ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୨୪ ତାରିଖରେ କେରଳରେ ପ୍ରବେଶ କରିଛି। ଯାହା ୨୦୦୯ ପରେ ଭାରତରେ ମୌସୁମୀ ବାୟୁର ସବୁଠାରୁ ଶୀଘ୍ର ଆଗମନ ଅଟେ। ସାଧାରଣତଃ ମୌସୁମୀ ଜୁନ୍ ୧ ସୁଦ୍ଧା କେରଳର ଉପକୂଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଏହା ପ୍ରାୟ ଏକ ସପ୍ତାହ ଆଗରୁ କେରଳର ଉପକୂଳ ଛୁଇଁଛି।
IMD କହିଛି ଯେ, ବର୍ତ୍ତମାନ ଭାରତରେ ଅନୁକୂଳ ପାଣିପାଗ ରହିଥିବା ଯୋଗୁଁ ମୌସୁମୀ ଶୀଘ୍ର ପହଞ୍ଚିଛି। ଏହା ଦେଶର କୃଷି ଓ ଜଳସମ୍ପଦ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ତେବେ, ଅଧିକ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି, ଯାହାକୁ ନେଇ ପ୍ରଶାସନ ସତର୍କ ରହିଛି।
ବର୍ତ୍ତମାନ ସମଗ୍ର ଦେଶରେ ଲଘୁଚାପର ମାହୋଲ ସୃଷ୍ଟି ହୋଇଛି। ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଦେଶର ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି। ସେହିଭଳି ଅନ୍ୟପଟେ ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। ଯାହାଫଳରେ ଓଡିଶା, ଝାରଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଅନେକ ସ୍ଥାନରେ ବଜ୍ରପାତ ସହିତ ବର୍ଷା ଓ ପବନ ହେବାରେ ଲାଗିଛି।
ମୌସୁମୀ ଆଗାମୀ ଦିନରେ ଦକ୍ଷିଣ ଭାରତର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବ ବୋଲି IMD ପୂର୍ବାନୁମାନ କରିଛି। ଏହାଛଡା ଦେଶରେ ଦେଖାଦେଇଥିବା ଗଭୀର ଅବପାତ ଯୋଗୁଁ ଚଳିତ ବର୍ଷର ମୌସୁମୀ ବାୟୁ ସବୁ ସ୍ଥାନରେ ଜଲଦି ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ପାଣିପାଗ ବିଭାଗ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଏବଂ ଆଗାମୀ ପାଣିପାଗ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି।