ବଲାଙ୍ଗିର,୧୬।୬ : ମଙ୍ଗଳବାର ବଲାଙ୍ଗିର ଠାରେ ହେବାକୁ ଥିବା 'କୃଷକ ଶକ୍ତି ସମାବେଶ' ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ଏହି ଅବସରରେ ଆଜି ଦିନ ତମାମ ପଥରଚେପା ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତିକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଶାସନ ସଚିବ ସୁରେଶ୍ କୁମାର୍ ବଶିଷ୍ଟ, ଓମ୍ଫେଡ ଏମଡି ବିଜ୍ୟ ଅମୃତ କୁଲାଙ୍ଗେ, ଉତ୍ତରାଞ୍ଚଲ୍ ଆରଡିସି ସଚିନ ରାମ ଚନ୍ଦ୍ର ଯାଦବ, ପୁଲିସ୍ ଆଇଜି ହିମାଂଶୁ ଲାଲ୍ ସମୀକ୍ଷା କରିଥିଲେ। ସେହିପରି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମ ପଡିଆରେ ପହଂଚି ସମୀକ୍ଷା କରିଛନ୍ତି। ସମାବେଶର ସଫଳ ପରିଚାଳନା, ସୁରକ୍ଷା, ଲୋକଙ୍କ ସୁବିଧା ପାଇଁ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଛି।
ଏହି ଅବସରରେ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ସ୍ଥାନୀୟ କାର୍ଯ୍ୟକର୍ତ୍ତା ଏବଂ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ୯ଟା ୪୦ରେ ସ୍ବତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପ ରେ ପହଞ୍ଚିବେ। ସେଠାରୁ କାର ଯୋଗେ ବଲାଙ୍ଗିର ପଥରଚେପା ପଡିଆକୁ ଆସିବେ। ପୁଣି ମଧ୍ୟାହ୍ନ ଗୋଟାଏରେ ତୁଷୁରା ଏୟାରଷ୍ଟ୍ରିପ ଅଭିମୁଖେ ଯାଇ ଫେରିଯିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।