ଆଧୁନିକ ଯୁକ୍ତ ପାରମ୍ପରିକ । ଭାରତୀୟ କଳା, ସଂସ୍କୃତି ଏବେ ସିଲାବସ୍ରେ ସ୍ଥାନ ପାଇବ । ପରୀକ୍ଷାର ଚାପ ହଟିବ । ଆନନ୍ଦମୟ ଶିକ୍ଷାର ନୂଆ ଧାରାରେ ବାଟ ଚାଲିବେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ । ‘କୁଶଳୀ ଭାରତୀୟ’ ଗଢ଼ିବ ନୂଆ ଶିକ୍ଷାନୀତି ।
ନୂଆ ଢାଞ୍ଚା । ନୂଆ ପଦ୍ଧତି । ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି । ରାଇଜ ବଦଳିବ । ଚଢ଼ିବ ବିକାଶର ସିଡ଼ି । ନୂଆ ପିଢ଼ି ନିର୍ମାଣ କରିବେ ନୂଆ ଭବିଷ୍ୟତ । ଶିକ୍ଷା ବ୍ୟବସ୍ଥାରେ ହେବ ଓଲଟପାଲଟ । ପୁରୁଣାକାଳିଆ ଶିକ୍ଷା ବ୍ୟବସ୍ଥା ପଛକୁ ହଟିବ । ରୂପାନ୍ତରଣ ପାଇଁ ଶିକ୍ଷା ବ୍ୟବସ୍ଥାରେ ଲାଗିବ ସଂସ୍କାରର ନୂଆ ଡେଣା । ନୂଆ ନୀତିରେ ଉଡ଼ାଣ ଧରିବ ଶିକ୍ଷା । ସାକାର ହେବ ବିକଶିତ ଓଡ଼ିଶାର ସ୍ୱପ୍ନ ଓ ସଂକଳ୍ପ । ଓଡ଼ିଶା ପାଇଁ ନୂଆ ଶିକ୍ଷା ନୀତି ହେବ ପରିବର୍ତ୍ତନର ସୂତ୍ରଧର ।
ଚାକିରି ଆଶାୟୀ ନୁହଁ, ଚାକିରି ଦାତା
‘ଯେତେ ପାରୁଛ ସ୍ୱାଧୀନତା ଉପଭୋଗ କର । ନିଜ ପସନ୍ଦର ବିଷୟ ବାଛ । ପରୀକ୍ଷାକୁ ଭୁଲିଯାଅ । ପୋଥିଗତ ଜ୍ଞାନ ବଦଳରେ ଜୀବିକା ନିର୍ବାହ ପାଇଁ କୁଶଳୀ ହୁଅ । ଦକ୍ଷତା ପ୍ରଦର୍ଶନ କର’ । ଏମିତି ମନ୍ତ୍ରୋଚ୍ଚାରଣ କରିଛି ଜାତୀୟ ଶିକ୍ଷା ନୀତି । ଆଧୁନିକ ମିଶାଣ ପାରମ୍ପରିକ । ଭାରତର ପାରମ୍ପରିକ ଜ୍ଞାନ, କଳା, ସଂସ୍କୃତି ଏବେ ସିଲାବସ୍ରେ ସ୍ଥାନ ପାଇବ । ନୂଆ ଢାଞ୍ଚାରେ ଆରମ୍ଭ ହେବ ସ୍କୁଲ ଶିକ୍ଷା । ପରୀକ୍ଷାର ଚାପ ହଟିବ । ଆନନ୍ଦମୟ ଶିକ୍ଷାର ନୂଆ ଧାରାରେ ବାଟ ଚାଲିବେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ । ଜ୍ଞାନ ଆହରଣ ପାଇଁ କାହାର ସ୍ୱାଧୀନତା ଅପହରଣ କରି ନିଆଯିବନି । ପିଲାଙ୍କ ନିଜ ପସନ୍ଦକୁ ମିଳିବ ଅଗ୍ରାଧିକାର । ମାତୃଭାଷାରେ ୫ମ ଶ୍ରେଣୀ ଯାଏ ଶିକ୍ଷା ମିଳିବ । ‘ଭାଷାଭୟ’ରେ ପିଲା ସ୍କୁଲ ଯିବାକୁ କୁନ୍ଥକୁନ୍ଥ ହେବନି । ଗଣିତ, ବିଜ୍ଞାନ, ଇଂରାଜୀରେ ରଖିଥିବା ମାର୍କ କେବଳ ଯୋଗ୍ୟତାର ମାପକାଠି ହେବନି । ରିପୋର୍ଟ କାର୍ଡ ବଦଳରେ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ଦକ୍ଷତା ହେବ ଅଗ୍ରାଧିକାରର ମାପଦଣ୍ଡ ।
ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥା ନୂଆ ଶିକ୍ଷାନୀତିରେ ହୋଇଛି ଓଲଟପାଲଟ । ‘ଚାକିରି ଆଶାୟୀ’ ବଦଳରେ ‘ଚାକିରି ଦାତା’ ଭାବେ ଆମ ନୂଆ ପିଢ଼ିକୁ ଗଢ଼ି ତୋଳିବାକୁ ବହୁ ଗୋଲାପି ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ‘ଉଚ୍ଚଶିକ୍ଷା’ରେ ନୂଆ ଶିକ୍ଷାନୀତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବାକୁ ପ୍ରସ୍ତୁତିକୁ ତେଜିଛି ।
ରାଜ୍ୟରେ ଉଚ୍ଚଶିକ୍ଷାରେ ଆସିବ ବଡ଼ ସଂସ୍କାର । ୩ ବର୍ଷ ନୁହଁ, ସ୍ନାତକ ପାଠ୍ୟକ୍ରମ ଏଣିକି ହେବ ୪ ବର୍ଷିଆ । ଜାତୀୟ ଶିକ୍ଷାନୀତିର ଢାଞ୍ଚାରେ ହେବ ପାଠପଢ଼ା । ୪ ବର୍ଷିଆ ଗ୍ରାଜୁଏସନ ପାଠ୍ୟକ୍ରମରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଓ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ । ଦକ୍ଷତା ବିକାଶ ଓ ଇଣ୍ଟର୍ନସିପ୍କୁ ମିଳିବ ଗୁରୁତ୍ୱ । କମ୍ୟୁନିଟି ସର୍ଭିସ୍ ଓ ଏକ୍ସଟ୍ରା କରିକୁଲାର୍ ଆକ୍ଟିଭିଟି, ଏନ୍ସିସି, ଏନଏସ୍ଏସ୍ ଆଦି ପାଇଁ ମଧ୍ୟ କ୍ରେଡିଟ୍ ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ଏକାଧିକ ଥର ଉଚ୍ଚଶିକ୍ଷା ଅନୁଷ୍ଠାନରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ।
ଡିଗ୍ରୀ ବଦଳରେ ବ୍ୟକ୍ତିତ୍ୱର ହେବ ବିକାଶ । ପରିବାର କିମ୍ବା ସମାଜ କ’ଣ ଚାହୁଁଛି ତାହା ହେବ ଗୌଣ, ପିଲା ନିଜେ କ’ଣ ଚାହୁଁଛି ତାହା ହେବ ମୁଖ୍ୟ । ନିଜ ଇଚ୍ଛାନୁସାରେ ଛାତ୍ରଛାତ୍ରୀ ଗ୍ରାଜୁଏସନ୍ ପଢ଼ିବେ । ଚାହିଁଲେ ୪ ବର୍ଷ ପୂରା ପଢ଼ିବେ, ନଚେତ ଅଧାରୁ ଛାଡ଼ିପାରିବେ । ପରେ ଚାହିଁଲେ ଯେଉଁଠି ପାଠ ଛାଡ଼ିଥିବେ ପୁଣି ସେଇଠୁ ଆରମ୍ଭ କରିପାରିବେ । ଏ ପ୍ରକାର ‘ପ୍ରବେଶ’ ଓ ‘ପ୍ରସ୍ଥାନ’ ଦ୍ୱାରା ଛାତ୍ରଛାତ୍ରୀ ନିଜ ଇଚ୍ଛା ଅନୁସାରେ ଡିଗ୍ରୀ ଧରି କର୍ମସଂସ୍ଥାନକୁ ଯାଇପାରିବେ । କୋର୍ସ ପୂରା କରିବାର ଚାପ ରହିବନି କି ଆତ୍ମବିଶ୍ୱାସ ଦୋହଲିବନି । ସମାଜ ବିଜ୍ଞାନ ସହ ଗଣିତ, ପଦାର୍ଥ ବିଜ୍ଞାନ ସହ ଇତିହାସକୁ ମଧ୍ୟ ଏକାଠି ବାଛିପାରିବେ । ବିଦ୍ୟାର୍ଥୀଙ୍କ ଆଗରେ ରହିବ ପସନ୍ଦର ଲମ୍ବା ତାଲିକା । ୬ ମାସିଆ ସେମିଷ୍ଟର ପରୀକ୍ଷା ବ୍ୟବସ୍ଥା ରହିବ । କେବଳ ପରୀକ୍ଷାର ମାର୍କରେ ରିପୋର୍ଟ କାର୍ଡ ହେବନି । ଛାତ୍ରଛାତ୍ରୀଙ୍କ ୩୬୦ ଡିଗ୍ରୀ ଅନୁଧ୍ୟାନ ପରେ ରିପୋର୍ଟ କାର୍ଡ ତିଆରି ହେବ । ‘ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍’ରେ ଏହା ସଂରକ୍ଷିତ ରହିବ । ଉଚ୍ଚଶିକ୍ଷା ଦେଖିବ ବଡ଼ ପରିବର୍ତ୍ତନ ।
ଧନ୍ଦାମୂଳକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ
ବଡ଼ ଲକ୍ଷ୍ୟ । ବଡ଼ ପରିବର୍ତ୍ତନ । ବିକାଶର ଦୌଡ଼ ପାଇଁ ରୂପାନ୍ତରଣ । ୧୦+୨ ବ୍ୟବସ୍ଥା ନୁହଁ, ଏଣିକି ୫+୩+୩+୪ ଢାଞ୍ଚାରେ ପାଠପଢ଼ା ହେବ । କେନ୍ଦ୍ର ଶିକ୍ଷାନୀତିରେ ପୁରୁଣାକାଳିଆ ନୀତି ହଟିଛି । ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସାବତ ସନ୍ତାନ ଭଳି ଅଣଦେଖା କରାଯିବନି । ୟୁଜିସି ଅନୁଦାନର ସିଂହଭାଗ ସରକାରୀ ବିଶ୍ୱବିଦ୍ୟାଳୟ ପାଉଥିଲା ବେଳେ ଉଚ୍ଚଶିକ୍ଷାରେ ପ୍ରମୁଖ ଭୂମିକା ତୁଲାଉଥିବା ଘରୋଇ ବିଶ୍ୱବିଦ୍ୟାଳୟ କିନ୍ତୁ ଏଥିରୁ ବଞ୍ଚିତ । ଏ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିଛି ନୂଆ ନୀତି । ଏଣିକି ଘରୋଇ ବିଶ୍ୱବିଦ୍ୟାଳୟ ଉଚ୍ଚତର ଗବେଷଣା ସହ ଶିକ୍ଷକ ତାଲିମ୍ ଅନୁଦାନ ପାଇବେ । କ୍ୟାମ୍ପସ୍ରେ ଗବେଷଣାକୁ ଅଧିକ ଉତ୍ସାହିତ କରାଯିବ । ଭଲ ଅଧ୍ୟାପକ, ଭଲ ପିଲା ଉତାରିବେ । ଉଚ୍ଚଶିକ୍ଷା ବିପ୍ଲବ ପାଇଁ ୟୁଜିସି ହେବ ଘରୋଇମୁହାଁ । ଶିକ୍ଷାବିତ୍ଙ୍କ ଯୁକ୍ତି, ଦୀର୍ଘମିଆଦିରେ ଆମ ଉଚ୍ଚଶିକ୍ଷାରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣି