କଟକ ୧୫/୧୨: ଓଡ଼ିଆ, ହିନ୍ଦୀ ଓ ତେଲୁଗୁ - ଏ ତିନି ଭାଷାରେ ପ୍ରେକ୍ଷାଳୟକୁ ଆସିବ ଓଡ଼ିଆ ସିନେମା ‘ପରବ’ । ହଲ୍ ରିଲିଜ ପରେ ଏହା ଓଟିଟିରେ ମଧ୍ୟ ଆସିବ, ଯାହାକୁ ନେଇ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡିଓ ପାନୋରମା ଷ୍ଟୁଡ଼ିଓ ସହ ହାତ ମିଳାଇଛନ୍ତି ନିର୍ମାତା ଦୀପେନ୍ଦ୍ର ସାମଲ। ସାରା ଦେଶରେ ୨୦୦ ସ୍କ୍ରିନରେ ଫିଲ୍ମ ରିଲିଜ ହେବ ବୋଲି କହିଛନ୍ତି ସେ । ଏହା ଦ୍ୱାରା ବର୍ତ୍ତମାନ ପାନ ଇଣ୍ଡିଆରେ ଓଡ଼ିଆ ଚଳଚ୍ଚିତ୍ରକୁ ସ୍ୱୀକୃତି ମିଳିବା ନେଇ ଆଶାବ୍ୟକ୍ତ କରିଛନ୍ତି ନିର୍ମାତା ।
ସେ କହିଛନ୍ତି, ‘ଆମର ଯାହା ଯୋଜନା ଥିଲା ଯେ ‘ପରବ’କୁ ଆମେ ସେହି ସ୍ତରରେ ପହଞ୍ଚାଇବୁ । ସେ ନେଇ ଆମେ ଗୋଟିଏ ପାଦ ଆଗେଇଛୁ । ଆମେ ଚାହୁଁଛୁ ଡିସେମ୍ବର ୨୦ରେ ‘ପରବ’କୁ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଏକାସାଙ୍ଗେ ରିଲିଜ କରିବୁ ।’ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ । ଏ ଦୁଇ କଳାକାରଙ୍କ ସହିତ ଦୀପନ୍ୱିତ, ସୂର୍ଯ୍ୟମୟୀ, ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମାଣାଧୀନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାସ । ଏହାର ପ୍ରଚାର ପ୍ରସାର ସହ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ । ‘ପରବ’ ଓଡ଼ିଶାର ସୀମା ବିବାଦ ଓ ସମ୍ବେଦନଶୀଳ ବିଷୟକୁ ଆଧାର କରି ନିର୍ମିତ ହୋଇଛି ।