ନୂଆଦିଲ୍ଲୀ, ୧୩/୧୨: ମହାକୁମ୍ଭ ମେଳା ପାଇଁ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏନେଇ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତ କରିବେ ମୋଦି । ଏଥି ସହିତ ପ୍ରାୟ ୫,୫୦୦ କୋଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ତେବେ ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ସଙ୍ଗମ ସ୍ଥଳରେ କରିବେ ପୂଜାର୍ଚ୍ଚନା। ଏହା ପରେ ପରେ ଅକ୍ଷୟ ବଟ ବୃକ୍ଷ ମୂଳରେ ପୂଜା କରିବା ସହ ହନୁମାନ ମନ୍ଦିର ଓ ସରସ୍ୱତୀ କୂଅକୁ ଯାଇ ପୂଜା କରିବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ସେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରି ପ୍ରୟାଗରାଜରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପିଏମ୍ ମୋଦି । ପ୍ରାୟ ୫,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଲୋକାର୍ପଣ କରିବେ । ସେହିପରି ୨୦୨୫ରେ ହେବାକୁ ଥିବା ମହାକୁମ୍ଭର ବିଭିନ୍ନ ପ୍ରକଳ୍ପ, ରେଳ ଓ ସଡ଼କ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ପ୍ରୟାଗରାଜବାସୀଙ୍କ ପାଇଁ ୧୦ଟି ନୂତନ ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ବିଭିନ୍ନ ସଡ଼କର କରିବେ ଉଦଘାଟନ । ଏହା ସହିତ ପ୍ରଧାନମନ୍ତ୍ରୀ କୁମ୍ଭ "ସହାୟକ' ଚାଟ୍ବଟ୍ର ମଧ୍ୟ ଶୁଭାରମ୍ଭ କରିବେ । ତେବେ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଥିବା ମହାକୁମ୍ଭ ମେଳା ଆସନ୍ତା ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚ଼ାଲିବ ।