ଅନେକ ଘଟଣା ସମ୍ପର୍କରେ ଆମେ ନବୁଝି ନଶୁଝି ମନରେ ଭୁଲ୍ ଧାରଣା ସୃଷ୍ଟି କରି ଅପପ୍ରଚାର କରିଥାଉ । ଏଥିପାଇଁ ସାମାଜିକ ଜୀବନରେ ଅନେକ ବାଧାବିଘ୍ନ ଆସିଥାଏ । ଅନେକଙ୍କ ମନରେ ଦୁଃଖ ଦେଇଥାଉ ଓ ଏହାଦ୍ୱାରା ଆମର ସୁସମ୍ପର୍କ ଦୁର୍ବଳ ହୋଇଯାଏ । କାହା ପ୍ରତି କୌଣସି ଧାରଣା ସୃଷ୍ଟି କରିବା ପୂର୍ବରୁ ଶହେଥର ଚିନ୍ତା କରିବା ଉଚିତ । କାରଣ ଆମର ଆଖି ଧୋକା ଖାଇପାରେ।
ଜଣେ ଦୃଷ୍ଟିବାଧିତ ବୃଦ୍ଧ ଥିଲେ । ରାତିରେ ବାହାରକୁ ଯାଉଥିବାବେଳେ ସେ ନିଜ ସହିତ ଏକ ଲଣ୍ଠନ ନେଇ ଯାଉଥିଲେ । ଅନ୍ଧ ଲୋକଟିଏ ରାତିରେ ଲଣ୍ଠନ ନେଇ ଯାଉଥିବା ଦେଖି ଅନେକ ଲୋକ ହସୁଥିଲେ, ପରିହାସ କରୁଥିଲେ । ଦିନେ, କେହି ଜଣେ ତାଙ୍କୁ ଏହା ପଛର କାରଣ ପଚାରିଥିଲେ । ଦୃଷ୍ଟିବାଧିତ ବୃଦ୍ଧ ଉତ୍ତରରେ କହିଥିଲେ "ରାତିରେ ଲଣ୍ଠନଟି ମୋ ପାଇଁ ନୁହେଁ ବରଂ ଅନ୍ୟମାନେ ଦେଖିବା ପାଇଁ ମୁଁ ସାଥିରେ ନେଇଯାଉଛି, ଯେପରି ସେମାନେ ମୋ ସହିତ ଧକ୍କା ନହୁଅନ୍ତି’ । ଏହା ଶୁଣି ପରିହାସ କରି ପ୍ରଶ୍ନ କରିଥିବା ଲୋକଟି ଲଜ୍ଜିତ ହେଲେ । ଏଭଳି ଘଟଣା ଏଠାରେ ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି ଆମେ ଯାହା ଦେଖୁ ତାହା ସର୍ବଦା ସତ୍ୟ ନୁହେଁ । ଯାହା ଦେଖୁ ତାହାର ବାସ୍ତବତାକୁ ପରଖିବା ପୂର୍ବରୁ ମତାମତ ଦେବା ଅପରିପକ୍ୱତାର ପରିଚୟ ହୁଏ । କେବଳ ଆମେ ଯାହା ଦେଖୁ ତାହା ନୁହେଁ ବରଂ ଆମେ ଯାହା ଶୁଣୁ, ଯାହା ଅନୁଭବ କରୁ, ଯାହା ଭାବୁ, ଯାହା ବିଶ୍ୱାସ କରୁ ଏବଂ ଯାହା ବୁଝୁ ତାହା ସର୍ବଦା ସତ୍ୟ ହୋଇନଥାଏ ।
