ନୂଆଦିଲ୍ଲୀ ୨୭/୦୭: ଉଚ୍ଚ-ମାଧ୍ୟମିକ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ‘ଅପରେସନ୍ ସିନ୍ଦୂର’ ଉପରେ ସ୍ୱତନ୍ତ୍ର ମଡ୍ୟୁଲ ସାମିଲ କରିବାକୁ ଯାଉଛି ଏନ୍ସିଇଆର୍ଟି । ପରେ ଏନ୍ସିଇଆର୍ଟି ଏହି ବିଷୟବସ୍ତୁକୁ ମାଧ୍ୟମିକ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠ୍ୟକ୍ରମରେ ମଧ୍ୟ ସାମିଲ କରିପାରେ । ମଡ୍ୟୁଲ୍ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ଶୀଘ୍ର ଏହା ଜାରି ହେବ । ସଂସଦର ମୌସୁମୀ ଅଧିବେଶନରେ ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ପୂର୍ବରୁ ଏନ୍ସିଇଆର୍ଟି ଏହା ଉପରେ ମଡ୍ୟୁଲ ଜାରି କରିବାକୁ କହିଛି ।
ସ୍ୱାଭାବିକ ପାଠ୍ୟପୁସ୍ତକର ବିପରୀତ, ଏହା ଏକ ସ୍ୱତନ୍ତ୍ର କେସ୍ ଷ୍ଟଡି ହେବ, ଯାହା ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ରଣନୀତିକ ସୈନ୍ୟ ପ୍ରତିକ୍ରିୟା ଉପରେ କେନ୍ଦ୍ରିତ ହେବ । ଆତଙ୍କବାଦୀ ବିପଦ ଉପରେ ଦେଶ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରନ୍ତି ତଥା ରକ୍ଷା, କୂଟନୀତି ଓ ମନ୍ତ୍ରାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ରାଷ୍ଟ୍ରୀୟ ସୁରକ୍ଷାରେ କି ପ୍ରକାର ଭୂମିକା ନିର୍ବାହ କରନ୍ତି, ବିଦ୍ୟାର୍ଥୀଙ୍କୁ ତାହା ବୁଝାଇବାରେ ସହାୟକ ହେବା ଏହି କ୍ଲାସ୍ ମଡ୍ୟୁଲ୍ର ଉଦ୍ଦେଶ୍ୟ ।
ସୂଚନାଥାଉକି, ଅପରେସନ୍ ସିନ୍ଦୂର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ପରେ ଗତ ମେ’ ୭ରେ ଭାରତ ଦ୍ୱାରା ନିଆଯାଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା । ଭାରତୀୟ ସେନା ସୀମାପାର ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଥିଲା । ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଠିକଣାଗୁଡ଼ିକୁ ଟାର୍ଗେଟ୍ କରି ସଠିକ୍ ଆକ୍ରମଣ କରିଥିଲା । ଏନ୍ସିଇଆର୍ଟି ମଡ୍ୟୁଲ୍ର ଉଦ୍ଦେଶ୍ୟ ଏହି ମିଶନର ତଥ୍ୟାତ୍ମକ ଅବଲୋକନର ସୂଚନା ଦେବା । ଏଥିରେ ସଶସ୍ତ୍ର ବଳର ଭୂମିକା, ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ପଛରେ ନିର୍ଣ୍ଣୟ ନେବାର ପ୍ରକ୍ରିୟା ତଥା କୂଟନୀତି ଓ କ୍ଷେତ୍ରୀୟ ସ୍ଥିରତା ପାଇଁ ବ୍ୟାପକ ପ୍ରଭାବ ଭଳି ପ୍ରମୁଖ ଦିଗକୁ ସାମିଲ କରାଯାଇଛି ।
ଏହି ପ୍ରୟାସ ନ୍ୟାସ୍ନାଲ କରିକୁଲମ୍ ଫ୍ରେମ୍ୱର୍କ (ଏନ୍ସିଏଫ୍-୨୦୨୩) ଓ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ (ଏନ୍ଇପି ୨୦୨୦) ଅନ୍ତର୍ଗତ ଏନ୍ସିଇଆର୍ଟିର ବ୍ୟାପକ ପ୍ରୟାସର ଅଂଶ । ୬ଷ୍ଠ ଓ ୮ମ ଶ୍ରେଣୀ ପାଇଁ ଇଂରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଭଳି ବିଷୟରେ ନୂଆ ପାଠ୍ୟପୁସ୍ତକ ପୂର୍ବରୁ ଜାରି ହୋଇସାରିଛି । ଏଥିସହ କୌଶଳ ବୋଧ ନାମକ ଏକ ନୂଆ ବ୍ୟବସାୟିକ ପାଠ୍ୟପୁସ୍ତକ ମଧ୍ୟ ଜାରି ହୋଇଛି । ଏହି ପୁସ୍ତକ ଅନୁଭବମୂଳକ ଶିକ୍ଷା, ଭାରତୀୟ ଧରୋହର ଓ ସମ୍ପ୍ରତିକ ଆହ୍ୱାନ ଉପରେ କେନ୍ଦ୍ରିତ । ଆଗାମି ଅପରେସନ୍ ସିନ୍ଦୂର ମଡ୍ୟୁଲ ଏହି ଧାରାକୁ ବଜାୟ ରଖିବ । ସମସାମୟିକ ଘଟଣା ଓ ରାଷ୍ଟ୍ରୀୟ ଘଟଣାବଳୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣି ବିଦ୍ୟାର୍ଥୀଙ୍କୁ ସୂଚନା ଓ ଆଲୋଚନାତ୍ମକ ରୂପେ ଯୋଡ଼ିବାରେ ଏହା ସାହାଯ୍ୟ କରେ ।