ମାଲକାନଗିରି, ୩୦।୬(ଆପ୍ର): ମାଲକାନଗିରି ଜିଲ୍ଲାରେ ବଢିବାରେ ଲାଗିଛି ମାଲେରିଆ ରୋଗୀଙ୍କ ସଂଖ୍ୟା। ୪ମାସ ରେ ଜଣେ ମୃତ ଓ ୨୯୬୯ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ । ସେଥି ମଧ୍ୟରୁ କେବଳ ୫୦ ଜଣ ବିଏସଏଫ ଯବାନ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ଜଣାପଡିଛି।
ଜିଲ୍ଲାକୁ ପୁଣି ଲେଉଟିଛି ମାଲେରିଆ ରୋଗ। ଏକଦା ମାଲେରିଆ ମୁକ୍ତ ଭାବେ ପରିଚୟ ପାଉଥିବା ଏହି ମାଲେରିଆ ପ୍ରଭାବିତ ଜିଲ୍ଲାରେ ବର୍ତ୍ତମାନ ମାଲେରିଆ ଜ୍ଵର ଆତଙ୍କ ବଢିବାରେ ଲାଗିଛି। ଜିଲ୍ଲାରେ ଗତ ଏପ୍ରିଲ ମାସ ଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯୬୯ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ଯେ ସାଧାରଣ ଜନତା ଏହି ମାଲେରିଆ ଜ୍ଵରରେ ପୀଡିତ ହେଉଛନ୍ତି ତାହା ନୁହେ ବରଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲାକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିବା ବିଏସଏଫ ଯବାନ ମାନେ ମଧ୍ୟ ଏହି ଜ୍ଵରରେ ପୀଡିତ ହେଉଥିବା ଜଣା ପଡିଛି। ତେବେ ଗତ ପ୍ରାୟ ୪ ମାସ ମଧ୍ୟରେ ୫୦ରୁ ଅଧିକ ଯବାନ ଏହି ମାଲେରିଆ ଜ୍ଵରରେ ପୀଡିତ ହୋଇ ସୁସ୍ଥ ହୋଇଥିବା ଜଣା ପଡିଛି।
ତେବେ ବିଗତ ଦିନରେ ମାଲକାନଗିରି ଜିଲ୍ଲା ଏକ ମାଲେରିଆ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ସରକାର ଏହି ଜିଲ୍ଲାରେ ମାଲେରିଆ ଦୂର କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ। ମାଲେରିଆ ରୋକିବା ପାଇଁ ଲୋକଙ୍କୁ ସଚେତନ, ମଶାରୀ ବ୍ୟବହାର ସହ ଦମନ ଅଭିଯାନ ଦ୍ଵାରା ଜିଲ୍ଲାରୁ ମାଲେରିଆ ଜ୍ଵରକୁ ଏକ ପ୍ରକାର ରୋକ ଲଗାଇବାରେ ସଫଳ ହୋଇଥିଲେ। ଜିଲ୍ଲାରେ ସ୍ୱତନ୍ତ୍ର ଭାବେ କେନ୍ଦ୍ର ସରକାରଙ୍କ ଭେକ୍ଟର ସେଣ୍ଟର(ଭିସିଆରସି ) ଖୋଲା ଯାଇଥିଲା, ଯାହା ଫଳରେ ପୂର୍ବ ଅପେକ୍ଷା ମାଲେରିଆ ଜ୍ଵରର ଆତଙ୍କ କମିଥିଲା। ଗତ କିଛି ବର୍ଷ ହେଲା ଭିସିଆରସି କେନ୍ଦ୍ରଟିକୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତରିତ କରାଯାଇଛି । ଗତ କିଛି ମାସ ହେଲା ଏହି ମେଲେରିଆ କାୟା ବିସ୍ତାର କରିବାରେ ଲାଗିଛି। ଜିଲ୍ଲାରେ ମାଲେରିଆ ଜ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ତେବ ଯଦିଓ ମାଲେରିଆ ଜ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ତେବେ ଏହା ପ୍ରତି ସ୍ୱାସ୍ଥ୍ୟ ବିଭାଗ ତତ୍ପର ଥିବା ସହ ସମସ୍ତ ଆକ୍ରାନ୍ତଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଗାଁ ଗାଁ ରେ ଅଙ୍ଗନ ୱାର୍ଡି,ସ୍ୱାସ୍ଥ୍ୟ କର୍ମୀ ମନେ ମଶାରୀ ବଣ୍ଟନ, ରକ୍ତ ନମୁନା ସଂଗ୍ରହ ସହ ସଚେତନତା କରୁ ଥିବାରୁ ଏହି ଜ୍ଵରକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଗ୍ରାମରେ ଜ୍ଵର ବ୍ୟାପିବାରେ ଲାଗିଗଲାଣି। ଆଗାମୀ ଦିନରେ ମ୍ୟାଲେରିଆ ଜ୍ଵର କାୟା ବିସ୍ତାର କରିବାର ବହୁତ ସମ୍ଭାବନା ରହିଛି।