ନବରଙ୍ଗପୁର, ୨୨।୫: ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ତରଫରୁ ବୁଧବାର ସ୍ୱୀକୃତି ପ୍ରାପ୍ତ ବିହନ ଉତ୍ପାଦନକାରୀ କମ୍ପାନୀମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ନବରଙ୍ଗପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ବିହନ କମ୍ପାନୀ ମାନଙ୍କର ୩୫ ଜଣ ପ୍ରତିନିଧି ସହିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ, କୃଷି ଜିଲ୍ଲା ଅଧିକାରୀ ନବରଙ୍ଗପୁର ଓ ପାପଡାହାଣ୍ଡି, ଉମରକୋଟ ତଥା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଆଗାମୀ ଖରିଫ ନିମନ୍ତେ ଚାଷୀମାନଙ୍କୁ ସଠିକ ମାନର ବିହନ ଅଧିକୃତ ବିହନ କମ୍ପାନୀମାନଙ୍କ ଦ୍ୱାରା ଲ୍ୟାମ୍ପସ ଏବଂ ସ୍ୱୀକୃତି ପ୍ରାପ୍ତ ବିହନ ବ୍ୟବସାୟୀଙ୍କୁ ଠିକ ସମୟରେ ଯୋଗାଇ ଦେବା ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାରେ ଧାନ ଓ ମକା ଚାଷ ମୁଖ୍ୟ ହୋଇଥିବାରୁ ଏବଂ ଚାଷୀମାନଙ୍କ ଦ୍ୱାରା ଶଙ୍କର ଜାତୀୟ ବିହନ ପ୍ରତି ଅଧିକ ଆଗ୍ରହ ଥିବାରୁ ଚାଷୀମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ବିହନ ଯୋଗାଣ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା। ଅଣସ୍ୱୀକୃତି ପ୍ରାପ୍ତ କମ୍ପାନୀ ମାନଙ୍କର ବିହନ କୌଣସି ପରିସ୍ଥିତିରେ ବଣ୍ଟନ କରାଯିବ ନାହିଁ। ଯଦି କୌଣସି ସ୍ଥାନରେ ଅନିୟମିତତା ପରିଲକ୍ଷିତ ହୁଏ ତେବେ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାରେ ଆଗାମୀ ଖରିଫ ଋତୁରେ ୬୦ ହେକ୍ଟର ଜମିରେ ମକା ଚାଷ ହେବା ନିମନ୍ତେ ଆକଳନ କରାଯାଇଛି ଏବଂ ଏଥିନିମନ୍ତେ ଆବଶ୍ୟକୀୟ ଶଙ୍କର ଜାତୀୟ ବିହନ କେଉଁ କମ୍ପାନୀ କେତେ ପରିମାଣରେ ଜିଲ୍ଲାକୁ ଯୋଗାଇ ପାରିବେ ଏଥିନେଇ ଆକଳନ କରାଯାଇଛି। ସ୍ୱୀକୃତି ପ୍ରାପ୍ତ କମ୍ପାନୀମାନଙ୍କର ତରଫରୁ ସଠିକ ବିହନ ଠିକ ସମୟରେ ବ୍ୟବସାୟୀମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଗୁରୁତ୍ୱ ଦିଆଯାଇଛି।