ବେଙ୍ଗାଲୁର,୨୪।୭: କର୍ଣ୍ଣାଟକ ହାଇକୋର୍ଟ ତିନି ମୁସଲମାନ ଯୁବକଙ୍କ ବିରୋଧରେ ରୁଜୁ ଏଫଆଇଆର ରଦ୍ଦ କରିଦେଇଛନ୍ତି। ଯାହାଙ୍କ ଉପରେ ଏକ ହିନ୍ଦୁ ମନ୍ଦିରରେ ଇସ୍ଲାମ ଧର୍ମକୁ ପ୍ରଚାର ପ୍ରସାର କରିବା ପାଇଁ ପାମ୍ପଲେଟ୍ ବାଣ୍ଟିବା ସହ ମୌଖିକ ରୂପରେ ନିଜ ଧାର୍ମିକ ମାନ୍ୟତାକୁ ବୁଝାଇବାର ଅଭିଯୋଗ ଥିଲା। କୋର୍ଟ ନିଜ ରାୟରେ କହିଛନ୍ତି, କୌଣସି ମନ୍ଦିରରେ କେବଳ ଇସ୍ଲାମର ପ୍ରଚାର କରିବା ବେଳେ ପାମ୍ପଲେଟ୍ ବାଣ୍ଟିବା ଓ ସେ ବିଷୟରେ ବାଖ୍ୟା କରିବା କୌଣସି ଅପରାଧ ନୁହେଁ, ଯେଉଁ ପର୍ଯ୍ୟନ୍ତ ଧର୍ମାନ୍ତରଣ ସମ୍ପର୍କିତ କୌଣସି ସାକ୍ଷ୍ୟ ନମିଳୁଛି।
ଅଭିଯୁକ୍ତଙ୍କ ଉପରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୨୯୯, ୩୫୧(୨) ଓ ୩(୫) ଓ କର୍ଣ୍ଣାଟକ ଧର୍ମ ସ୍ବତନ୍ତ୍ରତା ଅଧିକାର ସଂରକ୍ଷଣ ଅଧିନିୟମ, ୨୦୨୨ର ଧାରା ୫ ଅନୁସାରେ ଅଭିଯୋଗ ଲଗାଯାଇଥିଲା। ଜଷ୍ଟିସ୍ ଭେଙ୍କଟେଶ ନାଇକଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ, ଉପରୋକ୍ତ ଆଇନ ଅନୁସାରେ କୌଣସି ଅପରାଧ ନୁହେଁ, କାରଣ ସେହି ଲୋକ କୌଣସି ବ୍ୟକ୍ତିଙ୍କୁ ଇସ୍ଲାମକୁ ଧର୍ମାନ୍ତରିତ କରିବାର କୌଣସି ଚେଷ୍ଟା କରିନାହାନ୍ତି।
ଲାଇଭ ଲ’ର ରିପୋର୍ଟ ଅନୁସାରେ, ଅଭିଯୋଗକାରୀ କହିଥିଲେ ଯେ, ୪ ମଇ ୨୦୨୫ ସନ୍ଧ୍ୟା ୪ଟା ୩୦ ମିନିଟ୍ରେ, ଯେତେବେଳେ ଜାମଖଣ୍ଡି ସ୍ଥିତି ରାମତୀର୍ଥ ମନ୍ଦିର ଯାଇଥିଲେ, କିଛି ଲୋକ ସେଠାରେ ମନ୍ଦିର ପରିସରରେ ଇସ୍ଲାମିକ୍ ଶିକ୍ଷାର ପ୍ରଚାର କରୁଥିବା ପତ୍ର ବାଣ୍ଟୁଥିଲେ ଓ ନିଜର ଧାର୍ମିକ ମାନ୍ୟତା ବିଷୟରେ ଲୋକଙ୍କୁ ମୌଖିକ ଭାବରେ ବୁଝାଉ ଥିଲେ। ଅଭିଯୋଗରେ କୁହାଯାଇଛି ଯେ, ଘଟଣାସ୍ଥଳରେ ଥିବା ହିନ୍ଦୁ ଶ୍ରଦ୍ଧାଳୁ ସେହି ଲୋକଙ୍କ ଗତିବିଧି ବିଷୟରେ ପଚାରା ଉଚରା କରିଥିଲେ। ଏହାର ଜବାବ୍ରେ ମୁସଲମାନ ଯୁବକ କଥିତ ଭାବରେ ହିନ୍ଦୁ ଧର୍ମର ସମାଲୋଚନା କରି ଅପମାନଜନକ ମନ୍ତବ୍ୟ ଦେଇଥିଲେ।