ଭୁବନେଶ୍ୱର,୨୧/୦୮(ଅମନ ଆୟୁଷ୍ମାନ ଦାସ): ଓଡ଼ିଶାରେ ଉନ୍ନତ ପ୍ରଜାତିର ଦେଶୀ ଛେଳି ଅଛନ୍ତି । ମୁଖ୍ୟତଃ ଗଞ୍ଜାମ, ନବରଙ୍ଗପୁର ଜିଲ୍ଲାର ରାଇଘର, ଘୁମୁସର, କୋରାପୁଟ ଓ ନୂଆପଡ଼ାର ମାରାଗୁଡ଼ା ପ୍ରଜାତି ଅନ୍ୟତମ । ଏମାନଙ୍କ ମଧ୍ୟରୁ କେବଳ ଗଞ୍ଜାମ ଛେଳିକୁ ଜାତୀୟ ମାନ୍ୟତା ମିଳିଛି । ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ୍ (ଆଇସିଏଆର-ଏନବିଏଜିଆର୍) ମଧ୍ୟ ଏହି ଛେଳିକୁ ଚିହ୍ନଟ କରିଛି । ଏବେ ରାଇଘର ଓ ଘୁମୁସର ପ୍ରଜାତି ଛେଳି ଉପରେ ଗବେଷଣା ସରିଯାଇଥିଲେ ମଧ୍ୟ ଉଭୟକୁ ମାନ୍ୟତା ମିଳିନି । ଏବେ ଅଧିକରୁ ଅଧିକ ଶଙ୍କରଜାତୀୟ ଛେଳି ଆସିବାରୁ ଆମ ରାଜ୍ୟର ଦେଶୀ ଛେଳିଙ୍କ ପରିଚୟ ହଜିଯିବାକୁ ବସିଛି ।
ରାଇଘର, ଘୁମୁସର ପ୍ରଜାତି ଛେଳିଙ୍କ ଉପରେ ଗବେଷଣା ରିପୋର୍ଟ ଏନ୍ବିଏଜିଆର୍କୁ ହସ୍ତାନ୍ତର ହେବାର ଦେଢ଼ ବର୍ଷ ବିତିଗଲାଣି । ହେଲେ ମାନ୍ୟତା ମିଳିବାରେ ବିଳମ୍ବ ହେଉଛି । ମାନ୍ୟତା ମିଳିଗଲେ ସରକାର ଅଧିକ ଫୋକସ୍ କରିବେ ଓ ସାରା ଓଡ଼ିଶାରେ ଏହି ଛେଳି ପାଳନ ହୋଇପାରିବ । ବର୍ତ୍ତମାନ ମୟୁରଭଞ୍ଜରେ ଦେଖାଦେଉଥିବା ଏକ ସ୍ୱତନ୍ତ୍ର ପ୍ରଜାତିର ଛେଳି ଉପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଗବେଷଣା କରୁଛି । ସେହିପରି ନୂଆପଡ଼ା ଜିଲ୍ଲାର ମାରାଗୁଡ଼ା ଓ କୋରାପୁଟର ନାରାୟଣପାଟଣା ଛେଳି ଉପରେ ଗବେଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଦେଶ ସ୍ୱାଧୀନ ପୂର୍ବରୁ ଓ ପରେ ଓଡ଼ିଶାରେ କେବଳ ଗଞ୍ଜାମ ଛେଳି ହିଁ ଥିଲେ । ଯାହା ଦକ୍ଷିଣ ଓଡ଼ିଶାର ଘରେ ଘରେ ପାଳନ ହେଉଥିଲା । କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ସମ୍ବଲପୁର, ଫୁଲବାଣୀ, ନବରଙ୍ଗପୁର, କୋରାପୁଟରେ ଛେଳି ରହିଥିଲେ ହେଁ ଏହି ପ୍ରଜାତି ବିଷୟରେ କିଛି ଜଣାପଡ଼ିନଥିଲା । ସେତେବେଳେ ଛେଳି ଗରିବ ଲୋକଙ୍କୁ ରୋଜଗାର ଦେଉଥିଲା । ବ୍ରିଟିଶ ସରକାର ଗଞ୍ଜାମ ଛେଳିକୁ ଚିହ୍ନଟ କରିଥିଲେ ବୋଲି ଓୟୁଏଟିର ଅବସରପ୍ରାପ୍ତ ଗବେଷକ ପ୍ରଫେସର ସୁଶାନ୍ତ ଦାସ ସୂଚନା ଦେଇଛନ୍ତି । ଏହାପରେ ବିଭିନ୍ନ ଅଞ୍ଚଳରେ ଛେଳିଙ୍କୁ ଖୋଜି ସେମାନଙ୍କ ଉପରେ ଗବେଷଣା କରିବାକୁ ଓୟୁଏଟି ଅଣ୍ଟା ଭିଡ଼ିଛି ।
୨୦୦୧ ମସିହାରେ ଏକ ସର୍ବଭାରତୀୟ ପ୍ରକଳ୍ପ (ଗଂଜାମ ଛେଳି) ଉପରେ ଆରମ୍ଭ ହୋଇଥିଲା । ଗବେଷକମାନେ ପ୍ରଥମେ ଗଞ୍ଜାମ ଛେଳିଙ୍କ ଉପରେ ଦୃଷ୍ଟି ଦେଇଥିଲେ । ଗବେଷଣାରୁ ଜଣାପଡ଼ିଲା ଗଞ୍ଜାମ ଛେଳି ସବୁ ପାଣିପାଗରେ ନିଜକୁ ଖାପ ଖୁଆଇ ପାରିବେ । ଏମାନେ ଦ୍ୱୈତ ଶାବକ ଜନ୍ମ ଦେଇପାରିବେ । ଏହି ଛେଳିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଅଧିକ । ସେଥିପାଇଁ ଏହି ଦେଶୀ ଛେଳିର ସ୍ୱତନ୍ତ୍ରତା ରହିଛି । ଏହି ଛେଳିର ସବିଶେଷ ରିପୋର୍ଟ ଏନବିଜିଏଆରକୁ ପ୍ରଦାନ କରାଯିବା ପରେ ଜାତୀୟ ମାନ୍ୟତା ମିଳିଥିଲା । ଏଥିସହ ଅନ୍ୟ ଛେଳିଙ୍କ ଉପରେ ଗବେଷଣା ପାଇଁ ଅନୁମତି ଦିଆଗଲା । ଗଞ୍ଜାମ, ଫୁଲବାଣୀ, ବୌଦ୍ଧ ଅଞ୍ଚଳରେ ଥିବା ଘୁମୁସର ଓ ରାଇଘର ଛେଳି ଉପରେ ଗବେଷଣା ହୋଇଥିଲା । ଯେଉଁ ଛେଳି ଯେଉଁ ଅଞ୍ଚଳରେ ରୁହେ ତାକୁ ସେହି ଅଞ୍ଚଳ ନାମରେ ନାମିତ କରାଯାଏ । ଗବେଷଣାରୁ ଘୁମୁସର ଓ ରାଇଘର ଛେଳିଙ୍କ ଶରୀରରେ ମଧ୍ୟ ଉନ୍ନତମାନର ଜିନ୍ଗତ ଗୁଣ ଥିବା ଜଣାପଡ଼ିଥିଲା । ଗଂଜାମ ଛେଳିଙ୍କ ଭଳି ଏମାନେ ମଧ୍ୟ ଗରମ ସହିପାରୁଛନ୍ତି । ୨୦୧୬ରେ ଉଭୟ ପ୍ରଜାତିର ଛେଳିଙ୍କ ଉପରେ ଗବେଷଣା ସରିଥିଲା ।
ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ାର ମାରାଗୁଡ଼ା, କୋରାପୁଟର ନାରାୟଣପାଟଣା ଓ ଏବେ ମୟୁରଭଞ୍ଜ ଛେଳି ଉପରେ ପ୍ରଫେସର ଦାସ ଓ ତାଙ୍କ ଚିମ୍ ଗବେଷଣା କରୁଛନ୍ତି । ମାରାଗୁଡ଼ା ଓ ନାରାୟଣପାଟଣା ଛେଳିଙ୍କ ଗବେଷଣା ପ୍ରାୟତଃ ଶେଷ ହୋଇଛି । ମୟୁରଭଞ୍ଜ ଛେଳି ମାଂସ ଚର୍ବିହୀନ । ସେଥିପାଇଁ ମୁଢି ମାଂସରେ ଏହାକୁ ବ୍ୟବହାର କରାଯାଏ । ପ୍ରଫେସର ଦାସ କହିଛନ୍ତି, ଓୟୁଏଟି ପକ୍ଷରୁ ୬ଟି ଛେଳି ଉପରେ ଗବେଷଣା ହୋଇଥିଲା । ତିନିଟିର ସରିଥିବା ବେଳେ ଗୋଟିଏର ଚାଲିଛି । ଦୁଇଟି ଛେଳି ମାନ୍ୟତା ଅପେକ୍ଷାରେ ଅଛି । ସବୁ ଛେଳିଙ୍କୁ ମାନ୍ୟତା ମିଳିଲେ ଓଡ଼ିଶା ସହ ସାରା ଭାରତରେ ଏହା ଲାଭଦାୟକ ପାଲଟିବ । ଛେଳି ଲାଭଜନକ ବେପାର ହୋଇଥିବାରୁ ରାଜ୍ୟ ସରକାର ଛେଳି ପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଓ ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ରିହାତି ଦରରେ ଛେଳି ଯୋଗାଇ ଦେଉଛନ୍ତି ।
ଛେଳି ଜନ୍ମ ପାଇଁ କୃତ୍ରିମ ପ୍ରଜନନ ପ୍ରଣାଳୀ ‘ଗୋଟ୍ ଏଆଇ’ ଆସିଛି । ୨୦୨୩ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୃତ୍ରିମ ପ୍ରଜନନ ପାଇଁ ଯୋଜନା ହୋଇଥିଲା । ଦେଶୀ ଛେଳିକୁ ଯମୁନାପୁରୀ, ବିଟଲ୍, ଶିରୋହୀ, ଗଞ୍ଜାମ ଏବଂ ବ୍ଲାକ୍ ବେଙ୍ଗଲ୍ ସହିତ କ୍ରସ୍ବ୍ରିଡିଂ କରାଯାଇ ଉନ୍ନତ ମାନର ଛେଳି ଉତ୍ପାଦନ କରାଯାଉଛି । ରାଜ୍ୟରେ ଥିବା ନାରାୟଣପାଟଣା, ରାଇଘର, ମାରାଗୁଡ଼ା, ଘୁମୁସର ଆଦି ସ୍ଥାନୀୟ ପ୍ରଜାତିର ଛେଳିକୁ ଚିହ୍ନଟ କରାଯାଇ ପ୍ରଜନନ ନୀତିରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି । ଗାଈଙ୍କ ଭଳି ଛେଳିଙ୍କ ପାଇଁ ଫ୍ରୋଜେନ୍ ସିମେନ୍ ଅଧିକରୁ ଅଧିକ ଉତ୍ପାଦନ ହେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।