ନୂଆଦିଲ୍ଲୀ: ଦିଲ୍ଲୀରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏନଡିଏ ଦଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟର ନେତାମାନେ ଦିଲ୍ଲୀରେ ପହଞ୍ଚିଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀ ନୀତି ଆୟୋଗ ବୈଠକରେ ଦେଶର ପ୍ରାୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଏନଡିଏର ସାଂଗଠନିକ ଦଳଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅପରେସନ ସିନ୍ଦୂର ଏବଂ ଜାତି ଜନଗଣନା ସମ୍ପର୍କରେ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା।
ବୈଠକରେ ସଶସ୍ତ୍ର ବାହିନୀର ସାହସିକତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହସିକ ନେତୃତ୍ୱକୁ ପ୍ରଶଂସା କରି ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସୂତ୍ର ଅନୁଯାୟୀ ଶିବସେନା ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦ୍ୱାରା ଆଗତ ପ୍ରସ୍ତାବରେ କୁହାଯାଇଛି ଯେ, ଅପରେସନ ସିନ୍ଦୂର ଭାରତୀୟଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ହରିୟାଣା ସିଏମ ନାୟବ ସାଇନି, ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଅପରେସନ୍ ସିନ୍ଦୂରକୁ ପ୍ରଶଂସା କରିଛନ୍ତି ।
ଏହି ବୈଠକରେ ପ୍ରାୟ ୧୯ ଜଣ ମୁଖ୍ୟମନ୍ତ୍ରୀ ଏବଂ ସମାନ ସଂଖ୍ୟକ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଏକନାଥ ସିନ୍ଦେ କହିଥିଲେ ଯେ, ଯିଏ ଆମ ସହିତ ସଂଘର୍ଷ କରିବ ସେ ମାଟିରେ ମିଶିଯିବ । ଏବେ ଏହା କେବଳ ଏକ କଥା ନୁହେଁ, ଏହା ସତ୍ୟରେ ପରିଣତ ହୋଇଛି। ଅପରେସନ ସିନ୍ଦୂର ସାଧାରଣ ଭାରତୀୟଙ୍କୁ ଆତ୍ମବିଶ୍ୱାସ ଏବଂ ସ୍ୱାଭିମାନ ଦେଇଛି। କେନ୍ଦ୍ର ସରକାରଙ୍କ ନୀତି, ସେନାର ବୀରତ୍ୱ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାହସକୁ ସଲାମ । ମୋଦିଜୀଙ୍କ କଥା: ମୋ ଶିରାରେ ରକ୍ତ ନୁହେଁ, ବରଂ ଗରମ ସିନ୍ଦୂର ପ୍ରବାହିତ ହେଉଛି । ଆଜି ଏହା ଭାରତର ଆବେଗ ପାଲଟିଛି ବୋଲି ଏକନାଥ ସିନ୍ଦେ କହିଥିଲେ ।