ପ୍ରମୂଖ ଖବର
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଏବେ ଭାରତରେ ନିର୍ମାଣ ହେବ ଫାଲକନ ୨୦୦୦ ବିଜନେସ୍ ଜେଟ୍; ଫ୍ରେଞ୍ଚ କମ୍ପାନି ଡସାଲ୍ଟ ଏଭିଏସନ ସହ ପାର୍ଟନରଶିପ କଲେ ଅନିଲ ଅମ୍ବାନି

Published By : Bijay Swain | June 18, 2025 10:46 PM

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରମୁଖ ଏରୋସ୍ପେସ କମ୍ପାନୀ ଡାସଲ୍ଟ ଏଭିଏସନ୍ ଏବଂ ଅନିଲ ଆମ୍ବାନୀଙ୍କ ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡ୍‌ର ସହାୟକ ସଂସ୍ଥା ରିଲାଏନ୍ସ ଏରୋଷ୍ଟ୍ରକଚର ଲିମିଟେଡ୍ (ଆର୍‌ଏଏଲ୍) ଭାରତରେ ଫାଲକନ୍ ୨୦୦୦ ବ୍ୟବସାୟିକ ଜେଟ୍ ଉତ୍ପାଦନ ପାଇଁ ଏକ ଐତିହାସିକ ଭାଗିଦାରୀ ଘୋଷଣା କରିଛନ୍ତି। ଏହି ଘୋଷଣା ପ୍ୟାରିସ୍ ଏୟାର ଶୋ’ରେ କରାଯାଇଛି। ଯାହା ଭାରତର ଏରୋସ୍ପେସ ଉତ୍ପାଦନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଡାସଲ୍ଟ ଏଭିଏସନ୍‌ର ଇତିହାସରେ ପ୍ରଥମ ଥର ପାଇଁ ଫାଲକନ୍ ୨୦୦୦ ଜେଟ୍‌ଗୁଡ଼ିକୁ ଫ୍ରାନ୍ସ ବାହାରେ ଉତ୍ପାଦନ କରାଯିବ। ଯାହା ଭାରତକୁ ବିଶ୍ୱସ୍ତରୀୟ ଏଭିଏସନ୍ ହବ୍ ଭାବେ ପ୍ରତିଷ୍ଠିତ କରିବା ପାଇଁ ଆଉ ପାଦେ ଆଗକୁ ନେବ ବୋଲି ବିଶେଷଜ୍ଞମାନେ ମତ୍ତପ୍ରକାଶ କରିଛନ୍ତି।

ଏହି ଭାଗିଦାରୀ ଅନୁଯାୟୀ, ମହାରାଷ୍ଟ୍ରର ନାଗପୁରସ୍ଥିତ ଡାସଲ୍ଟ ରିଲାଏନ୍ସ ଏରୋସ୍ପେସ ଲିମିଟେଡ୍ (ଡିଆରଏଏଲ୍) ପ୍ଲାଣ୍ଟରେ ଫାଲକନ୍ ୨୦୦୦ ଜେଟ୍‌ର ଚୂଡ଼ାନ୍ତ ଲାଇନ୍ ସ୍ଥାପନ କରାଯିବ। ୨୦୨୮ ସୁଦ୍ଧା ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଫାଲକନ୍ ୨୦୦୦ ଜେଟ୍ ଉଡ଼ାଣ ଭରିବାର ସମ୍ଭାବନା ରହିଛି। ଯାହା କର୍ପୋରେଟ ଏବଂ ସାମରିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରହିବ ବୋଲି ଘୋଷଣା କରାଯାଇଛି। ଏହି ଉଦ୍ୟୋଗ ଭାରତୀୟ ଏବଂ ଆନ୍ତର୍ଜାତୀୟ ବଜାରରେ ବଢ଼ୁଥିବା ଚାହିଦାକୁ ପୂରଣ କରିବ।

