ମାଲକାନଗିରି, ୨୧/୭(ଆପ୍ର): ଯୁବକ ଓ ଯୁବତୀଙ୍କ ପ୍ରେମ ପାଇଁ ଉଭୟ ପରିବାର ମଧ୍ୟରେ ତୁମୁଳକାଣ୍ଡ ଘଟି ମହାଭାରତ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରେମିକ ପରିବାର ଉପରେ ପ୍ରେମିକା ପରିବାରର ଆକ୍ରମଣ ଓ ପୁଅର ମା’ କୁ ଅପହରଣ ଉଦ୍ୟମ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିବାର ଜଣା ପଡିଛି। ଏପରି ଘଟଣା ଘଟିଛି ମାଲକାନଗିରି ଆଦର୍ଶ ଥାନା ଅଧିନରେ ଥିବା ଏମଭି୪୮ ଗ୍ରାମରେ।
ସୂଚନା ଅନୁଯାଇ ମାଲକାନଗିରି ଥାନା ଅଧିନସ୍ଥ ଏମଭି୮ ଗ୍ରାମର ଜଣେ ଯୁବତୀଙ୍କୁ ଏମଭି୪୮ ଗ୍ରାମର ଜଣେ ଯୁବକ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପର୍କ ଥିବାରୁ ଝିଅର ପରିବାର ଅନିଚ୍ଛା ସତ୍ୱେ ପୁଅ ଗତ କିଛି ଦିନ ତଳେ ଝିଅଟିକୁ ନିଜ ଘରକୁ ନେଇ ଆସିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏହାର ସମାଧାନ ପାଇଁ ଗ୍ରାମ କମିଟି ପକ୍ଷରୁ ବୈଠକ ଡକା ଯାଇଥିଲା। ଏହି ବୈଠକରେ ଝିଅ ନିଜ ବାପ ଘରକୁ ଫେରିବ ନାହିଁ ବୋଲି ରୋକଠୋକ ଭାବେ ମନା କରିଦେଇଥିଲା। ମୁଁ ଯାହାକୁ ଭଲ ପାଉଛି ତାଙ୍କ ଘରେ ରହିବି ବୋଲି କହିଥିଲା। ତା ପରେ ଉଭୟ ପରିବାର ନିଜନିଜ ଘରକୁ ଫେରି ଯାଇଥିଲେ।
ଏହି କଥାକୁ କେନ୍ଦ୍ର କରି ଝିଅର ବାପା ଓ ଏମଭି୮ ଗ୍ରାମର କିଛି ଲୋକ ଶନିବାର ରାତି ସମୟରେ ଏମଭି୪୮ ଗ୍ରାମରେ ପହଁଚି ଝିଅକୁ ଫେରାଇ ଦେଵା ପାଇଁ ପୁଅ ଘର ଲୋକଙ୍କୁ କହିଥିଲେ। ଏଥିରେ ପୁଅ ଘର ଲୋକେ ରାଜି ନ ହେବାରୁ ଝିଅର ବପା ପୁଅର ମାକୁ ଟଣା ଘୋଷରା କରି ନେଇ ଯିବାକୁ ଚେଷ୍ଟା କରିବା ସହ ରାଗିକି ତାଙ୍କର ଲୁଗା ପଟା ଚିରିଦେଇଥିଲେ। ଏହାକୁ ଗ୍ରାମବାସୀ ମାନେ ବିରୋଧ କରି ଥାନାକୁ ଜଣାଇଥିଲେ। ମାଲକାନଗିରି ଥାନା ପିସିଆର ଭ୍ୟାନ ସଙ୍ଗେ ସଙ୍ଗେ ଏମଭି୪୮ ଗ୍ରାମରେ ପହଁଚି ଉଭୟଙ୍କୁ ବୁଝାବୁଝି କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଏ ସମ୍ପର୍କରେ ମାଲକାନଗିରି ଥାନା ଆଇଆଇସି ରିଗନ କିଣ୍ଡୋଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଭୁଲ ବୁଝାମଣା ଯୋଗୁଁ ଉଭୟ ପରିବାରଙ୍କ ମଧ୍ୟରେ କିଛି ସମୟ ପାଇଁ ଗଣ୍ଡଗୋଳ ଲାଗିଯାଇଥିଲା। ପୁଲିସ ଠିକ ସମୟରେ ପହଁଚି ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପରେ ଏବେ ପରିସ୍ଥିତି ଶାନ୍ତ ରହିଛି। ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଯୋଗୁଁ ଏପର୍ଯ୍ୟନ୍ତ ଉଭୟ ପରିବାର ପକ୍ଷରୁ ଥାନାରେ କିଛି ଏତଲା ଦିଆଯାଇ ନାହିଁ। ତଥାପି ଏହି ମାମଲାରେ ପୁଲିସର ନଜର ରହିଛି ବୋଲି ଥାନାଧିକାରି ସୂଚନା ଦେଇଛନ୍ତି।