ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜୟିନୀ ସାଇନା ନେହୱାଲ ଶନିବାର ସୋସିଆଲ ମିଡିଆରେ ସ୍ୱାମୀ ପାରୁପଲ୍ଲୀ କଶ୍ୟପଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି, ‘ଅନେକ ସମୟରେ ଦୂରତା ଆମକୁ ଜଣେ ବ୍ୟକ୍ତିଙ୍କ ଗୁରୁତ୍ୱ ବୁଝାଇଥାଏ । ଆମେ ପୁଣି ଥରେ ଚେଷ୍ଟା କରୁଛୁ।’ ସାଇନା ନେହୱାଲ ୧୯ ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରି ଲେଖିଥିଲେ ଯେ, ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।
ନେହୱାଲ ପାରୁପଲ୍ଲୀ କଶ୍ୟପଙ୍କୁ ଟ୍ୟାଗ୍ କରି ଫଟୋ ସେୟାର କରିଛନ୍ତି । ନେହୱାଲ ଶନିବାର ସନ୍ଧ୍ୟା ୭ଟାରେ ଏହା ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ସାଇନା ନେହୱାଲ ୧୩ ଜୁଲାଇରେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, ‘ବହୁତ ଚିନ୍ତା କରିବା ପରେ, କଶ୍ୟପ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ।' ଜୀବନ କେତେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ। ଆମେ ପରସ୍ପରର ଶାନ୍ତି, ବିକାଶ ପାଇଁ ଏହି ରାସ୍ତା ବାଛିଛୁ । ମୁଁ ତାଙ୍କ ସହିତ ସମସ୍ତ ସ୍ମୃତି ପାଇଁ କୃତଜ୍ଞ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ଜଣାଉଛି। ଆମର ଗୋପନୀୟତାକୁ ବୁଝିବା ଏବଂ ସମ୍ମାନ କରିବା ପାଇଁ ଧନ୍ୟବାଦ।’ କିନ୍ତୁ ଆଜି ହଠାତ ସ୍ୱାମୀଙ୍କ ସହ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ସାଇନା ।
ସାଇନା ନେହୱାଲ ୧୪ ଡିସେମ୍ବର ୨୦୧୮ରେ କଶ୍ୟପ ପାରୁପାଲିଙ୍କୁ ପ୍ରେମ ବିବାହ କରିଥିଲା। ଦୁହେଁ ୨୦୦୭ ମସିହାରୁ ସମ୍ପର୍କରେ ଥିଲେ। କିନ୍ତୁ ସେମାନେ ୨୦୦୫ ମସିହାରୁ ପରଷ୍ପରକୁ ଜାଣିଥିଲେ। କ୍ୟାରିୟରର ପ୍ରାରମ୍ଭିକ ଦିନରେ ଦୁହେଁ ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଏକାଠି ତାଲିମ ନେଉଥିଲେ। ଏକାଡେମୀରେ ତାଲିମ ସମୟରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା ।
ହରିୟାଣାର ବାସିନ୍ଦା ସାଇନା ନେହୱାଲ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି, ଯିଏ ଅଲିମ୍ପିକ୍ ପଦକ ଜିତିଥିଲେ। ସେ ଲଣ୍ଡନ ଅଲିମ୍ପିକ୍ -୨୦୧୨ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୧୫ରେ ମହିଳା ସିଙ୍ଗଲ୍ସ ରାଙ୍କିଙ୍ଗରେ ସେ ବିଶ୍ୱ ନମ୍ବର-୧ ଖେଳାଳି ଥିଲେ। ସାଇନା ହେଉଛନ୍ତି ଏକମାତ୍ର ମହିଳା ଭାରତୀୟ ଖେଳାଳି ଯିଏ ବ୍ୟାଡମିଣ୍ଟନରେ ବିଶ୍ୱ ନମ୍ବର-୧ ସ୍ଥାନ ହାସଲ କରିଥିଲେ। ସେ ୩ଟି ଅଲିମ୍ପିକ୍ କ୍ରୀଡାରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ସାଇନା ୨୦୧୦ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।