ମଥୁରା,୨୪/୦୫: ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଭିତରେ ମଥୁରାରେ ମିଳିଛି ‘ମେଡ୍ ଇନ୍ ପାକିସ୍ତାନ’ ପଙ୍ଖା । ଏହି ପଙ୍ଖା ଏବେ ସ୍ଥାନୀୟ ଲୋକ ଓ ପ୍ରଶାସନ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ସାଧୁ ବେଶରେ ଜଣେ ମହିଳା ସାଙ୍ଗରେ ଏକ ପଙ୍ଖା ଆଣିଥିଲେ । ପଙ୍ଖାଟି ଅଚଳ ହୋଇଥିବାରୁ ତାକୁ ସଜାଡ଼ିବାକୁ ଦୋକାନୀକୁ ଦେଇଥିଲେ । ଦୋକାନୀ ପଙ୍ଖା ଦେଖି ଭୟଭୀତ ହୋଇଗଲେ । କାରଣ ପଙ୍ଖାରେ ସ୍ପଷ୍ଟ ଭାବେ ଲେଖାଥିଲା ‘ମେଡ୍ ଇନ୍ ପାକିସ୍ତାନ’ । ଦୋକାନୀ ପଙ୍ଖା ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଦେଲେ । ଏହା ପରେ ପୁଲିସ ମଧ୍ୟ ମାମଲାର ଯାଞ୍ଚ୍ ଆରମ୍ଭ କରିଛି ।
ଦୋକାନୀ ପୁଲିସକୁ ପଙ୍ଖା ବିଷୟରେ କହିଲେ, କିନ୍ତୁ ମହିଳାଙ୍କ ବିଷୟରେ ପୁଲିସକୁ ଅଦ୍ୟାବଧି କିଛି ସୂଚନା ମିଳିପାରିନି । ପୁଲିସ ଏବେ ମହିଳାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି । ମାମଲାଟି ମଥୁରାର ଗୋବର୍ଦ୍ଧନ ଥାନା କ୍ଷେତ୍ରର ରାଧା କୁଣ୍ଡ ଛକ ନିକଟସ୍ଥ ପରିକ୍ରମା ମାର୍ଗର।