ଫୁଲବାଣୀ,୨୦/୭: ଫୁଲବାଣୀସ୍ଥିତ ମା’ ନାରାୟଣୀଙ୍କ ସଭା ଗୃହରେ ଅଖିଳ ଭାରତୀ ବିଦ୍ୟାର୍ଥି ପରିଷଦ(ଏବିଭିପି) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ କର୍ମକର୍ତ୍ତାମାନେ ଯୋଗ ଦେଇ ଏବିଭିପିର ସଦସ୍ୟତା ସଂଖ୍ୟା ବୃଦ୍ଧି କରିବା, ଛାତ୍ର ସଂସଦ ନିର୍ବାଚନ କରିବା ଏବଂ ଶିକ୍ଷାର ଅଗ୍ରଗତି ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । କନ୍ଧମାଳ ଜିଲ୍ଲାରେ ଥିବା କଲେଜମାନଙ୍କରେ ଆଗାମୀ ଦିନରେ ଛଅ ହଜାର ସଦସ୍ୟତା କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।
ଏବିଭିପି ଶୃଙ୍ଖଳିତ, ଦାୟିତ୍ୱବାନ ଛାତ୍ର ସଂଗଠନ ବିସାବରେ ଦୀର୍ଘ ୭୬ ବର୍ଷ ଧରି ସାମାଜିକ ଓ ଶିକ୍ଷା କ୍ଷେତ୍ରରେ କାମ କରି ଆସୁଅଛି । ପ୍ରତି ଶିକ୍ଷା ବର୍ଷରେ ନୂତନ ବିଦ୍ୟାର୍ଥୀମାନଙ୍କୁ ରାଷ୍ଟ୍ରୀୟ ପୁନଃନିର୍ମାଣ ପାଇଁ ସଂକଳ୍ପ ବଦ୍ଧ ହୋଇ ସଦସ୍ୟତା ଅଭିଯାନ ଆରମ୍ଭ କରିଥାଏ । ଚଳିତ ଶିକ୍ଷା ବର୍ଷରେ ଜିଲ୍ଲାରେ ୬୦୦୦ ସଦସ୍ୟତାର ଲକ୍ଷ୍ୟ ରକ୍ଷା ଯାଇଛି । ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଜାରି ରହିବ । ବିଭିନ୍ନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି । ତେଣୁ ଚଳିତ ବର୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ ବୋଲି ସଂଗଠନ କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି । ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ଯୁଗ୍ମ ସମ୍ପାଦିକା ସଂଜନା କହଁର, ଗଞ୍ଜାମ ବିଭାଗ ସହ ସଂଯୋଜକ ରୁଦ୍ରପ୍ରସାଦ ସେଠୀ, କନ୍ଧମାଳ ଜିଲା ସଭାପତି ସନ୍ତୋଷ କୁମାର ଦଳବେହେର, ସଂଯୋଜକ ଅମ୍ଳାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।