ଡାସଲ୍ଟ ଏଭିଏସନ୍‌ର ଅଧ୍ୟକ୍ଷ ତଥା ସିଇଓ ଏରିକ୍ ଟ୍ରାପିୟର କହିଛନ୍ତି ଯେ, “ଏହି ଚୁକ୍ତି ଡିଆରଏଏଲ୍‌କୁ ଫ୍ରାନ୍ସ ବାହାରେ ଫାଲକନ୍ ନିର୍ମାଣ ପାଇଁ ପ୍ରଥମ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସଲେନ୍ସ) ଭାବେ ପ୍ରତିଷ୍ଠିତ କରିବ। ଏବଂ ଭାରତକୁ ବିଶ୍ୱ ଏରୋସ୍ପେସ ଯୋଗାଣ ଶୃଙ୍ଖଳାରେ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ି ତୋଳିବ।” ରିଲାଏନ୍ସ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଅନିଲ ଡି. ଆମ୍ବାନୀ କହିଛନ୍ତି, “ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ ଫର ଦି ଓ୍ୱାର୍ଲ୍ଡ’ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।”

ଡିଆରଏଏଲ୍ ୨୦୧୭ ମସିହାରେ ଗଠିତ ହୋଇଥିଲା ଏବଂ ନାଗପୁରର ମିହାନ୍‌ରେ ଏକ ଅତ୍ୟାଧୁନିକ ଉତ୍ପାଦନ ସୁବିଧା ସ୍ଥାପନ କରିଥିଲା। ୨୦୧୯ରେ ପ୍ରଥମ ଫାଲକନ୍ ୨୦୦୦ ଫ୍ରଣ୍ଟ ସେକ୍ସନ୍ ଯୋଗାଣ କରିବା ପରେ ଡିଆରଏଏଲ୍ ୧୦୦ରୁ ଅଧିକ ପ୍ରମୁଖ ଉପ-ବିଭାଗ ନିର୍ମାଣ କରିଛି, ଯାହା ଏହାର ବିଶ୍ୱସ୍ତରୀୟ ଉତ୍ପାଦନ ଦକ୍ଷତାକୁ ପ୍ରମାଣ କରୁଛି। ଆଗାମୀ ଦଶନ୍ଧିରେ ଡିଆରଏଏଲ୍ ଶହେରୁ ଅଧିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ୍‌ଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। ଯାହା ଭାରତର ଏରୋସ୍ପେସ ଉତ୍ପାଦନ ଇକୋସିଷ୍ଟମକୁ ଆହୁରି ମଜବୁତ କରିବ।

ଏହି ପ୍ରକଳ୍ପ ଭାରତକୁ ଆମେରିକା, ଫ୍ରାନ୍ସ, କାନାଡା ଏବଂ ବ୍ରାଜିଲ ପରେ ବ୍ୟବସାୟିକ ଜେଟ୍ ଉତ୍ପାଦନ କରୁଥିବା ଦେଶମାନଙ୍କ ତାଲିକାରେ ସାମିଲ କରାଇଛି। ନାଗପୁରରେ ଥିବା ପ୍ଲାଣ୍ଟରେ ଅତି ସହଜରେ ବାର୍ଷିକ ୨୪ଟି ଫାଲକନ୍ ୨୦୦୦ ଜେଟ୍ ଉତ୍ପାଦନ କ୍ଷମତା ରହିବ, ଯାହା ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଉଦ୍ୟୋଗକୁ ଆହୁରି ଶକ୍ତିଶାଳୀ କରିବ।

ଏଥିନେଇ ଆଧିକାରିକ ଘୋଷଣା ପରେ ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକଚରର ଶେୟାର ମୂଲ୍ୟ ୫% ବୃଦ୍ଧି ପାଇଛି। ତେବେ ଡାସଲ୍ଟର ଶେୟାର ମୂଲ୍ୟ ପ୍ରାୟତଃ ସ୍ଥିର ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.