ଭୁବନେଶ୍ବର, ୨୪/୧୧ : ରାତି ଅଧରେ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଜଣଙ୍କ ଘରେ ଥିବା ୪ଟି ଦୁଇ ଚକିଆ ଗାଡିକୁ କେହି ଦୁର୍ବୃତ୍ତ ପୋଡ଼ିଦେଇଛନ୍ତି। ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ଜଳିଯାଇଛି।
ସୂଚନାନୁଯାୟୀ, ଶନିବାର ରାତି ପ୍ରାୟ ୩ଟା ବେଳେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣାର ପ୍ଲଟ ନମ୍ବର-1962ରେ ରହୁଥିବା ସନ୍ତୋଷ କୁମାର ମହାନ୍ତିଙ୍କ ଗ୍ୟାରେଜରେ ଥିବା ୪ଟି ଗାଡିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ବିସ୍ଫୋରଣ ସହ ଘର ଧୂଆଁ ହୋଇଯାଇଥିବାରୁ ଘର ମାଲିକ ଏବଂ ଭଡ଼ାରେ ଥିବା ଲୋକମାନେ ବାହାରକୁ ବାହାରି ଆସିଥିଲେ। ବାଇକ୍ ଗୁଡିକ ଜଳି ଯାଉଥିବା ଦେଖି ନିଆଁକୁ ଆୟତ୍ତ କରିଥିଲେ। ପରେ ସ୍ଥାନୀୟ ଚନ୍ଦକା ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ତେବେ ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଘର ଚାରିପଟେ ତାଲା ପଡ଼ିଥିବା ଯୋଗୁଁ ଏହାକୁ କେହି ପେଟ୍ରୋଲ ଢାଳି ନିଆଁ ଲଗାଇ ଥିବା ପୋଲିସ ଓ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।