ଢେଙ୍କାନାଳ,୧୦/୦୭: ଇଲେକ୍ଟ୍ରି ସ୍କୁଟି ବ୍ୟାଟେରୀ ଫାଟି ଭୟାବହ ଅଗ୍ନିକାଣ୍ଡ । ଢେଙ୍କାନାଳ ସହର ଭାଗିରଥୀ ବିହାରରେ ବୁଧବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି । ଏହି ଭୟାବହ ଅଗ୍ନିକାଣ୍ଡରେ ଇଲେକ୍ଟ୍ରି ସ୍କୁଟି ସହ ପାର୍କିଂରେ ଥିବା ଅନ୍ୟ ୨ ବାଇକ୍, ଏକ ସ୍କୁଟି ଏହଂ ୪ ସାଇକେଲ ଜଳିଯାଇଛି ।
ସୂଚନା ମୁତାବକ, ସନାତନ ରାଉତଙ୍କ ଘରେ କେତେକ ପରିବାର ଭଡାରେ ରହୁଛନ୍ତି । ସମସ୍ତଙ୍କ ଗାଡି ଗ୍ରାଉଣ୍ଡ ଫ୍ଲୋର ପାର୍କିଂରେ ରହିଥିଲା । ସେଠାରେ ସନାତନଙ୍କ ସ୍କୁଟି ଚାର୍ଜରେ ବସିଥିଲା । ରାତି ପ୍ରାୟ ୧ଟା ବେଳେ ହଠାତ୍ ବ୍ୟାଟେରୀ ଫାଟି ଜଳି ଉଠିଥିଲା । ନିକଟରେ ଅନ୍ୟ ବାଇକ୍, ସ୍କୁଟି ରହିଥିବାରୁ ନିଆଁ ବ୍ୟାପିଯାଇଥିଲା । ବହୁ କଷ୍ଟରେ ଦୁଇଟି ବାଇକୁ ଉଦ୍ଧାର କରାଯାଇଥିଲା। ହେଲେ ଇଭି ସ୍କୁଟି ସହ ୨ଟି ବାଇକ୍, ଗୋଟିଏ ସ୍କୁଟି ଏବଂ ୪ଟି ସାଇକେଲ ଜଳି ଯାଇଥିଲା । ନିଆଁ ଉପର ମହଲା ପର୍ଯ୍ୟନ୍ତ ବ୍ୟାପିଥିଲା । ଫଳରେ ଘରର ଦୁଇଟି କବାଟ ମଧ୍ୟ ପୋଡିଯାଇଥିଲା। ଏସମ୍ପର୍କରେ ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ ।