ନୂଆଦିଲ୍ଲୀ,୦୧/୦୮: ୨୦୧୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ କରାଯାଉଛି । ୧୨୮ ବର୍ଷ ପରେ କ୍ରିକେଟ୍ ଅଲିମ୍ପିକ୍ସରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ମାତ୍ର ଏହି କ୍ରୀଡ଼ା ସାରା ବିଶ୍ୱରେ ସେତେଟା ଜନାଦ୍ରୁତ ହୋଇନି । ତେଣୁ ଅଲିମ୍ପିକ୍ସ ପାଇଁ ଦଳ କିଭଳି ଚୟନ ହେବ ତାହା ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।
ସିଙ୍ଗାପୁରରେ ଆଇସିସିର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ବସିଥିଲା । ପ୍ରତ୍ୟେକ ମହାଦେଶରୁ ଗୋଟିଏ ଦଳ ଖେଳାଇବା ନେଇ ବୈଠକରେ ଆଲୋଚନା ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ମିଳିଛି । ଏମିତି ହେଲେ ଆଇସିସିର ଏକାଧିକ ପୂର୍ଣ୍ଣ ସଦସ୍ୟ ଦଳ ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହେବେ । ବିଶେଷ କରି ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସୁଯୋଗ ପାଇବେ ନାହିଁ ।
ପୁରୁଷ ଓ ମହିଳା ବର୍ଗରେ ୬ଟି ଲେଖାଏଁ ଦଳ ଖେଳିବେ । ତେଣୁ ବର୍ତ୍ତମାନର ଟି-ଟ୍ୱେଣ୍ଟି ମାନ୍ୟତା ଦେଖିଲେ (ପୁରୁଷ ଓ ମହିଳା) ଏସିଆରୁ ଭାରତ, ଓସେନିଆରୁ ଅଷ୍ଟ୍ରେଲିଆ, ୟୁରୋପରୁ ଇଂଲଣ୍ଡ, ଆମେରିକା (ଉତ୍ତର ଓ ଦକ୍ଷିଣ) ରୁ ଆୟୋଜକ ଆମେରିକା କିମ୍ବା କାରବିଆନ ଦଳ ଏବଂ ଆଫ୍ରିକାରୁ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇବେ । ଆମେରିକା ଆୟୋଜକ ଦଳ ଭାବେ ସିଧାସଳଖ ଏଣ୍ଟ୍ରି ପାଇବା କଥା । କିନ୍ତୁ ଏ ବିଷୟରେ ଆଇସିସି କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ । ଯଦି ଆମେରିକା ସିଧାସଳଖ ପ୍ରବେଶ କରେ ତେବେ ଏକ କାରବିଆନ ଦଳ ଖେଳିବାର ସୁଯୋଗ ପାଇପାରେ ।
ନିର୍ଦ୍ଧାରିତ ଯୋଗ୍ୟତା ପର୍ଯ୍ୟାୟ ତାରିଖ ପର୍ଯ୍ୟନ୍ତ ଆଇସିସି ମାନ୍ୟତା ଅନୁସାରେ ଦଳ ଚୟନ ହେବ । ଶେଷ ଥର ୧୯୦୦ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହୋଇଥିଲା । ୨୦୩୨ ଓ ୨୦୩୬ ସଂସ୍କରଣରେ ମଧ୍ୟ କ୍ରିକେଟ୍ ସାମିଲ ହୋଇପାରେ ।