ଭୁବନେଶ୍ବର: କ୍ରୀଡା ଏବଂ ଯୁବସେବା ପାଇଁ ୧୩୧୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏଥିରେ କାର୍ଯ୍ୟକ୍ରମ ବଜେଟ ଅଧୀନରେ ୧ ହଜାର ୨ ଶହ ୧୦ କୋଟି ଟଙ୍କା ଅନ୍ତର୍ଭୁକ୍ତ । କ୍ରୀଡାର ପ୍ରୋତ୍ସାହନ ପାଇଁ ବିଜେପି ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କ୍ରୀଡା ନୀତି ଆରମ୍ଭ କରିବେ । ଏଥିପାଇଁ ତୃଣମୁଳ ସ୍ତରରେ କ୍ରୀଡାର ବିକାଶ ଓ ମିନି ଷ୍ଟାଡିୟମ ଗୁଡିକୁ ସକ୍ରିୟ କରିବା, ଜିଲ୍ଲାସ୍ତରୀୟ କ୍ରୀଡା ଏକେଡେମି ପ୍ରତିଷ୍ଠା, ପ୍ରତ୍ୟକ ଜିଲ୍ଲାର ଲୋକପ୍ରିୟ କ୍ରୀଡାକୁ ପ୍ରୋତ୍ସାହିତ କରିବା, ରାଜ୍ୟର ୪ଟି ଜୋନରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା, ଭୁବନେଶ୍ବରରେ କ୍ରୀଡା ଭିତ୍ତିଭୁମି ସହ ଏକ ନୂତନ ଷ୍ଟାଡିୟମ ନିର୍ମାଣ ପାଇଁ ୯ ଶହ ୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।ଏତଦ ବ୍ୟତୀତ ଯୁବବର୍ଗର ସମନ୍ବିତ ବିକାଶ ପାଇଁ ଏକ ନୂତନ ଯୋଜନା ‘ଯୁବଶକ୍ତି’ ଅଧୀନରେ ୧ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସମଗ୍ର ରାଜ୍ୟରେ ବ୍ୟାପକ ପ୍ରତିଭା ଚିହ୍ନଟ ଏବଂ ଆର୍ଥିକ ସହାୟତା ମାଧ୍ୟମରେ ଯୁବ ମେଧାବୀ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖେଳ ରତ୍ନ ଖୋଜା ଅଭିଯାନ ଆରମ୍ଭ ହେବ ।