ଜୁନାଗଡ଼, ୧୬।୬ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ରେଳ ଷ୍ଟେସନ ତଥା ଓରିଆନ ହୋଟେଲ ଟ୍ରାଫିକ ଛକରେ ଏକ ଟ୍ରକ ଧକ୍କା ରେ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି l ମୃତ ବାଇକ ଆରୋହୀ ଜଣକ ଜୁନାଗଡ଼ ଥାନା ଅନ୍ତର୍ଗତ ଏକନା ଗୁଡା ଗ୍ରାମର ଜଗଦୀଶ ଧଙ୍ଗଡାମାଝୀ।
୨୬ ନଂ ଜାତୀୟ ରାଜପଥରେ ଏକ ଟ୍ରକ ଜୁନାଗଡ଼ରୁ ଭବାନୀପାଟଣା ପଟକୁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଅଟୋ ଓ ଅଟୋ ପଛ ପଟେ ଥିବା ୨ ଟି ବାଇକ କୁ ଧକ୍କା ଦେଇଥିଲା। ଜଣେ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା l ଅନ୍ୟ ଜଣେ ବାଇକ ଆରୋହୀ ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଳ ଗ୍ରାମର ରାଜକୁମାର ମେହେରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି lଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅଟୋ ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଅନ୍ୟ ପକ୍ଷରେ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ଦୁର୍ଘଟଣା ଘଟେଇଥିବା ଟ୍ରକକୁ ଜବତ କରିଛି l ଟ୍ରକଟି ଜୁନାଗଡ଼ର ହୋଇଥିବା ଜଣାପଡିଛି l ଶବ ବ୍ୟବଛେଦ ହେଲା ପରେ ଜୁନାଗଡ଼ ପୋଲିସ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲେ। ଏହା ପରେ ପରିବାର ଲୋକେ ଶବକୁ ଧରି ଜୁନାଗଡ଼ ଥାନା ସମ୍ମୁଖରେ କ୍ଷତି ପୂରଣ ଦାବୀ ରେ ଜାତୀୟ ରାଜପଥରେ ରାସ୍ତା ରୋକ କରିଛନ୍ତି l ଟ୍ରକ ମାଲିକକୁ କ୍ଷତି ପୂରଣ ଦେବା ପାଇଁ ଜିଦ ଧରିଛନ୍ତି l ଜାତୀୟ ରାଜ ପଥ ଅବରୋଧ ଯୋଗୁଁ ଅନେକ ଯାତ୍ରୀ ହଇରାଣ ହେଉଛନ୍ତି ପୋଲିସ ବୁଝା ସୁଝା ଜାରି ରଖିଛି l