କଣ୍ଟାମାଳ,୨୪।୭ : ରାସ୍ତା ଅବସ୍ଥା ଶୋଚନୀୟ। ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅରେ ପଚପଚ। ରାସ୍ତା ଅବସ୍ଥା ଏପରି ହୋଇଛି ଯେ ରୋଗୀଙ୍କୁ ଆଣୁଥିବା ଏକ ଆମ୍ବୁଲାନ୍ସ କାଦୁଅରେ ଫସି ଯାଇଥିଲା। ଶେଷରେ ଟ୍ରାକ୍ଟରରେ ଆମ୍ବୁଲାନ୍ସକୁ ଟଣା ଯାଇ କାଦୁଅ ରାସ୍ତାରୁ ବାହାର କରାଯାଇଥିଲା। ଏହି ଦୃଶ୍ୟ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗ୍ରାମପଞ୍ଚାୟତ ତବଡ଼ା ଠାରୁ ବରଗାଁ ପଂଚାୟତ ବିରାମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଏହା ଦେଖିବାକୁ ମିଳିଛି।
ଘଣ୍ଟାପଡା ଗ୍ରାମପଞ୍ଚାୟତ ତବଡ଼ା ଠାରୁ ବରଗାଁ ପଂଚାୟତ ବିରାମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା କାଦୁଅ ସାଙ୍ଗକୁ ଖାଲଖମାରେ ଭର୍ତ୍ତି ହୋଇଯାଉଛି l ଅନେକ ଲୋକ ଯାତାୟାତ ସମୟରେ ପଡ଼ି ଯିବା ସହ ଆହତ ମଧ୍ୟ ହେଉଛନ୍ତି। ବର୍ଷା ଦିନରେ ଏହି ରାସ୍ତାରେ ଯିବା ପାଇଁ ଅଞ୍ଚଳବାସୀଙ୍କୁ ବହୁତ କଷ୍ଟକର ହୋଇ ପଡେ। ଗୁରୁବାର ମାଧ୍ୟାନ୍ନ ସମୟରେ ଉକ୍ତ ରାସ୍ତାରେ ରୋଗୀ ଆଣୁଥିବାଏକ ଆମ୍ବୁଲାନ୍ସ ରାସ୍ତାରେ ଫସି ରହିଥିବା ଏକ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି l ଶେଷରେ ଏକ ଟ୍ରାକ୍ଟର ଯୋଗେ ଆମ୍ବୁଲାନ୍ସ କୁ କାଦୁଅ ରାସ୍ତାରେ ଟାଣି ଟାଣି ଉଦ୍ଧାର କରୁଥିବା ଦୃଶ୍ୟ ବ୍ଲକରେ ଆଲୋଚନା ର ବିଷୟ ପାଲଟିଛି l
ପ୍ରତି ବର୍ଷ ଉକ୍ତ ରାସ୍ତାର ଉନ୍ନତି କରଣ କାର୍ଯ୍ୟ କରାଯାଉଥିବା ବେଳେ ଟିକିଏ ବର୍ଷା ରେ ଅବସ୍ଥା ବେହାଲ ହେଉଥିବା ସାମାଜିକ ଗଣ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖି ବାକୁ ମିଳିଛି l ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତାକୁ ଉନ୍ନତ ମାନର କରିବା ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଲୋକଙ୍କ ପାଇଁ ଏହା ମରଣଯନ୍ତା ପାଲଟିଛି l ଏହି ରାସ୍ତାକୁ ଖୁବ୍ ଶୀଘ୍ର ପକା ରାସ୍ତା କିମ୍ବା ପିଚୁ ରାସ୍ତା ନିର୍ମାଣ କରିବା ପାଇଁସାଧାରଣରେ ଦାବୀ ହେଉଛି ।