ଭୁବନେଶ୍ୱର,୨୦/୦୬: ରାଜ୍ୟର ସମସ୍ତ ବିଦ୍ୟାଳୟରେ ପାଳନ ହେବ ସ୍କୁଲ ସୁରକ୍ଷା ସପ୍ତାହ । ଆଜିଠୁ ଆରମ୍ଭ ହେବ। ଜୁଲାଇ ୧୫ ଯାଏ ଚାଲିବ। ଏଥିରେ ସଫେଇ କାର୍ଯ୍ୟକ୍ରମଠୁ ଆରମ୍ଭ କରି ସଚେତନତା କରାଯବି । ସ୍କୁଲରେ ସ୍କୁଲ ସୁରକ୍ଷା ନେଇ ଶପଥ ପାଠ ହେବ । ଶୌଚାଳୟ, କ୍ଲାସ ରୁମ୍ କବାଟ ଆଦି ମରାମତି ହେବ । ସ୍କୁଲ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବ । ସମସ୍ତ ସ୍କୁଲରେ ଲାଗିବ ଜରୁରିକାଳୀନ ବେଲ୍ (ଘଣ୍ଟି) । ସାଧାରଣ ଲୋକଙ୍କ ପାଇଁ ସୂଚନା ଯନ୍ତ୍ର ତଥା ମାଇକ୍ ଲଗାଯିବ । ଯେପରି ଏହା ଜରୁରି ସମୟରେ ସହାୟକ ହେବ । ସ୍କୁଲରେ ଥିବା ଅଗ୍ନିନିର୍ବାପକ ଯନ୍ତ୍ର ଓ ବାଲି ଥିବା ବାଲ୍ଟିକୁ ବାରମ୍ବାର ଯାଞ୍ଚ କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା ବାକ୍ସକୁ ଯାଞ୍ଚ କରି ଏଥିରେ ନଥିବା ଔଷଧକୁ ରଖାଯିବ । ଫ୍ୟାନ୍, ବଲ୍ବଠୁ ଆରମ୍ଭ କରି ବିଦ୍ୟୁତ ସାମଗ୍ରୀର ସୁରକ୍ଷା ଯାଞ୍ଚ ହେବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ।
ସ୍କୁଲ ସୁରକ୍ଷା ପଲିସି ୨୦୧୬ ଲାଗୁ କରାଯିବ । ଏହା ଅନୁଯାୟୀ, ସ୍କୁଲ ପରିଚାଳନା କମିଟି, ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ଶିକ୍ଷକଙ୍କୁ ନେଇ ଏହି ସପ୍ତାହ ପାଳନ ହେବ । ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ଶ୍ରେଣୀ ଗୃହର ସୁରକ୍ଷାକୁ ସୁନିଶ୍ଚିତ କରାଯିବ । ୫ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେବ । ସ୍କୁଲରେ ଥିବା ଅସୁରକ୍ଷିତ ଛାତର ମରାମତି ଏବଂ ପାଖରେ ଥିବା ପୋଖରୀକୁ ପିଲା ଯେପରି ନଯିବେ ବ୍ୟବସ୍ଥା କରାଯିବ । ସ୍କୁଲ ସାଇନ ବୋର୍ଡକୁ ଠିକ୍ ସ୍ଥାନରେ ରଖାଯିବ । ସ୍କୁଲ ଫାଟକ, ପାହାଚକୁ ସଫା କରାଯିବ । ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସାନିଟାଇଜର, ଥର୍ମୋମିଟର ରଖିବାକୁ ସୁନିଶ୍ଚିତ କରାଯିବ।