ସବୁବେଳେ ସତ୍ୟକୁ ନଦେଖିବା ପାଇଁ ଆମେ ପ୍ରକୃତରେ ଆମ ଆଖିକୁ ଦୋଷ ଦେଇପାରିବୁ ନାହିଁ, କାରଣ ଆମେ କେବଳ ଯାହା ଦେଖିବା ପାଇଁ ଚାହୁଁ ତାହା ଦେଖିଥାଉ । ଆମର ଚିନ୍ତା ପ୍ରକ୍ରିୟା ଅତ୍ୟନ୍ତ ଭିନ୍ନ ଏବଂ ଏହା ଅତୀତର ଅନୁଭୂତି, ପରିବେଶ, ଭାବନା ପରି କାରକ ଉପରେ ନିର୍ଭର କରେ । ଯେପରି ପିଲାଦିନରେ ଅଭାବ ଓ ଅନଟନରେ ବିତାଇଥିବା ବ୍ୟକ୍ତି ଆରାମ ଏବଂ ବିଳାସପୂର୍ଣ୍ଣତା ବାଲ୍ୟଜୀବନ ବିତାଇଥିବା ବ୍ୟକ୍ତିଙ୍କଠାରୁ ଭିନ୍ନ କଥା ଅନୁଭବ କରେ । ଆମର ଧାରଣା ଆମ ଇନ୍ଦ୍ରିୟ ଦ୍ୱାରା ପ୍ରଭାବିତ ହୋଇଥାଏ, ଯାହା ବେଳେବେଳେ ବିଭ୍ରାନ୍ତକାରୀ ହୋଇପାରେ । ପ୍ରତ୍ୟେକ ବ୍ୟକ୍ତିର ଧାରଣା ସେମାନଙ୍କର ଅଭିଜ୍ଞତା, ବିଶ୍ୱାସ ଏବଂ ଭାବନା ଦ୍ୱାରା ପ୍ରଭାବିତ ହୋଇଥାଏ । ଏହାର ଅର୍ଥ ହେଉଛି, ଜଣେ ବ୍ୟକ୍ତି ଯାହା ଦେଖେ ବା ବ୍ୟାଖ୍ୟା କରେ ତାହା ଅନ୍ୟର ଦୃଷ୍ଟିକୋଣରୁ ଯଥେଷ୍ଟ ଭିନ୍ନ ହୋଇପାରେ ।
ମଣିଷର ପରିଚୟ ତାର ଜ୍ଞାନ ଆଧାରରେ ହୋଇଥାଏ । ସମାଜରେ ମହତ୍ତ୍ୱ ଓ ଗୁରୁତ୍ୱ ମଣିଷର ଜ୍ଞାନ ଓ ଗାରିମା ଆଧାରରେ ପ୍ରତିଷ୍ଠିତ ହୋଇଥାଏ । ଯେଉଁମାନେ ଜ୍ଞାନୀ ଓ ଗୁଣୀ, ସେମାନେ କମ୍ କହିଥାନ୍ତି, ଠିକ୍ କହିଥାନ୍ତି ଓ ସତ୍ୟ କହିଥାନ୍ତି । ଯେକୌଣସି କଥାରେ ସେମାନେ ସେମାନଙ୍କର ଟିପ୍ପଣୀ ବା ମତାମତ ହାଲ୍କା ଭାବେ ନଦେଇ ବୁଝି ବିଚାରି ପ୍ରଦାନ କରିଥାନ୍ତି, ଯାହା ସର୍ବାଦୃତ ହାଇଥାଏ । ମାତ୍ର ଅନେକ କ୍ଷେତ୍ରରେ ଅଳ୍ପ ଜ୍ଞାନୀମାନେ କୌଣସି ବିଷୟବସ୍ତୁକୁ ଭଲଭାବେ ନଜାଣି ନବୁଝି ତୁରନ୍ତ ମତାମତ ପ୍ରଦାନ କରିଥାନ୍ତି ଓ ପରେ ଭୁଲ୍ ସାବ୍ୟସ୍ତ ହୋଇଥାନ୍ତି । ଅଜ୍ଞାନ ମଣିଷ ସାଧାରଣତଃ କିଛି ଜାଣିନଥିବା ଯୋଗୁଁ ଚୁପ୍ ରହିବାକୁ ପସନ୍ଦ କରନ୍ତି । ମାତ୍ର ଅଧାଜ୍ଞାନୀ ଅନେକ ସମୟରେ ବଡ଼ଜ୍ଞାନୀ ହେବାର ଛଳନା କରିଥାନ୍ତି । ତେବେ ଆଜିକାଲି ସୋସିଆଲ ମିଡିଆରେ ପ୍ରତ୍ୟହ ଅନେକ ଖବର ଆମ ସାମନାକୁ ଆସୁଛି ।
