ଭୁବନେଶ୍ଵର, ୧୧/୦୭ : ଓଡ଼ିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ଅଟକ ରଖାଯିବା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି। ଏହି ପ୍ରସଙ୍ଗରେ ଟିଏମ୍ସି ସାଂସଦ ମହୁଆ ମୋଇତ୍ରାଙ୍କୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ମହୁଆ ମୋଇତ୍ରା ଓଡ଼ିଶାର ନୂଆ ନୂଆ ବୋହୂ ହୋଇଛନ୍ତି, ସେ ଓଡ଼ିଶାର ସ୍ୱାର୍ଥକୁ ବି ଦେଖନ୍ତୁ। ଓଡ଼ିଶାରେ ବାଂଲାଦେଶୀ ଲୋକ ଅଧିକ ହୋଇଯିବେ ଆଉ ଆମେ ଯଦି ସଂଖ୍ୟା ଲଘୁ ହୋଇଯିବୁ, ଏକଥା କଣ ମହୁଆ ମୋଇତ୍ରା ଚାହୁଁଛନ୍ତି କି? ସେ ବାଂଲାଦେଶୀ ଏବଂ ପଶ୍ଚିମବଙ୍ଗ ଲୋକଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଜାଣି ନାହାନ୍ତି। ଯଦି ପଶ୍ଚିମବଙ୍ଗର ଗୋଟେ ବି ଲୋକକୁ ଓଡ଼ିଶାରୁ ବାହାର କରାଯିବ ତେବେ ତାହାର ପ୍ରତିବାଦ ମୁଁ କରିବି। ପଶ୍ଚିମବଙ୍ଗର କଥା ନୁହେଁ ବର୍ମାର ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କଥା ଆସୁଛି। ସେମାନଙ୍କୁ ବାହାର କରିବାକୁ ଆମେ ଦାବି କରୁଛୁ।
ଜୟ ନାରାୟଣ କହିଛନ୍ତି, ଓଡ଼ିଶା ବାଂଲାଦେଶୀ ମୁସଲିମ ପୂର୍ଣ୍ଣ ହୋଇଗଲାଣି। ବାଂଲାଦେଶରେ ଅପରାଧ କରି ଆମ ଓଡ଼ିଶାକୁ ଆସୁଛନ୍ତି। ଏମାନଙ୍କୁ ଚି଼ହ୍ନଟ କରି ବାହାର କରିବାର ଆବଶ୍ୟକତା ରହିଛି। ଏମାନଙ୍କୁ ବାହାର ନକଲେ ଆମେ ଆସାମ ଭଳି ସଂଖ୍ୟାଲଘୁ ରାଜ୍ୟରେ ପରିଣତ ହେବୁ। ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ଓଡ଼ିଶା ନୁହେଁ ଭାରତରୁ ବାହାର କରାଯାଉ। ଆଧାର କାର୍ଡ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର କରୁଛନ୍ତି। ଭୋଟ୍ ବ୍ୟାଙ୍କ୍ ଆଧାରରେ ବିଜେଡି ସରକାର ତିଆରି କରିଥିଲେ। ପ୍ରସନ୍ନ ବାବୁ କାହିଁକି ଭୁଲି ଯାଉଛନ୍ତି।
ପ୍ରକାଶ ଥାଉକି, ଓଡ଼ିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ଅଟକ ରଖାଯିବା ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଓଡ଼ିଶାର ବିଜେପି ସରକାରଙ୍କୁ ସିଧାସଳଖ ଦାୟୀ କରିଥିଲେ। ସୋସିଆଲ୍ ମିଡିଆରେ ଭିଡିଓ ଜାରି କରି ମହୁଆ ଅଭିଯୋଗ କରିଥିଲେ, ପଶ୍ଚିମବଙ୍ଗ ତଥା ତାଙ୍କ ନିର୍ବାଚନମଣ୍ଡଳୀରୁ ଆସିଥିବା ୪୪୦ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଝାରସୁଗୁଡ଼ାରେ ଅଟକ ରଖାଯାଇଛି । ତା’ ମଧ୍ୟରେ ତାଙ୍କ ନିର୍ବାଚନମଣ୍ଡଳୀର ୨୩ ଜଣ ଶ୍ରମିକ ଅଛନ୍ତି । କାଗଜପତ୍ର ଯାଞ୍ଚ ନାଁରେ ସଭିଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି । ସେମାନଙ୍କୁ ଶୀଘ୍ର ମୁକ୍ତ କରାଯାଉ। ସମସ୍ତ ୨୩ଜଣ ଶ୍ରମିକଙ୍କର ଆଧାର କାର୍ଡ ଓ ଅନ୍ୟାନ୍ୟ ସରକାରୀ ପରିଚୟପତ୍ର ରହିଛି । ତେଣୁ ସେମାନଙ୍କୁ ଅଯଥାରେ ହଇରାଣ କରାନଯାଉ । ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରରେ ଏଭଳି ସ୍ଥିତି ଦେଖିବାକୁ ମିଳୁନଥିଲା । ମାତ୍ର ଓଡ଼ିଶାରେ ବିଜେପି ଶାସନର ୧ ବର୍ଷ ଭିତରେ ବାରମ୍ବାର ଏଭଳି ସ୍ଥିତି ଉପୁଜୁଛି । ଓଡ଼ିଶାରେ ପର୍ଯ୍ୟଟନରୁ ଯେତିକି ରାଜସ୍ୱ ଆସୁଛି, ତା’ର ୫୦% କେବଳ ବଙ୍ଗୀୟ ପର୍ଯ୍ୟଟକଙ୍କଠାରୁ ଆସୁଛି । ବଙ୍ଗୀୟ ଶ୍ରମିକଙ୍କୁ ଏଭଳି ହଇରାଣ କଲେ, ଯଦି ଆଗକୁ ବଙ୍ଗୀୟ ପର୍ଯ୍ୟଟକ ଓଡ଼ିଶା ଯିବା ବନ୍ଦ କରିଦେବେ, ତେବେ କ’ଣ ହେବ? ଏ ଦିଗରେ ଥରେ ସରକାର ଚିନ୍ତା କରନ୍ତୁ ।