କେସିଙ୍ଗା,୧୬/୬(ଆପ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାପୀଠ ପରିସରରେ କେସିଙ୍ଗା ସିଟିଜେନ ଫୋରମ୍ ର ମାସିକ ସାଧାରଣ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ସଭାପତି ଡ଼ା.ହେମସାଗର ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ବି.ଚନ୍ଦ୍ରଶେଖର ଆଚାରୀ ପୂର୍ବ ବୈଠକର ବିବରଣୀ ଉପରେ ସୂଚନା ଦେଇଥିଲେ । ଗତ ଏପ୍ରିଲ୍ ମାସ ୨୦ ତାରିଖରେ ହୋଇଥିବା ସିଟିଜେନ ଫୋରମ୍ ର ମାସିକ ବୈଠକରେ ସ୍ୱତନ୍ତ୍ର ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବେରକୋଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ କେସିଙ୍ଗା ଅଞ୍ଚଳର ପ୍ରମୁଖ ସମସ୍ୟା ଯଥା ଟ୍ରାଫିକ ସୁଧାର, ସହରରେ ଚୋରି ଘଟଣା ବୃଦ୍ଧି ପାଇବା, କେସିଙ୍ଗା-ଟିଟିଲାଗଡ ରାସ୍ତାରେ ପୁଲିସ ଆଉଟ ପୋଷ୍ଟ ସ୍ଥାପନ ଏବଂ ସହରର ବିଭିନ୍ନ ଗଳିକନ୍ଦିରେ ବେଆଇନ ମଦ କୋଠୀ ଉପରେ ପ୍ରଶାସନର ସ୍ୱତନ୍ତ୍ର ଦୃଷ୍ଟି ଉପରେ ଆଲୋଚନା କରାଯାଇଥିଲା ।
କେସିଙ୍ଗା ସିଟିଜେନ ଫୋରମ୍ ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇ ଦାବି ଗୁଡ଼ିକ ଉପରେ ପଦକ୍ଷେପ ନେବାକୁ ନିବେଦନ କରାଯାଇଥିଲା । ହେଲେ ତାହାର କୈାଣସି ପଦକ୍ଷେପ ପୁଲିସ ପ୍ରଶାସନ ତରଫରୁ ନିଆଯାଇ ନାହିଁ ବୋଲି ଅଭିଯୋଗ କରାଯାଇଛି ଏବଂ ରବିବାର ଦିନ ହୋଇଥିବା ସିଟିଜେନ ଫୋରମ୍ ବୈଠକରେ ପୁଲିସ ପ୍ରଶାସନ ଉପରେ ଉଦବେଗ ପ୍ରକାଶ ପାଇଛି । କେସିଙ୍ଗା ସହରର ଜନବସତି ଅଞ୍ଚଳରେ ବ୍ୟବସାୟୀ ମାନଙ୍କ ଗୋଦାମ ଉପରେ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସହରରେ ସିସି ଟିଭି କ୍ୟାମେରା ଏବଂ କେସିଙ୍ଗା ସହରାଞ୍ଚଳବାସୀଙ୍କ ପାଇଁ ୨୪ ଘଣ୍ଟିଆ ଜଳ ଯୋଗାଣରେ ଅବ୍ୟବସ୍ଥା ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ସେହିପରି କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଫୋରମ୍ ପକ୍ଷରୁ ଅନେକ ଗୁଡ଼ିଏ ଦାବି ଉପସ୍ଥାପନ କରାଯାଇଛି। ଗତ ୨୦୧୦ ମସିହାରୁ ଆଜକୁ ଦୀର୍ଘ ୧୫ ବର୍ଷ ହେଲା ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡ଼ିଥିବା ବିଷୟ ଓ କେସିଙ୍ଗା ସରକାରୀ ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ପ୍ରସବ ବୃଦ୍ଧି ସଂଖ୍ୟାକୁ ଦେଖି ୨ ଜଣ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୁକ୍ତି, କର୍ପସ ଫଣ୍ଡ ଅନୁଦାନରେ ଜନୈକ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇଛନ୍ତି ତା ବଦଳରେ ସରକାରଙ୍କ ଠାରୁ ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ରେଡ଼ିଓ ଡାଇଗ୍ନୋଷ୍ଟିକ ବିଶେଷଜ୍ଞ ନିଯୁକ୍ତି, ବ୍ଲଡ଼ ଷ୍ଟୋରେଜ ୟୁନିଟ୍, ନିଦାନ ଯୋଜନା ମାଧ୍ୟମରେ ରକ୍ତ ସଂଗ୍ରହ କେନ୍ଦ୍ର, ରୋଗୀ ସଂଖ୍ୟା ବୃଦ୍ଧିକୁ ଦେଖି ଶଯ୍ୟା ସଂଖ୍ୟା ବୃଦ୍ଧି ପ୍ରମୁଖ ଦାବି ଉପରେ ଏକ ସ୍ମାରକପତ୍ର ଫୋରମ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସେହିପରି ବାଲସି, ପରଲସିଙ୍ଗା ଓ ସିରୋଲ ପଞ୍ଚାୟତ ଅଞ୍ଚଳରେ ପାନୀୟ ଜଳଯୋଗାଣ ସୁବିଧା ନିମନ୍ତେ ଏକ ବୃହତ ମେଗା ପ୍ରକଳ୍ପ ସ୍ଥାପନ ପାଇଁ ବୈଠକରେ ସ୍ୱତନ୍ତ୍ର ଭାବେ ପ୍ରସ୍ତାବ ଆଗତ କରାଯାଇଥିଲା । ସିଟିଜେନ ଫୋରମ୍ ର ସଦସ୍ୟ ହରିଶଙ୍କର ଭୋଇ, ରଞ୍ଜନ କୁମାର ପଣ୍ଡା, ରମେଶ କୁମାର ଜେନା, ବି.ମୁରଲୀଧର ଆଚାରୀ, ଉମାଶଙ୍କର ସାହୁ, ବୈଷ୍ଣବ ଚରଣ ସାହା, ହରିଶଙ୍କର ପଟେଲ, ବିଦ୍ୟାଧର ସାହୁ, ସାମ୍ବାଦିକ ଡମ୍ବରୁଧର ଭୋଇ, ଗଜିନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ସିଟିଜେନ ଫୋରମ୍ ର ଅନେକ ସଦସ୍ୟ ବୈଠକରେ ଉପସ୍ଥିତ ରହିଥିଲେ। ଶେଷରେ ସିଟିଜେନ ଫୋରମ୍ ର ଉପ ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ବିନୟ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।