ପ୍ରମୂଖ ଖବର
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

୬ ମାସ ହେଲା ମିଳିନି ସାନିଟାରୀ ନାପକିନ୍‌, ଦହଗଞ୍ଜ ହେଉଛନ୍ତି ଦୁର୍ଗମ ଅଞ୍ଚଳର କିଶୋରୀ

Published By : Rasmita Pradhan | May 28, 2025 12:36 PM

ଅନୁଗୁଳ,୨୮/୦୫ : ଋତୁସ୍ରାବକୁ ନେଇ ସଚେତନତା ବଢ଼ୁଛି । ଅନୁଗୁଳ ସହରଠୁ ନେଇ ପାହାଡ଼ ଜଙ୍ଗଲ ଘେରା ଦୁର୍ଗମ ବେତର ଯାଏ, ଛେଣ୍ଡିପଦାରୁ ପାଳଲହଡ଼ାର ନଗିରା ଯାଏ ଋତୁସ୍ରାବ ସମୟରେ ସ୍ୱଚ୍ଛ ଓ ସୁସ୍ଥ ରହିବା ପାଇଁ ସାନିଟାରୀ ନାପକିନ୍‌ର ବ୍ୟବହାର ନେଇ ସଚେତନ ହେଲେଣି । ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଖୁସି’ କିଶୋରୀଙ୍କୁ ସାନିଟାରୀ ନାପକିନ୍‌କୁ ନେଇ ଅଭ୍ୟସ୍ତ କରିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ପାଇଁ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଆଶାକର୍ମୀଙ୍କ ମାଧ୍ୟମରେ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ସାନିଟାରୀ ନାପକିନ୍‌ ଗଲା ୬ ମାସ ହେଲା ବନ୍ଦ ରହିଛି । ଫଳରେ ‘ଖୁସି’ରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାର ହଜାର ହଜାର କିଶୋରୀ । ବାହାର ବଜାରରୁ ଉଚ୍ଚ ଦରରେ ସାନିଟାରୀ ପ୍ୟାଡ୍‌ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାହିଁ । 

ଅପରପକ୍ଷରେ ଦୁର୍ଗମ ଅଞ୍ଚଳର କିଶୋରୀଙ୍କ ପାଇଁ ଏହା ଅପହଞ୍ଚ ଥିବା ବେଳେ ଅନେକ ଯୁବତୀ ସାଧାରଣ କପଡ଼ା ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ଉଦ୍‌ବେଗର ବିଷୟ, ଗାଁର କିଶୋରୀଙ୍କୁ ସ୍ୱଳ୍ପ ମୂଲ୍ୟରେ ନାପକିନ୍‌ ଯୋଗାଣ ନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ତାଳମେଳ ରହୁନି । କିଏ କହୁଛି ଯୋଗାଣ ହେଉଛି ତ ଆଉ କିଏ କହୁଛି ୧୦ ମାସ ହେଲା ସରକାର ଯୋଗାଣ କରିନାହାନ୍ତି । ସେପଟେ କିଶୋରୀଙ୍କ ପାଖରେ ନାପକିନ୍‌ ପହଞ୍ଚାଉଥିବା ଆଶାକର୍ମୀଙ୍କ ଅଭିଯୋଗ, ୫ରୁ ୬ ମାସ ହେଲା ନାପକିନ୍‌ ଯୋଗାଣ ବନ୍ଦ ରହିଛି । 

ସରକାର ‘ଖୁସି’ ଯୋଜନା ଜରିଆରେ ସ୍କୁଲ ଛାତ୍ରୀମାନଙ୍କୁ ମାଗଣା ଓ ଗାଁ କିଶୋରୀଙ୍କୁ ସ୍ୱଳ୍ପ ମୂଲ୍ୟରେ ସାନିଟାରୀ ନାପକିନ୍‌ ଯୋଗାଇ ଦେଉଛନ୍ତି । ଏହିକ୍ରମରେ ଜିଲ୍ଲାରେ ସ୍କୁଲ ଛାତ୍ରୀମାନଙ୍କୁ ସଠିକ୍‌ ଢଙ୍ଗରେ ନାପକିନ୍‌ ଯୋଗାଇ ଦିଆଯାଉଛି । ହେଲେ ଆଶାକର୍ମୀଙ୍କ ଜରିଆରେ ସ୍ୱଳ୍ପମୂଲ୍ୟରେ ସାନିଟାରୀ ନାପକିନ୍‌ ଯୋଗାଇବାର କାର୍ଯ୍ୟକ୍ରମ ବାଟବଣା ହୋଇଛି । ସରକାରୀ ଗାଇଡ୍‌ଲାଇନ୍‌ ଅନୁସାରେ, ଆଶାକର୍ମୀଙ୍କ ଜରିଆରେ ଯୋଗାଇ ଦିଆଯାଉଥିବା ନାପକିନ୍‌ର ମୂଲ୍ୟ ମାତ୍ର ୬ ଟଙ୍କା । ଏଥିରୁ ଟଙ୍କାଟିଏ ଆଶାକର୍ମୀଙ୍କୁ ମିଳୁଥିବା ବେଳେ ୫ ଟଙ୍କା ସରକାରୀ ଖାତାକୁ ଯାଉଛି । ଆଶାକର୍ମୀମାନେ ଗାଁ ଗାଁରେ କିଶୋରୀମାନଙ୍କୁ ନାପକିନ୍‌ ଯୋଗାଇ ଦେଉଥିବାରୁ ଯୁବତୀ ଅଧିକ ସଚେତନ ହେବା ସହିତ କପଡ଼ା ପରିବର୍ତ୍ତେ ଏହାକୁ ଆପଣାଉଛନ୍ତି । ମାତ୍ର ବିଡ଼ମ୍ବନାର ଚିତ୍ର, ଗତ ୬ ମାସ ହେଲା ଜିଲ୍ଲାରେ କିଶୋରୀମାନଙ୍କୁ ସାନିଟାରୀ ନାପକିନ୍‌ ଯୋଗାଣ ବନ୍ଦ ରହିଛି । 

