ନୂଆଦିଲ୍ଲୀ,୧୬।୮: ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଖେଇ ଆସୁଛି। ଏହା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ଏବଂ ଆରଜେଡି ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ସମ୍ପର୍କରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ଅଗଷ୍ଟ ୧୭ ରୁ 'ଭୋଟର ଅଧିକାର ଯାତ୍ରା' ଆରମ୍ଭ କରିବେ, ଯାହା ସେପ୍ଟେମ୍ବର ୧ ରେ ପାଟନାର ଗାନ୍ଧୀ ମଇଦାନରେ ଏକ ବିଶାଳ ରାଲି ସହିତ ଶେଷ ହେବ।
ରାହୁଲ ୧୬ ଦିନ ବିହାରରେ ରହିବେ। ଏହି ସମୟରେ ସେ ୨୪ ଜିଲ୍ଲାକୁ ଯାତ୍ରା କରିବେ। ଏହି ୨୪ ଜିଲ୍ଲାରେ ୧୧୮ ବିଧାନସଭା ରହିଛି। କଂଗ୍ରେସ ସାଂସଦ ଅଖିଳେଶ ସିଂହ କହିଛନ୍ତି ୧୭ ଅଗଷ୍ଟରୁ ଭୋଟର ଅଧିକାର ଯାତ୍ରା ଆରମ୍ଭ ହେଉଛି। ଏହାକୁ ନେଇ ସବୁ ପ୍ରସ୍ତୁତି ହୋଇସାରିଛି। ରାହୁଲ ଓ ତେଜସ୍ବୀଙ୍କ ସହ ଆହୁରି ବଡ ନେତା ଏହି ଯାତ୍ରାରେ ସାମିଲ ହୋଇପାରନ୍ତି। କଂଗ୍ରେସ ପକ୍ଷରୁ ଭୂପେଶ ବଘେଲଙ୍କ ଆରଜେଡି ନେତ୍ରୀ ରାବ୍ରୀ ଦେବୀ ଓ ଜଗଦାନନ୍ଦ ସିଂହଙ୍କ ଭଳି ବଡ଼ ନେତା ଯୋଗ ଦେଇପାରନ୍ତି।
୧୬ ଦିନ ଭିତରେ ୧୩୦୦ କିଲୋମିଟର ଯାତ୍ରା ହେବ। ବିହାର ପ୍ରାୟ ୨୫ ଜିଲ୍ଲା ଦେଇ ବାହାରିବ। ଏଥିରେ ସାସାରାମ, ଔରଙ୍ଗାବାଦ, ଗୟା, ନାଳନ୍ଦା, ପାଟାନା ଗ୍ରାମୀଣ ଅଞ୍ଚଳ, ଦରଭଙ୍ଗା, ମଧୁବନି, ସିଭାନ, ଗୋପାଳଗଞ୍ଜ, ମୁଜରଫରପୁର, ପୂର୍ଣ୍ଣିୟା, କଟିହାର, ଭାଗଲପୁର ରହିଛି। ସେଭଳି ପାଟନା ଗାନ୍ଧୀ ମୈଦାନରେ ଯାତ୍ରା ଶେଷ ହେବ। ଏହି ଯାତ୍ରାରେ ଇଣ୍ଡିଆ ମେଣ୍ଟର ସବୁ ଦଳର ବରିଷ୍ଠ ନେତା ଓ କର୍ମୀ ସାମିଲ ହେବେ। ବିରୋଧି ଦଳ ନେତା ତେଜସ୍ବୀ ଯାଦବ ମଧ୍ୟ ଏହି ଯାତ୍ରାରେ ସାମିଲ ହେବେ।