ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡାର ଆଲବର୍ଟାରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ କାନାଡା ଗସ୍ତରେ ଅଛନ୍ତି। ଏହି ସମୟରେ ଆଲବର୍ଟାର କାନାନାସ୍କିସ୍ରେ ଖାଲିସ୍ତାନୀ ଚରମପନ୍ଥୀମାନେ ଏକ ବିକ୍ଷୋଭ ଆୟୋଜନ କରିଛନ୍ତି। ଯାହାକୁ ସେମାନେ "ଆମ୍ବୁଶ୍" ବୋଲି ଅଭିହିତ କରିଛନ୍ତି। କାଲଗାରୀରେ ଆୟୋଜିତ ଏହି ରାଲି ମୋଦୀଙ୍କ ବିରୋଧରେ ଉଗ୍ର ସ୍ଲୋଗାନ ସହ କାନାଡୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା।
କାଲଗାରୀରେ ଶହେରୁ ଅଧିକ ଖାଲିସ୍ତାନୀ ସମର୍ଥକ ଏକତ୍ରିତ ହୋଇ ଖାଲିସ୍ତାନ ପତାକା ଉଡ଼ାଇ ଭାରତ ଓ ହିନ୍ଦୁଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସିଖସ୍ ଫର ଜଷ୍ଟିସ୍ ସଂଗଠନ ଦ୍ୱାରା ଆୟୋଜିତ ଏହି ବିକ୍ଷୋଭରେ ନେତା ମଞ୍ଜିନ୍ଦର ସିଂହ ମୋଦୀଙ୍କ ଆକ୍ରମଣାତ୍ମକ ରାଜନୀତିକୁ ଶେଷ କରିବାକୁ ଆହ୍ୱାନ ଦେଇ ଏହି ରାଲି ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନରେ ପ୍ରତିବାଦକାରୀମାନେ ଭାରତୀୟ ପତାକା ଚିରିଥିବା ଏବଂ "ମୋଦୀଙ୍କୁ ହତ୍ୟା କର" ଭଳି ସ୍ଲୋଗାନ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ଖାଲିସ୍ତାନ ଗଣଭୋଟ ପାଇଁ ଦାବି କରିଛନ୍ତି ଏବଂ ମୋଦୀଙ୍କୁ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପାଇଁ ମଧ୍ୟ ଦାୟୀ କରିଛନ୍ତି।
ପଟନା ସାହିବ ଗୁରୁଦ୍ୱାର ତଖତର ମୁଖପାତ୍ର ସୁଦୀପ ସିଂହ ଏହି ବିକ୍ଷୋଭକୁ ନିନ୍ଦା କରିଛନ୍ତି। ବିଶେଷକରି ଏହି ଆନ୍ଦୋଳନରେ ଶିଶୁମାନଙ୍କୁ ବ୍ୟବହାର କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଖସ୍ ଅଫ ଆମେରିକାର ପ୍ରତିଷ୍ଠାତା ଜସଦୀପ ସିଂହ ଜେସୀ ମୋଦୀଙ୍କ ଗସ୍ତକୁ ସ୍ୱାଗତ କରି ଏହାକୁ ଆନ୍ତର୍ଜାତୀୟ ଐକ୍ୟର ପଦକ୍ଷେପ ବୋଲି କହିଛନ୍ତି। ସେ କାନାଡୀୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନୀଙ୍କ ନେତୃତ୍ୱରେ ଖାଲିସ୍ତାନୀ ଚରମପନ୍ଥୀଙ୍କ ପ୍ରଭାବ ହ୍ରାସ ପାଇବ ବୋଲି ମତ ଦେଇଛନ୍ତି। କାନାଡୀୟ ସାମ୍ବାଦିକ ଡାନିଏଲ ବୋର୍ଡମାନ କାର୍ନୀଙ୍କ ଦ୍ୱାରା ମୋଦୀଙ୍କୁ ନିମନ୍ତ୍ରଣକୁ ପ୍ରଶଂସା କରିଛନ୍ତି. ସେ ଏହାକୁ ଖାଲିସ୍ତାନୀ ଚରମପନ୍ଥୀଙ୍କ ବିରୋଧରେ ଶକ୍ତ ଝଟକା ବୋଲି କହିଛନ୍ତି।
ବର୍ତ୍ତମାନ ପିଏମ ମୋଦୀ ତାଙ୍କର ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାନାଡାରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କାର୍ନୀଙ୍କ ନିମନ୍ତ୍ରଣ କ୍ରମେ ଜି୭ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ତାଙ୍କର ଷଷ୍ଠ ଜି୭ ସମ୍ମିଳନୀ। ଏହି ଗସ୍ତ ଭାରତ-କାନାଡା ସମ୍ପର୍କ ସୁଧାରିବାର ସୁଯୋଗ ଭାବେ ଦେଖାଯାଉଛି। ଏହା ପୂର୍ବରୁ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲା ଯୋଗୁଁ ଉଭୟ ଦେଶର ସମ୍ପର୍କ ବିଗିଡ଼ି ଯାଇଥିଲା। ପିଏମ୍ ମୋଦୀ, କାର୍ନୀ ଓ ଅନ୍ୟ ଜି୭ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ଶକ୍ତି ସୁରକ୍ଷା, ପ୍ରଯୁକ୍ତି ଓ ଆନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା କରିବେ।
ଏହି ସମ୍ମିଳନୀରେ ଇସ୍ରାଏଲ-ଇରାନ ଓ ରୁଷିଆ-ୟୁକ୍ରେନ ସଂଘର୍ଷ ଭଳି ବିଶ୍ୱବ୍ୟାପୀ ଉତ୍ତେଜନା ମଧ୍ୟରେ ଅନୁଷ୍ଠିତ ହେଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ସଭାରେ ଉପସ୍ଥିତ ଅଛନ୍ତି ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ସେ ଶୀଘ୍ର ଫେରିବେ ବୋଲି ଜଣାପଡ଼ିଛି। କାର୍ନୀଙ୍କ ନିମନ୍ତ୍ରଣକୁ ଭାରତ-କାନାଡା ସମ୍ପର୍କରେ ନୂଆ ଅଧ୍ୟାୟର ଆରମ୍ଭ ଭାବେ ଦେଖାଯାଉଛି।
ମୋଦୀଙ୍କ ଜି୭ ଗସ୍ତ ଭାରତ-କାନାଡା ସମ୍ପର୍କରେ ନୂଆ ଦିଗ ଆଣିବାର ସମ୍ଭାବନା ରହିଛି। ଖାଲିସ୍ତାନୀ ବିକ୍ଷୋଭ ସତ୍ତ୍ୱେ, କାର୍ନୀଙ୍କ ନିମନ୍ତ୍ରଣ ଓ ଦ୍ୱିପାକ୍ଷିକ ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାର ପାଇଁ ସକାରାତ୍ମକ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ୍ତ ଦେଇଛନ୍ତି।