ଭାରତକୁ ‘ଶିକ୍ଷାହବ୍’ ଭାବେ ଗଢ଼ି ତୋଳିବ । ବିଶ୍ୱର ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ତାଲିକାରେ ଥିବା ଶିକ୍ଷାନୁଷ୍ଠାନ ଭାରତରେ ଖୋଲିବେ କ୍ୟାମ୍ପସ୍ । ଏହାଦ୍ୱାରା ଆମ ଦେଶର ଯୁବପିଢ଼ି ବିଶ୍ୱର ନାମୀ ବିଶ୍ୱବିଦ୍ୟାଳୟର ଡିଗ୍ରୀ ମଧ୍ୟ ସ୍ୱଳ୍ପ ଖର୍ଚ୍ଚରେ ହାସଲ କରିପାରିବେ । ଏ ନିଷ୍ପତ୍ତି ଆଗକୁ ଶିକ୍ଷା ବ୍ୟବସ୍ଥାରେ ମାଇଲଖୁଣ୍ଟ ହୋଇ ରହିବ ।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବଦଳୁଥିବା ସମୟକୁ ଦୃଷ୍ଟିରେ ରଖି ‘ଲାଇଟ୍ ବଟ୍ ଟାଇଟ୍’ ଫର୍ମୁଲା ଆପଣାଇଛି । ଅଧିକରୁ ଅଧିକ ଘରୋଇ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ଉତ୍ସାହିତ କରିବ । ନୂଆ କ୍ୟାମ୍ପସ୍ ପାଇଁ କଡ଼ା ନୀତି ନିୟମ ବଦଳରେ କୋହଳ ମନୋଭାବ ରହିବ । ଶିକ୍ଷାନୁଷ୍ଠାନ ପରିଚାଳନାରେ ଅଯଥା ହସ୍ତକ୍ଷେପ କରାଯିବନି, ମାତ୍ର କୌଣସି ପରିସ୍ଥିତିରେ ଗୁଣାତ୍ମକ ମାନ ସହ ସାଲିସ୍ ହେବନି । ‘କୁଶଳୀ ଭାରତୀୟ’ ଗଢ଼ିବାକୁ ଉତ୍ସାହିତ କରାଯିବ । ଏହାଦ୍ୱାରା ଏବେ ଉଚ୍ଚଶିକ୍ଷାରେ ମାତ୍ର ୨୬ ପ୍ରତିଶତ ବିଦ୍ୟାର୍ଥୀ ନାମ ଲେଖାଉଥିଲା ବେଳେ ୨୦୩୫ ବେଳକୁ ଏହା ୫୦ ପ୍ରତିଶତ ଛୁଇଁବ । ବ୍ରିଟେନ୍, ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକା ନାମଲେଖା ହାର ସହ ସମାନ ହେବ ଭାରତ ।
ପାଠ ବୋଝ କମ୍ । ଜ୍ଞାନ ବେଶୀ । ପ୍ରଥମ ୫ ବର୍ଷ ପିଲାମାନେ ଖେଳକୁଦ ସହ ପାଠ ପଢ଼ିବେ । ମାତୃଭାଷାକୁ ମିଳିବ ଅଗ୍ରାଧିକାର । ଏହାଦ୍ୱାରା ସହଜ ଓ ସରଳ ଭାବେ ପିଲାମାନେ ପାଠକୁ ବୁଝିପାରିବେ । ୩ ବର୍ଷ ବୟସରୁ ପାଠପଢ଼ା ଆରମ୍ଭ ହେବ । ଷଷ୍ଠ ଶ୍ରେଣୀରୁ ବାଧ୍ୟତାମୂଳକ ହେବ ଧନ୍ଦାମୂଳକ ଶିକ୍ଷା । ସ୍ଥାନୀୟ ଅଞ୍ଚଳର ଚାହିଦା ଅନୁସାରେ ଧନ୍ଦାମୂଳକ ଶିକ୍ଷାକୁ ପିଲା ବାଛିବା ସହ ଏଥିରେ ସ୍ଥାନୀୟ ଅଭିଜ୍ଞ ଲୋକଙ୍କ ନିକଟରେ କରିବେ ଇଣ୍ଟର୍ନସିପ୍ ।
ଭାରତ ହେବ ‘ବିଶ୍ୱଗୁରୁ’
