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ହତ୍ୟା ଅଭିଯୁକ୍ତ ଚକା ଏବଂ ତାଙ୍କ ଦୁଇ ପୁଅ ରଞ୍ଜିତ ଓ ରଞ୍ଜନକୁ ଅଟକ ରଖି ତଦନ୍ତ ଚଳାଇଛି।