ବୌଦ୍ଧ,୨୩/୭(ଆପ୍ର); ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ତଳଗାଁ ପଂଚାୟତର ଗଣ୍ଡାପାଜୁ ଗ୍ରାମରେ ଗତ ୨୦୨୩ ମସିହାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହି ମାମଲାର ରାୟ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ଦୌରାଜଜ ପ୍ରତାପ କୁମାର ପାତ୍ର ଏହି ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଶୁଣାଇଛନ୍ତି ।
ଗଣ୍ଡାପାଜୁ ଗ୍ରାମର କିଶୋରୀ ନାଏକ କନ୍ଧମାଳ ଜିଲ୍ଲା ଚକାପାଜୁ ଥାନା ମୁଣ୍ଡାଗାଁ ଗ୍ରାମର ଦୁର୍ଲଭା ନାଏକଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । କିଶୋରୀ କୌଣସି କାମ କରୁ ନ ଥିବାରୁ ଦୁର୍ଲଭା ପରିଶ୍ରମ କରି ପରିବାର ପୋଷଣ କରୁଥିଲା । ତାହା ସହିତ ଶାଶୁ ଓ ଶ୍ୱଶୁରଙ୍କ ମଧ୍ୟ ସେବା କରୁଥିଲା । ଗତ ୨୨/୭/୨୦୨୩ ତାରିଖ ସକାଳେ ପୁରନ୍ଦର ନାଏକ ଶୁଣିବାକୁ ପାଇଲେ ଯେ ତାଙ୍କ ଝିଅ ଦୁର୍ଲଭାକୁ ଜ୍ୱାଇଁ କିଶୋରୀ ନାଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ପାଇ ସେଠାକୁ ଯାଇ ଦେଖିବାରୁ ଦୁର୍ଲଭାର ରକ୍ତ ଜୁଡୁବୁଡୁ ମୃତ ଦେହ ଘର ଅଗଣାରେ ମରିପଡିଛି । ଏନେଇ ଦୁର୍ଲଭାର ବାପା ପୁରନ୍ଦର ପୁରୁଣାକଟକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କିଶୋରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାରେ ୨୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ କିଶୋରୀ ନାଏକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।