ମାଦ୍ରିଦ,୦୧/୦୭: ୟୁରୋପରେ ସାଙ୍ଘାତିକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସ୍ପେନ୍ର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୬ ଡିଗ୍ରୀ ପାର୍ କରିଛି। ଦେଶର ପାଣିପାଗ ଏଜେନ୍ସି ‘ଏଇଏମ୍ଇଟି’ ମୁତାବକ, ଏଲ୍ ଗ୍ରେନାଡୋ ସହରରେ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି । ସ୍ପେନ୍ରେ ଜୁନ୍ ପାରଦ ୬୦ ବର୍ଷର ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି । ଏହା ପୂର୍ବରୁ ୧୯୬୫ ଜୁନ୍ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ସ୍ପେନ୍ ସମେତ ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍ଜିୟମ୍, ବୋସନିଆ, ହଙ୍ଗେରୀ, ସର୍ବିୟା, ସ୍ଲୋଭେନିଆ, ହର୍ଜଗୋଭିନା ଓ ସ୍ୱିଜରଲାଣ୍ଡରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହା ଆହୁରି କିଛିଦିନ ବଳବତ୍ତର ରହିବା ନେଇ ଆଶଙ୍କା କରାଯାଉଛି।ସେହିଭଳି ପର୍ତ୍ତୁଗାଲ, ଇଟାଲୀ ଓ କ୍ରୋଏସିଆରେ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ଆଲର୍ଟ ଜାରି ହୋଇଛି ।
ସ୍ପେନ୍ର ବାର୍ସିଲୋନା ସହରରେ ଜଣେ ମହିଳା ସଫେଇ କର୍ମଚାରୀ ଅଂଶୁଘାତରେ ପ୍ରାଣ ହରାଇଛନ୍ତି । ଇଟାଲୀରେ ବରିଷ୍ଠ ନାଗରିକ, କ୍ୟାନ୍ସର ରୋଗୀ ଓ ବାସହୀନ ଲୋକଙ୍କ ମଧ୍ୟରେ ଅଂଶୁଘାତ ମାମଲା ବୃଦ୍ଧି ପାଇଛି । ଇଟାଲୀ ରାଜଧାନୀ ରୋମ୍ରେ ୭୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ନିମନ୍ତେ ସହରର ସ୍ୱିମିଂ ପୁଲ୍ରେ ମାଗଣା ସେବା ଯୋଗାଇବା ନେଇ ଘୋଷଣା କରାଯାଇଛି ।
ପଶ୍ଚିମ ବାଲ୍କାନ ଦେଶଗୁଡ଼ିକରେ ବି ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି । ସର୍ବିୟାରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି । ସ୍ଲୋଭେନିଆରେ ଗତ ଶନିବାର ଜୁନ୍ର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଜୁନ୍ ୨୭ରେ ଉତ୍ତର ମାସିଡୋନିଆରେ ପାରଦ ୪୨ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ପହଞ୍ଚିଥିଲା । ଦକ୍ଷିଣ ଇଟାଲୀର ନାପଲ୍ସ ସହରରେ ଅଂଶୁଘାତ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଅସ୍ଥାୟୀ ହସ୍ପିଟାଲ ସ୍ଥାପନ କରାଯାଇଛି । ରାସ୍ତାରେ ଯିବା ବେଳେ ଲୋକଙ୍କ ଉପରେ ଥଣ୍ଡା ପାଣି ସିଞ୍ଚନ ହେଉଛି । ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ବ୍ରିଟେନ୍ରେ ସପ୍ତାହର ମଧ୍ୟଭାଗରେ ତାପମାତ୍ରା ଆହୁରି ବଢ଼ିବା ନେଇ ସତର୍କତା ଜାରି ହୋଇଛି ।