ପ୍ରମୂଖ ଖବର
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମହାକୁମ୍ଭରେ ପହଞ୍ଚିଲେ ମମତା କୁଲକର୍ଣ୍ଣୀ, ଭସ୍ମ ଶୃଙ୍ଗାର କରି ମହାମଣ୍ଡଳେଶ୍ୱରଙ୍କ ନେଲେ ଆଶୀର୍ବାଦ

Published By : Krishna Priya | February 4, 2025 8:34 AM

ପ୍ରୟାଗରାଜ ୦୪/୦୨: ମହାକୁମ୍ଭରେ ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳେଶ୍ୱର କରିବା ପରେ ତାଙ୍କର ନୂଆ ଫଟୋ ସାମ୍ନାକୁ ଆସିଛି । ସେ ନିଜ ଚେହେରାରେ ଭସ୍ମ ଲଗାଇ ଶୃଙ୍ଗାର କରିଛନ୍ତି । ତାଙ୍କ ଚେହେରା ଧଳା ଦିଶୁଛି । କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଡ. ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି । ଗତ ୨୪ ତାରିଖରେ ମମତା କୁଲକର୍ଣ୍ଣୀଙ୍କୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କିନ୍ନର ଆଖଡ଼ାରେ ମହାମଣ୍ଡଳେଶ୍ୱର ପଦବୀ ପ୍ରଦାନ କରିଥିଲେ । ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ଓ ଯୋଗ ଗୁରୁ ରାମଦେବଙ୍କ ସମେତ ଅନେକ ସନ୍ଥ ଏହାକୁ ବିରୋଧ କରିଥିଲେ । ନିଜକୁ କିନ୍ନର ଆଖଡ଼ାର ସଂସ୍ଥାପକ ବୋଲି ଦାବି କରୁଥିବା ଋଷି ଅଜୟ ଦାସ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଓ ମମତାଙ୍କୁ ଆଖଡ଼ାରୁ ନିଷ୍କାସିତ କରିଥିବା କହିଥିଲେ । ମମତା ଗତ ରବିବାର ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କହିଥିଲେ, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟସ ଯେତିକି, ତା’ଠୁ ଅଧିକ ସମୟ ମୁଁ ତପସ୍ୟା କରିଛି । ବାବା ରାମଦେବଙ୍କୁ ମହାକାଳଙ୍କୁ ଡରିବା ଉଚିତ୍‌ । 

ସୂଚନାଯୋଗ୍ୟ, ମମତାଙ୍କୁ ମହାମଣ୍ଡଳେଶ୍ୱର କରିବା ପରେ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ, କୌଣସି ପ୍ରକାର ବାହ୍ୟ ପ୍ରଭାବରେ ଆସି ଯାହାକୁ ମଧ୍ୟ ସନ୍ଥ ବା ମହାମଣ୍ଡଳେଶ୍ୱର କିପରି କରାଯାଇ ପାରିବ? ପଦବୀ ତାକୁ ଦିଆଯିବା ଉଚିତ୍‌, ଯାହା ଭିତରେ ସନ୍ଥ ବା ସାଧ୍ୱୀର ଭାବ ଥିବ । ଏ ନେଇ ଏକ ଘରୋଇ ଚ୍ୟାନେଲ୍‌ର ଶୋ’ରେ ମମତା କହିଲେ, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟସ ୨୫ ବର୍ଷ । ସେତିକି ବର୍ଷ ମୁଁ ତପସ୍ୟା କରିଛି । ସେ ହନୁମାନ ମହାପ୍ରଭୁଙ୍କୁ ସିଦ୍ଧ କରିଛନ୍ତି । ଏହି ୨୫ ବର୍ଷର ତପସ୍ୟାରେ ୨ ଥର ପ୍ରତ୍ୟକ୍ଷ ସ୍ୱରୂପରେ ତାଙ୍କ ସହ ମୋର ରହିବା ହୋଇଛି । ମୁଁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ତାଙ୍କ ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ପାଖରେ ଦିବ୍ୟ ଦୃଷ୍ଟି ଅଛି । ସେ ତାଙ୍କୁ ପଚାରନ୍ତୁ ମୁଁ କିଏ ଆଉ ଚୁପ୍‌ଚାପ ବସିଯାଆନ୍ତୁ । 

ତେବେ ମହାମଣ୍ଡଳେଶ୍ୱର ହେବା ନେଇ ମମତା କହିଲେ, ମୁଁ ମହାମଣ୍ଡଳେଶ୍ୱର ହେବାକୁ ଚାହୁଁନଥିଲି । କିନ୍ତୁ କିନ୍ନର ଆଖଡ଼ାର ଆଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ମୋତେ ଏଥିପାଇଁ ବାଧ୍ୟ କଲେ । ମହାମଣ୍ଡଳେଶ୍ୱର ହେବା ପାଇଁ ମମତା ଆଖଡ଼ାକୁ ଟଙ୍କା ଦେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏ ନେଇ ମମତା କହିଲେ, ମୋ ପାଖରେ ଟଙ୍କା ନାହିଁ । ମୋର ସମସ୍ତ ଆକାଉଣ୍ଟ୍‌ ସିଜ୍‌ ହୋଇଛି । ୨ ଲକ୍ଷ ଟଙ୍କା ଉଧାର ଆଣି ଗୁରୁଙ୍କୁ ଭେଟ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.