ଚନ୍ଦନେଶ୍ଵର,୦୮/୦୬: ଶ୍ୱଶୁର ଉପରେ ରାଗ ଶୁଝାଇଲା ଜ୍ୱାଇଁ । ରାଗ ଗର ଗର ହୋଇ ୯ ଲକ୍ଷ ଟଙ୍କର ମାଛଧରା ଜାଲକୁ ଜ୍ୱାଇଁ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ଲିଖିତ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି । ପରିବାରର ସୁରକ୍ଷା ଓ ଜ୍ୱାଇଁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ୱଶୁର ଦାବି କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ,ଭୋଗରାଇ ନରାୟଣ ମହାରି ପଢିଆ ପଞ୍ଚାୟତ ଅଧୀନ କୀର୍ତନିଆ କାଳପାଳି ଗାଁର ଅରବିନ୍ଦ ବେହେରା ତାଙ୍କ ଜ୍ୱାଇଁଙ୍କ ନାମରେ ଜାଲ ପୋଡ଼ି ଦେଇଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ଦ୍ୱିତୀୟ କନ୍ୟା ଲିଳା ୬ବର୍ଷ ପୂର୍ବେ କମର୍ଘ୍ୟ ଥାନ୍ୟ ଅଧୀନ କଣ୍ଟାବାଣୀ ଗାଁର ମୂରଲୀ ଭୂୟାଁଙ୍କ ପୁଅ ଗୋବିନ୍ଦଙ୍କୁ ବିବାହ କରିଥିଲେ । ମାତ୍ର ୪ମାସ ତଳେ ଶାଶୂଘର ଲୋକ ଲିଳାଙ୍କୁ ମାରପିଟ କରିବା ସହ ମରଣାନ୍ତକ ଆକ୍ରମଣ କରଥିଲେ । ତେଣୁ ୩ବର୍ଷର ଝିଅକୁ ଧରି ବାପାଘରେ ରହୁଥିଲେ ଲିଲା । କିଛି ଦିନ ପରେ ଶାଶୁ ଓ ଜ୍ୱାଇଁ ଆସି ଆଉ ନିର୍ଯାତନା ଦେବେ ନାହଁ ବୋଲି କହି ଲିଲାଙ୍କୁ ଘରକୁ ନେଇ ଥିଲେ । ମାତ୍ର ୧୦ଦିନ ପରେ ଲିଳା ଶାଶୁ ଘରୁ ନିଖୋଜ ଅଛନ୍ତି ।
ଜ୍ୱାଇଁ ଓ ତାଙ୍କର ୩/୪ଜଣ ସାଙ୍ଗ କୀର୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ ବୁଲାବୁଲି କରୁଥିବାର ଶ୍ଵଶୁର ଦେଖିଥିଲେ । ରାତି ପ୍ରାୟ ୧୨ଟା ବେଳେ ସେମାନେ ମାରଣାସ୍ତ୍ର ଧରି ଘରର ଗ୍ରିଲ ଖୋଲିବାକୁ କହିବା ସହିତ ଜୀବନରୁ ମାରି ଦେବାର ଧମକ ଦେଇଥିଲେ । ମାତ୍ର ପରିବାର ଲୋକ କେହି ନ ବାହାରିବାରୁ ଘର ଆଗରେ ଥିବା ଏକ ଗଛ ମୂଳେ ୮ କ୍ୟୁଣ୍ଟାଲ ମାଛଧରା ଜାଲକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ୯ଲକ୍ଷ ଟଙ୍କାର ଜାଲ ଆଖି ଆଗରେ ପୋଢି ଯାଇଥିଲେ ମଧ୍ୟ ଜୀବନ ଭୟରେ କେହି ବାହାରକୁ ବାହାରି ନଥିଲେ । ପଡୋଶୀ ଘରୁ ବାହାରି ଆସିବାରୁ ସେମାନେ ଖସି ପଳାଇ ଥିଲେ । ଏନେଇ ଶ୍ଵଶୁର ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।