ପ୍ରମୂଖ ଖବର
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଭାରତର ୨୦ଟି ସହରରେ ପାକିସ୍ତାନର ଡ୍ରୋନ୍ ଆକ୍ରମଣ; ଜାମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ତୀବ୍ର ଉତ୍ତେଜନା

Published By : Bijay Swain | May 10, 2025 12:46 AM

ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ଭାରତର ଜାମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟର ୨୪ଟି ସହରକୁ ଲକ୍ଷ୍ୟ କରି ଶହ ଶହ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ପ୍ରୟାସ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ଆକ୍ରମଣକୁ ସଫଳତାର ସହ ବିଫଳ କରିଛି। ଏହି ଘଟଣା ମଇ ୮ ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ଘଟିଥିବା ସୂଚନା ମିଳିଛି।

ପାକିସ୍ତାନ ପକ୍ଷରୁ ପ୍ରାୟ ୫୦୦ ଡ୍ରୋନ୍ ଏବଂ ମିସାଇଲ୍ ଜାମ୍ମୁ, ସମ୍ବା, ରାଜୌରୀ, ପଠାନକୋଟ, ଅମୃତସର, ଜୈସଲମେର, ବାରମେର ଏବଂ ଭୁଜ ଆଦି ସ୍ଥାନକୁ ଲକ୍ଷ୍ୟ କରି ପଠାଯାଇଥିଲା। ଭାରତୀୟ ସେନାର ଏସ-୪୦୦, ଆକାଶ ଏବଂ ଏଲ-୭୦ ପ୍ରତିରକ୍ଷା ବ୍ୟବସ୍ଥା ସମସ୍ତ ଡ୍ରୋନ୍ ଓ ମିସାଇଲକୁ ଧ୍ୱଂସ କରିଛି। ଜାମ୍ମୁରେ ୨ଟି ଡ୍ରୋନ୍ ଜାମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ଓ ଅନ୍ୟ ସ୍ଥାନ ମାନଙ୍କରେ ୫୦ରୁ ଅଧିକ ଡ୍ରୋନ୍ ନଷ୍ଟ କରାଯାଇଛି।

ଭାରତୀୟ ବାୟୁସେନା ଏହି ଆକ୍ରମଣକୁ ‘ହମାସ-ଶୈଳୀ’ ଆକ୍ରମଣ ବୋଲି ଅଭିହିତ କରିଛି। କାରଣ ହମାସର ଆତଙ୍କୀ ସଂଗଠନ ମାନେ ଏକା ସହିତ ଅନେକ ସଂଖ୍ୟାରେ ଡ୍ରୋନ ନିକ୍ଷେପ କରିଥାନ୍ତି। ଯାହା ଫଳରେ ଡ୍ରୋନର ମାରକ କ୍ଷମତା ବଢିଯାଇଥାଏ। ଜାମ୍ମୁ ବିମାନବନ୍ଦରକୁ ମଧ୍ୟ ଏକ ଡ୍ରୋନ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ଏହାକୁ ସଫଳତାର ସହ ରୋକାଯାଇଛି।

ଜାମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ସେହିପରି ଶ୍ରୀନଗର, ଅମୃତସର ଓ ଚଣ୍ଡିଗଡ଼ରେ ମଧ୍ୟ ଘନଘନ ସାଇରନ୍ ବାଜୁଛି। ପଞ୍ଜାବର ଫେରୋଜପୁରରେ ଏକ ଡ୍ରୋନ୍ ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ନେଇ ଖବର ରହିଛି। ସେହିଭଳି ଉରିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଆବଦୁଲ୍ଲା ଜାମ୍ମୁରେ ପରିସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ଏବଂ ଲୋକମାନଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି।

ଏହି ଆକ୍ରମଣ ଭାରତର ‘ଅପରେସନ୍ ସିନ୍ଦୁର’ ପରେ ଘଟିଛି, ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା। ଏହି କାର୍ଯ୍ୟନୁଷ୍ଟାନ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ନିଆଯାଇଥିଲା। ଯେଉଁଥିରେ ୨୬ ଜଣ ନିହତ ହୋଇଥିଲେ।

ଆମେରିକା, ରୁଷିଆ ଓ ଚୀନ ଉଭୟ ଦେଶକୁ ଶାନ୍ତି ରକ୍ଷା କରିବାକୁ ଆହ୍ୱାନ କରିଛନ୍ତି। ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏହାକୁ ‘ଆମେରିକାର ବ୍ୟାପାର ନୁହେ’ ବୋଲି କହିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର କହିଛନ୍ତି ଯେ, ସେମାନେ ‘ଆତ୍ମରକ୍ଷା’ ପାଇଁ ଏହି ପ୍ରତିକ୍ରିୟା ଦେଇଛନ୍ତି। କିନ୍ତୁ ଭାରତ ଏହାକୁ ‘ଅନାବଶ୍ୟକ ଆକ୍ରମଣ’ ବୋଲି ଅଭିଯୋଗ କରିଛି।

ପଞ୍ଜାବ, ଜାମ୍ମୁ-କାଶ୍ମୀର ଓ ରାଜସ୍ଥାନରେ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିଛି। ଆଇପିଏଲ ୨୦୨୫ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ସେନା ପକ୍ଷରୁ ଜାମ୍ମୁ-କାଶ୍ମୀର ଓ ପଞ୍ଜାବର ସୀମାନ୍ତ ଗାଁଗୁଡ଼ିକରେ ଉଚ୍ଚ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ସନ୍ଦେହଜନକ ବସ୍ତୁ ଦେଖିଲେ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି। ଏହାସହ ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ଏବଂ ଗୁଜରାଟର କଚ୍ଛ ଓ ବନାସକାଣ୍ଠାରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଛି।

ଏହି ଘଟଣା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଭାରତୀୟ ସେନା ଉଚ୍ଚ ସତର୍କତାରେ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଜଣାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.