ଆମ ଭବିଷ୍ୟତ ପିଢ଼ି କେବଳ ‘ଡିଗ୍ରୀ’ ଧରି ବୁଲିବେନି, ଦକ୍ଷତା ଓ ଆତ୍ମବିଶ୍ୱାସ ସହ ଆଗକୁ ମାଡ଼ି ଚାଲିବେ । ସବୁଶିକ୍ଷା ହେବ ଅନୁଭୂତିସଂପନ୍ନ । ନିବୁଜ ଶ୍ରେଣୀ କକ୍ଷ ବଦଳରେ ଖୋଲା ପଡ଼ିଆ ଓ ପ୍ରକୃତି ହିଁ ହେବ ଶିକ୍ଷାର ବଡ଼ ଆଧାର । ପାରମ୍ପରିକ ଶିକ୍ଷାପ୍ରଣାଳୀ ବଦଳି ଦକ୍ଷତାଭିତ୍ତିକ ପାଠ୍ୟକ୍ରମ ପ୍ରସ୍ତୁତ ହେବ । ସ୍କୁଲ ବ୍ୟାଗ୍ ଓଜନ ହଟିବ । ଫିଟନେସ୍ ଓ କ୍ରୀଡ଼ାକୁ ସ୍କୁଲରେ ଅଧିକ ଗୁରୁତ୍ୱ ମିଳିବ । ପରୀକ୍ଷାର ମାର୍କ ବଦଳରେ କୁଶଳତା ଓ ଦକ୍ଷତା ହେବ ପ୍ରଥମ ପସନ୍ଦ । ‘ନୂଆ ଭାରତ’ ନିର୍ମାଣ ପାଇଁ ନୂଆ ନୀତିରେ ଅଛି ପ୍ରଚୁର ସମ୍ଭାବନା ।
ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଆଇଆଇଟି ଓ ଏନ୍ଆଇଟିରେ ଭାରତୀୟ କଳା, ସଂସ୍କୃତି ସହ ବୌଦ୍ଧିକ ଶିକ୍ଷା ମଧ୍ୟ ମିଳିବ । ସୁସ୍ଥ ଓ ସନ୍ତୁଳିତ ସମାଜ ଗଠନ ପାଇଁ ମାନବିକତା, ସୌହାର୍ଦ୍ଦ୍ୟ ଭଳି ବିଷୟବସ୍ତୁ ପଢାଯିବ । ଏଲୋପ୍ୟାଥିକ୍ ବିଦ୍ୟାର୍ଥୀମାନେ ଆୟୁର୍ବେଦ, ୟୁନାନି, ସିଦ୍ଧ, ନେଚରପ୍ୟାଥି ମଧ୍ୟ ପଢ଼ିପାରିବେ । ଉଚ୍ଚଶିକ୍ଷାରେ ଆମର ପ୍ରାଚୀନ ଐତିହ୍ୟ, ପ୍ରଥା ଓ ପରମ୍ପରା, ବିବିଧ ଭାଷା, ପର୍ବପର୍ବାଣୀ, ଯୋଗ, ବିବିଧି ପୁରୁଣା ଚିକିତ୍ସା ପଦ୍ଧତି ମଧ୍ୟ ସାମିଲ୍ ହେବ । ଛାତ୍ରଛାତ୍ରୀ ଆମ ପାଣିନି ଓ ପତଞ୍ଜଳିଙ୍କୁ ମଧ୍ୟ ଭଲ ଭାବରେ ପଢ଼ିବେ । ଏ ଭାରତୀୟ ପାରମ୍ପରିକ ଜ୍ଞାନ ଆମ ବିଦ୍ୟାର୍ଥୀଙ୍କ ପାଇଁ ନୂଆ ଦିଗ ଉନ୍ମୁକ୍ତ କରିବ । ସାରା ବିଶ୍ୱରେ ଭାରତୀୟ ଯୁବ ପେସାଦାରଙ୍କ ଚାହିଦା ହେବ ଆକାଶଛୁଆଁ ।
ନୂଆ ଶିକ୍ଷାନୀତି ଆଗରେ ମଧ୍ୟ ରହିଛି ଅନେକ ଚାଲେଞ୍ଜ । ଏ ନୀତିର ସଫଳ କାର୍ଯ୍ୟକାରିତା ପାଇଁ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଅତି ଜରୁରୀ । ତାଲିମପ୍ରାପ୍ତ ମାନବସମ୍ବଳ ନିଯୁକ୍ତି ଓ ଭିତ୍ତିଭୂମି ସୁଦୃଢ଼ କରିବାକୁ କେନ୍ଦ୍ର ଓ ରାଜ୍ୟର ତାଳମେଳ ମଧ୍ୟ ଆବଶ୍ୟକ । ହଁ... ଭାରତ ‘ବିଶ୍ୱ ଗୁରୁ’ ହେବ । ଏମିତି ଆଶା ଦେଖାଇଛି ନୂଆ ଶିକ୍ଷାନୀତ।