ମୁଖ୍ୟତଃ ଦୁର୍ଗମ ଅଞ୍ଚଳର କିଶୋରୀମାନେ ହାତ ପାହାନ୍ତାରେ କମ୍‌ ମୂଲ୍ୟରେ ସାନିଟାରୀ ନାପକିନ୍‌ ପାଉଥିଲେ । ଏବେ ଯୋଗାଣ ବନ୍ଦ ଥିବାରୁ ମେଡିସିନ୍‌ ଦୋକାନକୁ ଆସି କ୍ରୟ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ ।  ବନ୍ତଳା ଅଞ୍ଚଳର ଜଣେ ଆଶାକର୍ମୀ କହିଛନ୍ତି, ଜାନୁଆରୀ ମାସରୁ ତାଙ୍କ ପାଖରେ ସାନିଟାରୀ ନାପକିନ୍‌ ପହଞ୍ଚିନି । ଫଳରେ ଯୁବତୀମାନେ ନିରାଶ ହେଉଛନ୍ତି । ନାପକିନ୍‌ ପିଛା ସେମାନଙ୍କୁ ଟଙ୍କାଟିଏ ଲେଖାଏଁ ମିଳି ଯାଉଥିବାରୁ ଏହାକୁ ନେଇ ଆଶାକର୍ମୀ ମଧ୍ୟ ଉତ୍ସାହିତ ଥିଲେ । କିଶୋରୀଙ୍କୁ ସଚେତନ କରାଉଥିଲେ । ମାତ୍ର ଏବେ ନାପକିନ୍‌ ଯୋଗାଣ ବନ୍ଦ ଯୋଗୁଁ ଗାଁ ଗାଁରେ କିଶୋରୀ ପୁଣି ସାଧାରଣ କପଡ଼ାକୁ ବ୍ୟବହାର କରୁଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ନ ଦେଲେ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବ ବୋଲି ସେ ପ୍ରକାଶ କରିଛନ୍ତି । 

ଏନେଇ ଜିଲ୍ଲା ଔଷଧ ଗୋଦାମ ଗୃହ କର୍ତ୍ତୃପକ୍ଷଙ୍କ କହିବା କଥା, କିଶୋରୀମାନଙ୍କ ପାଇଁ ନାପକିନ୍‌ ଏହିଠାରୁ ଆଶାକର୍ମୀଙ୍କ ଜରିଆରେ ଯୋଗାଇ ଦିଆଯାଇଥାଏ । ୧୦ ମାସ ପୂର୍ବରୁ ଯାହା ନାପକିନ୍‌ ଆସିଥିଲା ବଣ୍ଟାଯାଇଛି । କିନ୍ତୁ ୧୦ ମାସ ହେଲା ସରକାରଙ୍କ ପକ୍ଷରୁ ଯୋଗାଣ ବନ୍ଦ ଥିବା ସେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ସଠିକ୍‌ ଉତ୍ତର ନାହିଁ । ତୃଣମୂଳ ସ୍ତରରେ ଏହି ଯୋଜନା କେତେ କାର୍ଯ୍ୟକ୍ଷମ ହେଉଛି, କେହି ସ୍ପଷ୍ଟ ଚିତ୍ର ରଖୁନାହାନ୍ତି । ଏ ସଂକ୍ରାନ୍ତରେ ଏଡିଏମ୍‌ଓ(ପରିବାର କଲ୍ୟାଣ) ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ‘ଖୁସି’ ଯୋଜନାରେ ସାନିଟାରୀ ନାପକିନ୍‌ ଯୋଗାଣ ଚାଲିଛି । ଅନେକ ଏନେଇ ଜାଣିପାରୁନାହାନ୍ତି । ସାନିଟାରୀ ନାପକିନ୍‌ର ଚାହିଦା ସୃଷ୍ଟି ହୋଇପାରିଲେ, ଯୋଜନା ସଫଳ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.