ସାମାଜିକ, ରାଜନୈତିକ, ଅର୍ଥନୈତିକ, ଆଧ୍ୟାତ୍ମିକ ତଥା ମନୋରଞ୍ଜନଭିତ୍ତିକ ନୂଆ ନୂଆ ତଥ୍ୟ ଆମେ ହ୍ୱାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ଭଳି ଅନେକ ସୋସିଆଲ ମିଡିଆରେ ପାଉଛୁ । ତା’ ଭିତରୁ କିଛି ସତ୍ୟ ଓ କିଛି ଅସତ୍ୟ । ଏହାର ବାସ୍ତବତା ଓ ସତ୍ୟତାକୁ ନବୁଝି ଆମେ ଏହାକୁ ବିଶ୍ୱାସ କରିଯାଉ ଓ ଅନ୍ୟମାନଙ୍କୁ ପଠାଇ ଦେଇଥାଉ । ଏବେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଓ ସମସ୍ତେ ଇଣ୍ଟରନେଟ ଉପଯୋଗ କରୁଛନ୍ତି । ନିମିଷକ ମଧ୍ୟରେ ମିଥ୍ୟା ଓ ମନଗଢ଼ା ଖବରଟିଏ ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ଚାଲିଯାଉଛି ଓ ସାଧାରଣ ଲୋକମାନେ ଖବରର ସତ୍ୟତାକୁ ନ ବୁଝି ଏହାକୁ ବିଶ୍ୱାସକୁ ନେଇଯାଉଛନ୍ତି ।
ଆଖିରେ ଦେଖୁଥିବା ବା କାନରେ ଶୁଣୁଥିବା ପ୍ରତିଟି କଥା ଯେ ସତ୍ୟ ହୋଇଥିବ, ତାହା ନିର୍ଦ୍ଦିଷ୍ଟ ଭାବେ କହିହେବନାହିଁ । ତେଣୁ ଆମେ ଘଟଣାଟିକୁ ଦେଖି ବା କାହାଠାରୁ ଶୁଣି ତାହାକୁ ତର୍ଜମା ନକରି ହଠାତ୍ ମତାମତ ପ୍ରଦାନ କରିଦେଉ । ମାତ୍ର ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଯଦି ଆମ ମତାମତ ଭୁଲ୍ ହାଇଥାଏ ତେବେ ଆମକୁ ପଶ୍ଚାତାପ କରିବାକୁ ପଡ଼ିଥାଏ । କ୍ଷମା ମାଗିବାକୁ ଓ ଭୁଲ୍ ସ୍ୱୀକାର କରିବାକୁ ପଡ଼ିଥାଏ । ତେଣୁ ଏଭଳି ଦୟନୀୟ ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଆମକୁ ସାବଧାନୀ ଓ ସତର୍କତାର ସହ କଥା କହିବା ଉଚିତ । ଏହି ପ୍ରସଙ୍ଗରେ ଗୋଟିଏ ଘଟଣାର ଅବତାରଣା କରାଯାଇପାରେ । ପ୍ରଖ୍ୟାତ ବିଦ୍ୱାନ ଲିଓ ଟଲଷ୍ଟୟଙ୍କ ଜୀବନର କଥା । ଥରେ ସେ ନିଜ ଜନ୍ମସ୍ଥାନ ତୁଲା ରେଳଷ୍ଟେସନରେ ଜଣେ ବନ୍ଧୁଙ୍କ ଅପେକ୍ଷାରେ ଠିଆ ହୋଇଥାନ୍ତି ।
