ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ (LAC) ସ୍ଥିତି ନେଇ ନୂଆଦିଲ୍ଲୀରେ ବୁଧବାର ଭାରତ-ଚୀନ ସୀମା ବିଷୟରେ ପରାମର୍ଶ ଓ ସମନ୍ୱୟ ପାଇଁ କାର୍ଯ୍ୟକାରୀ ପ୍ରଣାଳୀ (WMCC) ର ୩୪ତମ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ଦେଶ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖି ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ କରିବା ଦିଗରେ ଉଭୟ ଦେଶ ସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଉଭୟ ପକ୍ଷ LACରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଦ୍ୱିପାକ୍ଷିକ ସମ୍ପର୍କ ଉନ୍ନତ କରିବା ପାଇଁ ଆଲୋଚନା କରିଛନ୍ତି। ଚୀନ ଏହି ଆଲୋଚନାକୁ ଖୋଲାଖୋଲି ଓ ଗଭୀର ବୋଲି ବର୍ଣ୍ଣନା କରିଛି। ଏହା ସହିତ ୨୩ତମ ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ (SR) ବୈଠକର ଫଳାଫଳକୁ କାର୍ଯ୍ୟକାରୀ କରିବା ଏବଂ ଚଳିତ ବର୍ଷ ଭାରତରେ ହେବାକୁ ଥିବା ୨୪ତମ SR ବୈଠକ ପାଇଁ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ନିୟମିତ ଯୋଗାଯୋଗ ଓ ସମ୍ପର୍କ ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି।
ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ ବିଭାଗ) ଗୌରାଙ୍ଗଲାଲ ଦାସ। ଚୀନ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଚୀନର ବୈଦେଶିକ ମନ୍ତ୍ରଣାଳୟର ସୀମା ଓ ସାମୁଦ୍ରିକ ବ୍ୟାପାର ବିଭାଗର ମହାନିର୍ଦେଶକ ହଂ ଲିଆଙ୍ଗ। ହଂ ଲିଆଙ୍ଗ ମଧ୍ୟ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କୁ ସାକ୍ଷାତ କରିଥିଲେ।
୨୦୨୪ ଅକ୍ଟୋବରରେ ଦେମଚୋକ ଓ ଦେପସାଙ୍ଗରେ ସୈନ୍ୟ ବିଚ୍ଛିନ୍ନକରଣ ପ୍ରକ୍ରିୟା ସମାପ୍ତ ହେବା ପରେ ଭାରତ ଓ ଚୀନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ, LACରେ ଉଭୟ ଦେଶ ୫୦,୦୦୦ ରୁ ୬୦,୦୦୦ ସୈନ୍ୟ ମୁତୟନ କରିଛନ୍ତି ଏବଂ ସୈନ୍ୟ ହ୍ରାସ ପାଇଁ ଉଭୟ ଦେଶ ମଧ୍ୟରେ ପୂର୍ଣ୍ଣାଙ୍ଗ ଡି-ଏସ୍କାଲେସନ ଏପର୍ଯ୍ୟନ୍ତ ଯାଏଁ ସ୍ୱାକ୍ଷରିତ ହୋଇପାରିନାହିଁ।
୨୦୨୦ ମଇରେ ପୂର୍ବ ଲଦାଖରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ। ଏହାପରେ ୨୦୨୦ ମସିହା ଜୁନ ମାସରେ ଗଲୱାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଓ ଏକଧିକ ଚୀନୀ ସୈନିକ ପ୍ରାଣ ହରାଇଥିଲେ। ୨୦୨୪ ମସିହା ଅକ୍ଟୋବର ୨୧ ତାରିଖରେ ଦେମଚୋକ ଓ ଦେପସାଙ୍ଗରେ ବିଚ୍ଛିନ୍ନକରଣ ଚୁକ୍ତି ସମ୍ପାଦନ ହେବା ପରେ ଉଭୟ ଦେଶରେ ସ୍ଥିତି ସୁଧୁରିଛି। ଏହା ପୂର୍ବରୁ ରୁଷର କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ଦୁଇ ଦେଶ ମଦ୍ୟରେ ସମ୍ପର୍କ ବଢାଇବାକୁ ଆଲୋଚନା କରିବା ନେଇ ନିଷ୍ପତ୍ତି ହୋଇଥିଲା।
ତେବେ ଚଳିତବର୍ଷର WMCC ବୈଠକ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଚୀନ ଗସ୍ତ ଓ ଶାଙ୍ଘାଇ କୋଅପରେସନ ଅର୍ଗାନାଇଜେସନ (SCO) ବୈଠକରେ ଅଂଶଗ୍ରହଣ ପରେ ଅନୁଷ୍ଠିତ ହୋଇଛି। ଏହା ସୀମା ସମସ୍ୟା ସମାଧାନ ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।
ଏହି ବୈଠକ ଭାରତ-ଚୀନ ସୀମା ସମସ୍ୟାର ସମାଧାନ ଓ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିରତା ଆଣିବା ଦିଗରେ ସକାରାତ୍ମକ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ତେବେ ଆଗାମୀ SR ବୈଠକରେ ଏନେଇ ଆହୁରି ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।