ନୂଆଦିଲ୍ଲୀ,୨୦/୦୫: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଭାରତୀୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ୨୦୨୩ରୁ ଭାରତ ସାରା ୧୫ଟି ପ୍ରମୁଖ ଧାର୍ମିକ ସ୍ଥଳ ଓ ମନ୍ଦିର ପରିଦର୍ଶନ କରିଥିଲା। ଏଥିରେ ଉତ୍ତରପ୍ରଦେଶର ମହାକୁମ୍ଭ ମେଳା ଏବଂ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ମଧ୍ୟ ଥିଲା।
ଜ୍ୟୋତିଙ୍କ ୟୁ ଟ୍ୟୁବ୍ ଭ୍ଳଗରୁ ଜଣାପଡ଼ିଛି ଯେ, ସେ ଜାନୁଆରୀ ମାସରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବିଶ୍ବପ୍ରସିଦ୍ଧ ମହାକୁମ୍ଭମେଳାକୁ ମଧ୍ୟ ଯାଇଥିଲେ। ୪୨ ମିନିଟର ଭିଡିଓରେ ସେ ଦିଲ୍ଲୀରୁ ପ୍ରୟାଗରାଜ ବସ୍ଯୋଗେ ଯାଇଥିବା ଦେଖିବାକୁ ମିଳିଛି। ଯାତ୍ରା ସମୟର ସମସ୍ତ ଭିଜୁଆଲକୁ ସେ ତାଙ୍କ ଭ୍ଳଗ୍ରେ କଏଦ କରିଥିଲେ, ବସ୍ରେ ବସିବା ଠାରୁ ରାସ୍ତାରେ ରାତ୍ରୀଭୋଜନ କରିବା ପର୍ଯ୍ୟନ୍ତ ଏବଂ ପ୍ରୟାଗରାଜର ରାସ୍ତାରେ ବୁଲୁଥିବାର ଭିଡିଓ ତାଙ୍କ ଭ୍ଳଗ୍ରେ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଜ୍ୟୋତି ୨୦୨୩ରେ ଉତ୍ତରାଖଣ୍ଡର କେଦାରନାଥ ଏବଂ ପରେ ବଦ୍ରିନାଥ ଭ୍ରମଣରେ ଯାଇଥିଲେ। ଯାତ୍ରା ସମୟର ସମସ୍ତ ଭିଡିଓକୁ ସେ ତାଙ୍କ ୟୁ ଟ୍ୟୁବ ଭ୍ଳଗ ଏବଂ ସର୍ଟସ୍ରେ ଅପଲୋଡ କରିଥିଲେ।
ଜ୍ୟୋତି ବୁଲିଥିବା ଭାରତର ଧାର୍ମିକ ଓ ଦର୍ଶନୀୟ ସ୍ଥାନ:
- ଶ୍ରୀ ଜଗନ୍ନାଥ ମନ୍ଦିର,ପୁରୀ, ଓଡିଶା
- କୈଳାସ, ମାନସରୋବର
- ଯମୁନୋତ୍ରୀ, ଉତ୍ତରାଖଣ୍ଡ
- କେଦାରନାଥ, ଉତ୍ତରାଖଣ୍ଡ
- ଅଯୋଧ୍ୟା, ଉତ୍ତର ପ୍ରଦେଶ
- ମହାକୁମ୍ଭମେଳା, ଉତ୍ତରପ୍ରଦେଶ
- ବଦ୍ରିନାଥ, ଉତ୍ତରାଖଣ୍ଡ
- ବାଙ୍କେ ବିହାରୀ ମନ୍ଦିର, ଉତ୍ତରପ୍ରଦେଶ
- ସଲାସାର ମନ୍ଦିର, ରାଜସ୍ଥାନ
- ହରିଦ୍ୱାର, ଉତ୍ତରାଖଣ୍ଡ
- କାଶୀ ବିଶ୍ୱନାଥ, ଉତ୍ତରପ୍ରଦେଶ
- ଚାମୁଣ୍ଡେଶ୍ୱରୀ ମନ୍ଦିର, କର୍ଣ୍ଣାଟକ
- ଦେବପ୍ରୟାଗ, ଉତ୍ତରାଖଣ୍ଡ
- ଚାରିଧାମ ଯାତ୍ରା, ଉତ୍ତରାଖଣ୍ଡ
- ସ୍ୱର୍ଣ୍ଣ ମନ୍ଦିର, ପଞ୍ଜାବ
ସେ ଉତ୍ତର ପ୍ରଦେଶ ଯାତ୍ରା କରିବା ସମୟରେ, ଜୁଲାଇ ୨୦୨୩ ରେ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ। ତା'ପରେ ସେ ସେପ୍ଟେମ୍ବର ୨୦୨୩ ରେ ୟୁପିର ବାଙ୍କେ ବିହାରୀ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ।
ଜ୍ୟୋତିଙ୍କ ଭାରତ ଭ୍ରମଣର ତାଲିକାଟି ଏତିକିରେ ଶେଷ ହୋଇ ନାହିଁ, କାରଣ ସେ ୨୦୨୩ ରେ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ଯାଇଥିଲେ, ଏବଂ ସେହି ଗସ୍ତର ଏକ ଛୋଟ ରିଲ୍ସ ମଧ୍ୟ ସେ ସେୟାର କରିଥିଲେ। ହିସାରର ସିଭିଲ୍ ଲାଇନ୍ସ ପୋଲିସ ଷ୍ଟେସନରେ ଦାୟର ହୋଇଥିବା ଏଫଆଇଆର ଅନୁଯାୟୀ, ମଲହୋତ୍ରା ୨୦୨୩ରେ ଦିଲ୍ଲୀରେ ପାକିସ୍ତାନ ହାଇକମିଶନଙ୍କ ଗସ୍ତ ସମୟରେ ଏହସାନ-ଉର-ରହିମଙ୍କୁ ଭେଟିଥିଲେ। ସେଠାରେ ଜଣେ କର୍ମଚାରୀ ଭାବରେ ପରିଚିତ ରହିମ ଓରଫ ଦାନିଶ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ତାଙ୍କର ହ୍ୟାଣ୍ଡଲର ଭାବରେ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି।
ପରେ ୧୩ ମେ' ୨୦୨୫ରେ ଭାରତ ସରକାର ରହିମକୁ ଅଣଗ୍ରାହାକ ବ୍ୟକ୍ତି ଘୋଷଣା କରି ବହିଷ୍କାର କରିଥିଲେ। ଉଲ୍ଲେଖଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱର୍ଣ୍ଣ ମନ୍ଦିର ଚର୍ଚ୍ଚାକୁ ଆସିଛି। ମେ ୭-୮ ରାତିରେ ଭାରତ ଯେତେବେଳେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା, ପାକିସ୍ତାନ ସେତେବେଳେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଅପରେସନ ସିନ୍ଦୂର ସମୟରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ସ୍ଥଳକୁ ଆକ୍ରମଣ କରିଥିଲା। ପରେ ପାକିସ୍ତାନର ପାଲଟା ଆକ୍ରମଣର ମଧ୍ୟ ଦୃଢ଼ ଜବାବ ରଖିଥିଲା ପ୍ରତିରକ୍ଷା ବାହିନୀ।