ଏହି ସମୟରେ ଆଉ ଏକ ଟ୍ରେନ ଷ୍ଟେସନରେ ଅଟକିଲା ଓ ଜଣେ ମହିଳା ତାଙ୍କର କିଛି ବ୍ୟାଗ ଧରି ଟ୍ରେନ୍ରୁ ଓହ୍ଲାଇଲେ । ସବୁତକ ବ୍ୟାଗ ଧରି ଟ୍ୟାକ୍ସି ନିକଟକୁ ଯିବାକୁ ସେ ସକ୍ଷମ ନଥିବାରୁ କୁଲିମାନଙ୍କୁ ନଜର ପକାଇଲେ । ଅନତି ଦୂରରେ ଅତି ସାଧାରଣ ପୋଷାକ ପିନ୍ଧି ଠିଆ ହୋଇଥିଲେ ଟଲଷ୍ଟୟ । ଭଦ୍ର ମହିଳା ଜଣକ ଟଲଷ୍ଟୟଙ୍କୁ ତାଙ୍କ ବେଶ ପୋଷାକରୁ କୁଲି ଭାବିନେଲେ ଓ ବ୍ୟାଗତକ ଟ୍ୟାକ୍ସି ନିକଟକୁ ନେଇଯିବାକୁ ଅନୁରୋଧ କଲେ । ଟଲଷ୍ଟୟ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ମହିଳାଙ୍କ ବ୍ୟାଗ ଧରି ଟ୍ୟାକ୍ସି ନିକଟରେ ପହଞ୍ଚାଇ ଦେଲେ । ମହିଳା ଟଲଷ୍ଟୟଙ୍କୁ କିଛି ପାରିଶ୍ରମିକ ଦେଲେ ଓ ବିନା ସଙ୍କୋଚରେ ଟଲଷ୍ଟୟ ପାରିଶ୍ରମିକ ବି ଗ୍ରହଣ କରିନେଲେ । ଠିକ୍ ଏହି ସମୟରେ କିଛି ଯୁବକ ଟଲଷ୍ଟୟଙ୍କୁ ଚିହ୍ନିପାରି ତାଙ୍କୁ ସମ୍ମାନ ସହ ଅଭିବାଦନ ଜଣାଇଲେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ଲାଗିଗଲେ ।
ଭଦ୍ର ମହିଳା ଏସବୁ ଦେଖି ଆଶ୍ଚର୍ଯ୍ୟଚକିତ ହେବା ସହ ଯେତେବେଳେ ଜାଣିଲେ ଯେ ସେ ଟଲଷ୍ଟୟଙ୍କୁ କୁଲି ଭାବି ନିଜର ବ୍ୟାଗ ବୁହାଇଛନ୍ତି ଓ ପାରିଶ୍ରମିକ ଦେଇଛନ୍ତି, ଲଜ୍ଜାରେ ତାଙ୍କର ମୁଣ୍ଡ ନଇଁଗଲା । ସେ ତତ୍କ୍ଷଣାତ ଟଲଷ୍ଟୟଙ୍କ ନିକଟକୁ ଯାଇ କ୍ଷମା ମାଗିଲେ ଓ ପାରିଶ୍ରମିକ ଅର୍ଥ ଫେରାଇ ଦେବାକୁ ଅନୁରୋଧ କରିଥିଲେ । ମାତ୍ର ଟଲଷ୍ଟୟ ପାଇଥିବା ପାରିଶ୍ରମିକ ଅର୍ଥ ତାଙ୍କର ଶ୍ରମର ମୂଲ୍ୟ କହି ଫେରାଇନଥିଲେ ଓ ଭଦ୍ର ମହିଳାଙ୍କୁ ହସି ହସି ଏଥିରେ କ୍ଷମା ମାଗିବାର ଅବଶ୍ୟକତା