ନୂଆଦିଲ୍ଲୀ: ଉତ୍ତର ସିକ୍କିମରେ ହୋଇଥିବା ବଡ଼ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଖରାପ ପାଗ, ଦୁର୍ଗମ ପାହାଡିଆ ରାସ୍ତା ପରିସ୍ଥିତିକୁ ଅତି ଜଟିଳ କରିଦେଇଛି। ତଥାପି ଭାରତୀୟ ସେନା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ଏପରି ପରିସ୍ଥିତିରେ ପ୍ରତ୍ୟେକ ସୈନିକ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଲାଚେନ ଉତ୍ତର ସିକ୍କିମର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ଭୂସ୍ଖଳନ ଯୋଗୁଁ ମୁଖ୍ୟଭୂମିରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଭାରତୀୟ ସେନା ବୃଦ୍ଧ ଏବଂ ପିଲାମାନଙ୍କ ସମେତ ଫସି ରହିଥିବା ୧୧୩ ପର୍ଯ୍ୟଟକଙ୍କ ପାଖକୁ ଯିବା ପାଇଁ ଏକ ପାଦଚଲା ରାସ୍ତା ତିଆରି କରିଛି । ଜୁନ୍ ୩ ରେ ବାୟୁସେନା ହେଲିକପ୍ଟର ସାହାଯ୍ୟରେ କିଛି ବିଦେଶୀ ନାଗରିକଙ୍କ ସମେତ ୩୦ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।
ବାକି ଲୋକଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ସେନାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏହି ଦୁର୍ଗମ ଗାଁରେ ଫସି ରହିଥିବା ଲୋକଙ୍କ ପାଇଁ ଆଶାର କିରଣ ଆଣିଛି। ଭୂସ୍ଖଳନରେ ଚେତନର ସେନା ଶିବିର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୬ ଜଣ ସେନା ଅଧିକାରୀ ଏବେ ବି ନିଖୋଜ ଅଛନ୍ତି। ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରୀତପାଲ ସିଂ ସାନ୍ଧୁ, ସୁବେଦାର ଧରମବୀର, ନାଏକ ସୁନୀଲାଲ ମୁଚାହାରୀ, ସାଇନିଉଦ୍ଦିନ ପି.କେ, ଆରତୀ ସାନ୍ଧୁ (ଅବସରପ୍ରାପ୍ତ), ଲେଫ୍ଟନାଣ୍ଟ କର୍ଣ୍ଣେଲ ସାନ୍ଧୁଙ୍କ ପତ୍ନୀ ଅମିରା ସାନ୍ଧୁ ଏବଂ ସେମାନଙ୍କ ଝିଅଙ୍କ ପତ୍ତା ମିଳିନାହିଁ ।
ସେନାର ସ୍ୱତନ୍ତ୍ର ସନ୍ଧାନ ଦଳ ଇଞ୍ଜିନିୟରିଂ ଉପକରଣ ସାହାଯ୍ୟରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ଚେଷ୍ଟା କରୁଛି । ହେଳେ ଖରାପ ପାଗ, ଅସ୍ଥିର ଭୂମି ଏବଂ ଉଚ୍ଚତମ ଦୁର୍ଗମ ଭୂମି ସନ୍ଧାନ କାର୍ଯ୍ୟରେ ଏକ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି । ସେନା ଯଥାଶୀଘ୍ର ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି । ଭାରତୀୟ ସେନା କେବଳ ନିଖୋଜ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ଖୋଜିବାରେ ନିୟୋଜିତ ନାହିଁ ବରଂ ସମଗ୍ର ଅଞ୍ଚଳରେ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ସ୍ଥାନୀୟ ଲୋକଙ୍କୁ ସହାୟତା ପ୍ରଦାନ କରିବାଠାରୁ ଆରମ୍ଭ କରି ରାସ୍ତା ଏବଂ ଯୋଗାଯୋଗ ପୁନରୁଦ୍ଧାର କରିବା ପର୍ଯ୍ୟନ୍ତ, ସେନା ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ ଏହି ସଙ୍କଟରେ ଆଶାର କିରଣ ପାଲଟିଛି।