ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ମଙ୍ଗଳବାର ଦିନ ତାଙ୍କର ଦିଲ୍ଲୀରୁ ପ୍ୟାରିସକୁ ଯାଉଥିବା ନିଜ ବିମାନ AI143ର ଉଡ଼ାଣ ରଦ୍ଦ କରିଛି। ଏନେଇ ଏୟାରଲାଇନ୍ କହିଛି ଯେ ପୂର୍ବ-ଉଡ଼ାଣ ଯାଞ୍ଚ ସମୟରେ କିଛି ଗୁରୁତର ସମସ୍ୟା ଚିହ୍ନଟ ହୋଇଥିଲା। ଯାହାକୁ ବର୍ତ୍ତମାନ ସମାଧାନ କରାଯାଉଛି। ପ୍ୟାରିସର ଚାର୍ଲ୍ସ ଡି ଗଲ୍ (CDG) ବିମାନବନ୍ଦରରେ ରାତ୍ରୀକାଳୀନ ଉଡ଼ାଣ ଉପରେ ଥିବା ନିଷେଧାଜ୍ଞା ହେତୁ ଏହି ଉଡ଼ାଣ ରଦ୍ଧ କରାଯାଇଛି। ଫଳସ୍ୱରୂପ, ୧୮ ଜୁନରେ ପ୍ୟାରିସରୁ ଦିଲ୍ଲୀ ଫେରୁଥିବା ଉଡ଼ାଣ AI142କୁ ମଧ୍ୟ ରଦ୍ଦ କରାଯାଇଛି।
ଏୟାର ଇଣ୍ଡିଆ ଏନେଇ ଏକ ବିବୃତି ଜାରି କରି କହିଛି ଯେ, "ଆମେ ଆମ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖିତ। ଆମେ ଯାତ୍ରୀମାନଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳକୁ ଶୀଘ୍ର ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛୁ।" ଏୟାରଲାଇନ୍ ପ୍ରଭାବିତ ଯାତ୍ରୀମାନଙ୍କୁ ହୋଟେଲ ରହଣି ଏବଂ ରିଫଣ୍ଡ କିମ୍ବା ମାଗଣାରେ ପୁନଃନିର୍ଦ୍ଧାରଣ ସୁବିଧା ପ୍ରଦାନ କରୁଛି।
ଏହାକୁ ମିଶାଇ ଗୋଟିଏ ଦିନରେ ଏୟାର ଇଣ୍ଡିଆର ଏହା ଦ୍ୱିତୀୟ ଆନ୍ତର୍ଜାତୀୟ ଉଡ଼ାଣ ରଦ୍ଦ ହେବା ଘଟଣା ଭାବେ ସାମ୍ନାକୁ ଆସିଛି। ଏହା ପୂର୍ବରୁ ଅହମଦାବାଦରୁ ଲଣ୍ଡନ ଗ୍ୟାଟୱିକ୍କୁ ଯାଉଥିବା ଉଡ଼ାଣ AI159କୁ ମଧ୍ୟ ରଦ୍ଦ କରାଯାଇଥିଲା। ଏୟାରଲାଇନ୍ କହିଛି ଯେ ବର୍ତ୍ତମାନ ସମସ୍ତ ବିମାନକୁ ଅତିରିକ୍ତ ସୁରକ୍ଷା ଯାଞ୍ଚ ଦେଇ ଯିବାକୁ ପଡୁଛି। କାରଣ ଅହମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ ଗୁଡିକୁ ଆହୁରି ସତର୍କତାର ସହ ପଦକ୍ଷେପ ନେଉଛନ୍ତି। ସୂଚନା ମୁତାବକ, ଗତ ୧୨ ଜୁନରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ବୋଇଙ୍ଗ ୭୮୭-୮ ଡ୍ରିମଲାଇନର (AI171) ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ୧୨ ଜଣ କ୍ରୁ ମେମ୍ୱରଙ୍କ ସହ ମୋଟ୍ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ଏୟାର ଇଣ୍ଡିଆ କହିଛି ଯେ ସୁରକ୍ଷା ତାଙ୍କର ପ୍ରାଥମିକତା ଏବଂ ଯାତ୍ରୀମାନଙ୍କୁ ଅସୁବିଧା କମାଇବା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ଅଧିକ ସୂଚନା ପାଇଁ ଯାତ୍ରୀମାନେ ଏୟାର ଇଣ୍ଡିଆର ଅଫିସିଆଲ ୱେବସାଇଟ www.airindia.com କିମ୍ବା X ହ୍ୟାଣ୍ଡେଲ @airindia ମାଧ୍ୟମରେ ଅପଡେଟ୍ ପାଇପାରିବେ।
ଏହି ଦୁର୍ଘଟଣା ଘଟିବା ପରେ ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନର ଉଡାଣ ଉପରେ ଅଧିକ ନିରିକ୍ଷଣ କରାଯାଉଛି। କାରଣ ଏହି ବିମାନ ନିକଟରେ ଅନେକ ବିଫଳତା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତେଣୁ ବିଭିନ୍ନ ଏୟାରଲାଇନ୍ ଓ ବିମାନ ନିର୍ମାତା ବୋଇଙ୍ଗ ଉପରେ ଏହା ଅଧିକ ସୁରକ୍ଷା ପାଇଁ ଚାପ ସୃଷ୍ଟି କରିଛି।