ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆସନ୍ତାକାଲି (ଶୁକ୍ରବାର) ଠାରୁ ଆଗାମୀ ଦୁଇ ମାସ ପାଇଁ ଲାଗୁ ହେବ BNSର ଧାରା ୧୬୩ (ପୂର୍ବରୁ ଧାରା ୧୪୪)। ଆଗାମୀ ଦିନରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି, ପ୍ରଶାସନ ମାର୍ଚ୍ଚ ୧୪ ତାରିଖରୁ BNS ଧାରା ୧୬୩ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସୂଚନାଥାଉକି, ଆଗାମୀ କିଛି ଦିନ ମଧ୍ୟରେ ହୋଲି, ରଙ୍ଗୋତ୍ସବ, ଶୀତଳା ଅଷ୍ଟମୀ, ନମାଜ, ଚୈତ୍ର ନବରାତ୍ରି, ଇଦ-ଉଲ-ଫିତର, ରାମ ନବମୀ, ମହାବୀର ଜୟନ୍ତୀ, ଆମ୍ବେଦକର ଜୟନ୍ତୀ, ଗୁଡ୍ ଫ୍ରାଇଡେ, ପର୍ଶୁରାମ ଜୟନ୍ତୀ, ମହାରାଣା ପ୍ରତାପ ଜୟନ୍ତୀ, ବୁଦ୍ଧ ପୂର୍ଣ୍ଣିମା ଭଳି ପର୍ବ ପାଳନ କରାଯିବ। ଏପରି ପରିସ୍ଥିତିରେ, ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ପର୍ବ ଗୁଡ଼ିକୁ ଶାନ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବା ପାଇଁ ଏକ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଲକ୍ଷ୍ନୌର ପୋଲିସ କମିଶନରେଟ୍ ପକ୍ଷରୁ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଆଗାମୀ ପର୍ବପର୍ବାଣୀ ସହିତ, ମାର୍ଚ୍ଚରୁ ମେ ମଧ୍ୟରେ ଲକ୍ଷ୍ନୌରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ବିନା ଅନୁମତିରେ କୌଣସି ପ୍ରକାରର ପ୍ରତିବାଦ ସଭା ମଧ୍ୟ ହୋଇପାରିବ ନାହିଁ । ଏହା ସହିତ, ସରକାରୀ କାର୍ଯ୍ୟାଳୟ ଏବଂ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ବିଧାନସଭା ପରିସରରେ ନୋ-ଫ୍ଲାଇଂ ଜୋନରେ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ସୁଟିଂ, ଟ୍ରାକ୍ଟର-ଟ୍ରଲି, ଘୋଡା ଗାଡ଼ି, ବଳଦ ଗାଡ଼ି, ମଇଁଷି ଗାଡ଼ି, ଟାଙ୍ଗା ଗାଡ଼ି ସହିତ ଗତି ଏବଂ ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ଇତ୍ୟାଦି ବହନ ସମ୍ପୂର୍ଣ୍ଣ ନିଷେଧ କରାଯିବ।
ଲକ୍ଷ୍ନୌ ସୀମା ମଧ୍ୟରେ ଅନୁମତି ବିନା କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ, ଯାହାକି ଆଇନ ଶୃଙ୍ଖଳାକୁ ପ୍ରଭାବିତ କରିବାର ସମ୍ଭାବନା ରଖିପାରେ । ତେବେ ସାର୍ବଜନୀନ ସ୍ଥାନରେ କୁଶପୁତ୍ତଳିକା ଦାହ କରିବା, ଗୁଜବ ପ୍ରଚାର କରିବା, ମୌଖିକ, ଲିଖିତ, ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମ ମାଧ୍ୟମରେ ମିଥ୍ୟା ସୂଚନା ପ୍ରସାର କରିବା ନିଷେଧ ହେବ। ଲକ୍ଷ୍ନୌରେ ଘର ଥିବା ଯେକୌଣସି ଘରମାଲିକ ଭଡାଟିଆଙ୍କ ପୋଲିସ ଯାଞ୍ଚ ନ କରାଇ ଘର ଭଡାରେ ଦେବେ ନାହିଁ। ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।