ନାହିଁ ବୋଲି କହିଥିଲେ । ଯାହା ଆମକୁ ଦେଖାଯାଇଥାଏ, ତାହାକୁ ନେଇ ଆମେ ଭାବୁଥିବା କଥା ସବୁବେଳେ ଠିକ୍ ନଥାଏ । ବେଳେବେଳେ ଏଭଳି ପରିସ୍ଥିତି ପାଇଁ ନିଜକୁ ଲଜ୍ଜିତ ହେବାକୁ ପଡ଼ିଥାଏ । ଥରେ ଜଣେ ସାଧୁବ୍ୟକ୍ତି ସମୁଦ୍ରକୂଳରେ ପ୍ରାତଃଭ୍ରମଣ କରୁଥାନ୍ତି । ଅନତି ଦୂରରେ ଦେଖିଲେ ଜଣେ ମହିଳାଙ୍କ କୋଳରେ ମୁଣ୍ଡ ରଖି ଜଣେ ଯୁବକ ଶୋଇଛନ୍ତି । ସେମାନଙ୍କ ନିକଟରେ ଗୋଟିଏ ମଦ ବୋତଲ ବି ଥୁଆ ହୋଇଛି । ଏହା ଦେଖିକରି ସାଧୁବ୍ୟକ୍ତିଙ୍କ ମନରେ ଦୁଃଖ ଆସିଲା । ସେ ଭାବିଲେ ଏ ଲୋକଟି କେତେ ତାମସିକ ଓ ବିଳାସପ୍ରିୟ ଅଟନ୍ତି, ଯିଏକି ପ୍ରାତଃକାଳରେ ମଦ ସେବନ କରି ଜଣେ ମହିଳାଙ୍କ କୋଳରେ ମୁଣ୍ଡ ରଖି ପ୍ରେମାଳାପ କରୁଛନ୍ତି । ଏହି କଥା ମନରେ ଭାବି ଭାବି ଯାଉଥିବାବେଳେ ହଠାତ ବଞ୍ଚାଓ ବଞ୍ଚାଓ ଶବ୍ଦ ଶୁଣି ସାଧୁ ପଛକୁ ଫେରି ଦେଖନ୍ତି ତ ଜଣେ ଯୁବକ ସମୁଦ୍ରରେ ବୁଡ଼ି ଯାଉଛନ୍ତି ଓ ପ୍ରାଣରକ୍ଷା ପାଇଁ ଚିତ୍କାର କରୁଛନ୍ତି । ସାଧୁଙ୍କୁ ପହଁରିବା ଜଣାନଥିଲା । ତେଣୁ ସେ କେବଳ ଲୋକଟି ପାଣିରେ ବୁଡ଼ିଯିବାର ଦୃଶ୍ୟକୁ ଦେଖୁଥିଲେ ବି କିଛି କରିପାରୁନଥିଲେ ।
ତତ୍କ୍ଷଣାତ୍ ମହିଳାଙ୍କ କୋଳରେ ମୁଣ୍ଡରଖି ଶୋଇଥିବା ଯୁବକ ଜଣକ ସମୁଦ୍ରକୁ ଲମ୍ଫ ପ୍ରଦାନ କରି ବୁଡ଼ିଯାଉଥିବା ଯୁବକକୁ ପାଣିରୁ କୂଳକୁ ଉଦ୍ଧାର କରି ଆଣିଲେ । ସାଧୁ ମନେ ମନେ ନିଜକୁ ଧିକ୍କାର କରିବାକୁ ଲାଗିଲେ "କେତେ ବଡ଼ ପାପୀ ମୁଁ । ଯାହା ଦେଖିଲି ତାହାକୁ ଭୁଲ୍ ବିଚାର କରି ମୁଁ ଯେଉଁ ଯୁବକଙ୍କୁ କିଛି ସମୟ ପୂର୍ବରୁ ତାମସିକ ଓ ବିଳାସପ୍ରିୟ ବୋଲି ନିନ୍ଦା କରୁଥିଲି, ସେହି ଯୁବକ ଜଣେ ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଦେଲେ’ । ସାଧୁ ନିଜକୁ ଆଉ ରୋକିପାରିଲେ ନାହିଁ । ତତ୍କ୍ଷଣାତ୍ ସେହି ଯୁବକଙ୍କ ନିକଟକୁ ଯାଇ ତାଙ୍କର ପରିଚୟ ଜିଜ୍ଞାସା କଲେ । ଯୁବକ କହିଲେ, ସେ ଜଣେ ମତ୍ସ୍ୟଜୀବୀ । ସମୁଦ୍ର ଭିତରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି । କିଛିଦିନ ହେବ ସେ ସମୁଦ୍ରରେ ରହି ମାଛ ଧରି ଆଜି ସକାଳୁ ସକାଳୁ ଫେରୁଛନ୍ତି । ପୁଅକୁ ନେବା ପାଇଁ ତାଙ୍କର ମା’ ସମୁଦ୍ରକୂଳକୁ ଆସିଥିଲେ । ସକାଳୁ ସକାଳୁ ଥକ୍କାପଣ ଯୋଗୁଁ ନିଦ ଆସିଯାଇଥିଲା । ତେଣୁ ସେ ମା’ଙ୍କ କୋଳରେ କିଛି ସମୟ ଶୋଇ ପଡ଼ିଥିଲେ । ଯୁବକଙ୍କ ଚିତ୍କାର ଶୁଣି ତାଙ୍କର ନିଦ ଭାଙ୍ଗିଗଲା ଓ ସେ ବୁଡ଼ି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ । ପାଖରେ ଥୁଆ ହୋଇଥିବା ମଦ ବୋତଲ ସମ୍ପର୍କରେ ଯେତେବେଳେ ସାଧୁ ପଚାରିଲେ ସେତେବେଳେ ଯୁବକ ହସି ହସି କହିଲେ ଯେ, ତାଙ୍କର ମା’ ଅନ୍ୟ କୌଣସି ପାତ୍ର ନପାଇବାରୁ ମଦ ବୋତଲରେ ପିଇବା ପାଣି ନେଇ ଆସିଥିଲେ । ଏକଥା ଶୁଣି ସାଧୁଙ୍କ ଆଖିରେ ଅଶ୍ରୁ ଆସିଗଲା । ମନେ ମନେ ଭାବିଲେ, ଯାହା ତାଙ୍କର ଆଖିକୁ ଦେଖାଗଲା ତାହାର ସତ୍ୟାସତ୍ୟ ନଜାଣି ଅସତ୍ୟ ବିଚାର କରିବା ତାଙ୍କର ଭୁଲ୍ ଥିଲା ।
ଏହି ଭଳି ଅନେକ ଛୋଟ ଛୋଟ ଘଟଣା ସମ୍ପର୍କରେ ଆମେ ନବୁଝି ନଶୁଝି ମନରେ ଭୁଲ୍ ଧାରଣ ସୃଷ୍ଟି କରିଦେଉ ଓ ଅପପ୍ରଚାର କରିଥାଉ । ଏଥିପାଇଁ ସାମାଜିକ ଜୀବନରେ ଅନେକ ବାଧାବିଘ୍ନ ଆସିଥାଏ । ଅନେକଙ୍କ ମନରେ ଦୁଃଖ ଦେଇଥାଉ ଓ ଏହାଦ୍ୱାରା ଆମର ସୁସମ୍ପର୍କ ଓ ସୁସମ୍ବନ୍ଧ ଦୁର୍ବଳ ହୋଇଯାଏ । କାହା ପ୍ରତି କୌଣସି ଧାରଣା ସୃଷ୍ଟି କରିବା ପୂର୍ବରୁ ଶହେଥର ଚିନ୍ତା କରିବା ଉଚିତ । କାରଣ ଆମର ଆଖି ଧୋକା ଖାଇପାରେ ।