ପୁରୀ, ୭।୭ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ପରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି। ପ୍ରାୟ ଦୁଇଶହ କିମ୍ବା ତିନି ଶହ ବର୍ଷ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
୨୦୨୪ ଜୁଲାଇ ୧୪ ରୁ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଥିଲା। ୧୭ ଡିସେମ୍ବର ୨୦୨୪ରୁ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ୬ ମାସ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିଲା। ମହାପ୍ରଭୁଙ୍କ ବିଭନ୍ନ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ମରାମତି କାର୍ଯ୍ୟ ବନ୍ଦ ରଖାଯାଇଥିଲା। ୯୫ ଦିନ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଚାଲିଥିବା ବେଳେ ୩୩୨ ଘଣ୍ଟା ୪୭ ମିନିଟ କାର୍ଯ୍ୟ ହୋଇଛି। ଭିତର ରତ୍ନଭଣ୍ଡାରର ନଷ୍ଟ ହୋଇଥିବା ପଥର ଗୁଡିକ ବଦଳା ଯାଇଛି। ବାହାର ରତ୍ନଭଣ୍ଡାରରେ ବର୍ମାଟିକ କାଠରେ କବାଟ ଲଗାଯାଇଥିବା ବେଳେ ଏହାକୁ ଖୁବଶୀଘ୍ର ରୂପା ଛାଉଣୀ କରାଯିବ। ସେହିପରି ଭିତର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣୀ ମଧ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ରତ୍ନଭଣ୍ଡାରର ୬ ଟି ତାଲା ପଡିଛି। ତେବେ ଚାବିଗୁଡ଼ିକ ଭଣ୍ଡାର ମେକାପ, ଗଜପତିଙ୍କ ପ୍ରତିନିଧି, ଭଣ୍ଡାର ମେକାପଙ୍କ ପାଖରେ ରଖାଯାଇଛି। ଭିତର ଓ ବାହାର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ। ରତ୍ନଭଣ୍ଡାରର ସ୍ଥାୟୀ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଇଛି। ୫୨୦ ପଥର ବଦଳା ଯାଇଛି। ରତ୍ନଭଣ୍ଡାର ଅଳଙ୍କାରଗୁଡିକ ମୂଳ ଭଣ୍ଡାରକୁ ଆଣିବା ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ସେପଟେ ଏଏସଆଇ ଅଧିକ୍ଷକ ଡି. ବି ଗଡ଼ନାୟକ ସୂଚନା ଦେଇଛନ୍ତି ୫୨୦ ଟି ଛୋଟ ଓ ବଡ ପଥର ସ୍ଥାପନ କରାଯାଇଛି। ବାହାର ରତ୍ନଭଣ୍ଡାର ରୂପା ଛାଉଣୀ ଶେଷ ହୋଇଛି। ଭଲ ଭାବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଛି। ୧୫ ଟି ଷ୍ଟେନଲେସ ଷ୍ଟିଲ ବିମ୍ ଲାଗିଛି।