ପ୍ରମୂଖ ଖବର
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆମେରିକାକୁ ଧମକ ଦେଲା ଇରାନ୍‌, ‘ଆକ୍ରମଣ କଲେ ମିଳିବ କଡ଼ା ଜବାବ’

Published By : Tapas Panda | June 18, 2025 6:22 PM

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ୍‌ ମଧ୍ୟରେ ଜାରି ଯୁଦ୍ଧକୁ ଡେଇଁପାରେ ଆମେରିକା । ଗତ ଶୁକ୍ରବାର ପାଖରୁ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ଇସ୍ରାଏଲ ଇରାନ୍‌ର ସୈନ୍ୟ ଏବଂ ପରମାଣୁ ଠିକଣା ଉପରେ ଆକ୍ରମଣ କରୁଛି । ସେପଟେ ଇରାନ୍‌ ମଧ୍ୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରୁଛି । ଏଥିରେ ଇସ୍ରାଏଲର ମଧ୍ୟ ବହୁ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ଏହାରି ମଧ୍ୟରେ, ବିଶ୍ବର ଅନ୍ୟତମ ମହାଶକ୍ତି ଆମେରିକା ଇସ୍ରାଏଲକୁ ସମର୍ଥନ କରି ଯୁଦ୍ଧରେ ସାମିଲ ହେବାର ସମ୍ଭାବନା ବଢ଼ିଯାଇଛି । ଆଉ ଏହାକୁ ନେଇ ଉତକ୍ଷିପ୍ତ ହୋଇଉଠିଛି ଇରାନ । ଆମେରିକାକୁ ବି ଚେତବାନୀ ଦେଇଛି ଇରାନ୍‌ । ପ୍ରଥମେ ଇସ୍ରାଏଲ ଏବଂ ବର୍ତ୍ତମାନ ଆମେରିକାକୁ ନାଲିଆଖି ଦେଖାଇଛନ୍ତି ଇରାନ୍‌ । 

ଏହା ପୂର୍ବରୁ ଖାମେନିଙ୍କୁ ନପାତ କରିବାକୁ ଧମକ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଉପରେ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ ଆମେରିକାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକାର ଯେକୌଣସି ପ୍ରକାରର ହସ୍ତକ୍ଷେପ ଏହି ଅଞ୍ଚଳରେ ଏକ ପୂର୍ଣ୍ଣକାଳୀନ ଯୁଦ୍ଧର କାରଣ ହେବ। 

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ସମୟରେ, ଆମେରିକା ଏଥିରୁ ନିଜକୁ ଦୂରେଇ ରଖିଥିଲା। ତଥାପି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏହି ଯୁଦ୍ଧରେ ଅଂଶଗ୍ରହଣ କରିବା ସମ୍ଭାବନା ବଢ଼ିଛି । ଆମେରିକା ଖୁବଶୀଘ୍ର ଇରାନ ବିରୁଦ୍ଧରେ ଆକ୍ରମଣରେ ଇସ୍ରାଏଲ ସହିତ ଯୋଗ ଦେଇପାରେ। ବହୁ ଆମେରିକୀୟ ଲଢ଼ୁଆ ବିମାନ ଏବଂ ଇନ୍ଧନ ବିମାନ ମଧ୍ୟପ୍ରାଚ୍ୟରେ ପହଞ୍ଚି ସାରିଛନ୍ତି କିମ୍ବା ସେଠାରେ ପହଞ୍ଚିବାକୁ ଯାଉଛନ୍ତି। କିନ୍ତୁ ଏହି ସମୟରେ, ନ୍ୟୁୟର୍କ ଟାଇମ୍ସ ଗୁଇନ୍ଦା ରିପୋର୍ଟ ସମୀକ୍ଷା କରୁଥିବା ଅଧିକାରୀଙ୍କ ସୂଚନା ଆଧାରରେ ରିପୋର୍ଟ କରିଛି ଯେ, ଆମେରିକା ପାଇଁ ଇରାନ ଉପରେ ଆକ୍ରମଣ କରିବା ଏତେ ସହଜ ହେବ ନାହିଁ। ଯଦି ଆମେରିକା ତେହରାନ ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧରେ ଯୋଗ ଦିଏ, ତେବେ ଇରାନ ମଧ୍ୟପ୍ରାଚ୍ୟରେ ଆମେରିକୀୟ ଘାଟି ଉପରେ ଆକ୍ରମଣ କରିବା ପାଇଁ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲୀ ଖାମେନିଙ୍କୁ ହତ୍ୟା କରିବାକୁ ଧମକ ଦେବା ପରେ ଇରାନ ଆମେରିକାକୁ ଶିକ୍ଷା ଦେବା ପାଇଁ ଏହି ପ୍ରସ୍ତୁତି କରିଛି। ଡୋନାଲ୍ଡ ଟ୍ରମ୍ପ ଇରାନକୁ ବିନାଶ ଏଡାଇବା ପାଇଁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବାକୁ କହିଛନ୍ତି। କିନ୍ତୁ ଇରାନର ପ୍ରସ୍ତୁତିକୁ ଦେଖିଲେ ମନେ ହେଉନାହିଁ ଯେ, ଇସଲାମିକ ଦେଶ ହାର ମାନିବ। ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ‘ଆମେ ଠିକ୍ ଜାଣିଛୁ ତଥାକଥିତ "ସର୍ବୋଚ୍ଚ ନେତା" କେଉଁଠି ଲୁଚି ରହିଛନ୍ତି। ସେ ଏକ ସହଜ ଟାର୍ଗେଟ, କିନ୍ତୁ ସେ ସେଠାରେ ସୁରକ୍ଷିତ ଅଛନ୍ତି, ଆମେ ତାଙ୍କୁ ହତ୍ୟା କରୁନାହୁଁ । ଅତି କମରେ ଏବେ ନୁହେଁ। କିନ୍ତୁ ଆମେ ଚାହୁଁନାହୁଁ ଯେ, ସାଧାରଣ ନାଗରିକ କିମ୍ବା ଆମେରିକୀୟ ସୈନିକଙ୍କ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଉ। ଆମର ଧୈର୍ଯ୍ୟ ଶେଷ ହେଉଛି।’

ସେପଟେ ୱାଶିଂଟନସ୍ଥିତ ଏକ ଇରାନୀ ମାନବାଧିକାର ଗୋଷ୍ଠୀ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଇରାନରେ ୨୩୯ ଜଣ ସାଧାରଣ ନାଗରିକଙ୍କ ସମେତ ଅତି କମରେ ୫୮୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ ମଧ୍ୟ ଇସ୍ରାଏଲ ଉପରେ ୪୦୦ କ୍ଷେପଣାସ୍ତ୍ର ଏବଂ ଶହ ଶହ ଡ୍ରୋନ୍ ମାଡ଼ କରିଛି। ଇସ୍ରାଏଲରେ ଏହି ଆକ୍ରମଣରେ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.