ନୂଆଦିଲ୍ଲୀ: ବାଂଲାଦେଶ ସେନାର ଜଣେ ଉଚ୍ଚ ଅଧିକାରୀ ଭାରତ ପକ୍ଷରୁ ଅବୈଧ ବାଂଲାଦେଶୀ ପ୍ରବାସୀମାନଙ୍କୁ ବାଂଲାଦେଶର ସୀମାନ୍ତ ସୁରକ୍ଷାକର୍ମୀ(ବିଜିବି)ଙ୍କୁ ହସ୍ତାନ୍ତର କରାଯାଉଥିବା ପ୍ରକ୍ରିୟାକୁ "ପୁଶ-ଇନ" ବୋଲି କହିବା ସହ ଏହାକୁ "ଅଗ୍ରହଣୀୟ" ବୋଲି କହିଛନ୍ତି। ଉକ୍ତ ସେନା ଅଧିକାରୀଙ୍କ ନାମ ବ୍ରିଗେଡିୟର ଜେନେରାଲ ମୋହାମ୍ମଦ ନାଜିମ-ଉଦ-ଦୌଲା ହୋଇଥିଲା ବେଳେ ସେ ମିଲିଟାରୀ ଅପରେସନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୋଲି ଜଣାପଡିଛି। ସେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ସେନା ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି। ବର୍ତ୍ତମାନ ପାଇଁ ବିଜିବି ଏହି ପରିସ୍ଥିତିକୁ ଭଲଭାବେ ନିୟନ୍ତ୍ରଣ କରୁଛି।
ସୂଚନା ମୁତାବକ, ସରକାର ନିୟମିତ ଭାବେ ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀ ନାଗରିକମାନଙ୍କୁ ବିଜିବିକୁ ହସ୍ତାନ୍ତର କରୁଛନ୍ତି। ୨୦୧୬ ସରକାରୀ ଆକଳନ ଅନୁଯାୟୀ, ଭାରତରେ ପ୍ରାୟ ୨୦ ନିୟୁତ ଅବୈଧ ପ୍ରବାସୀ ରହୁଛନ୍ତି। ତେବେ ଏହି ହସ୍ତାନ୍ତରଣ ପ୍ରକ୍ରିୟାକୁ ଢାକା "ପୁଶ-ଇନ" ବୋଲି କହିଛି। ତେବେ ସବୁଠୁ ହାସ୍ୟାସ୍ପଦ କଥା ହେଉଛି ଢାକା, ଭାରତକୁ ଫମ୍ପା ଧମକ ଦେଇ କହିଛି ଯେ ଏହାର ଜବାବରେ ବାଂଲାଦେଶରେ ଅବୈଧ ଭାବେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ମଧ୍ୟ ସମାନ ଉପାୟରେ ଫେରାଇ ଦିଆଯିବ।
ଅନ୍ୟପଟେ ଭାରତ ସରକାର ଦେଶରେ ରହୁଥିବା ଅବୈଧ ପ୍ରବାସୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଗତ ଜାନୁଆରୀ ମାସରେ ଜୟପୁର ପୋଲିସ ୫୦୦ରୁ ଅଧିକ ରୋହିଙ୍ଗ୍ୟା ଓ ବାଂଲାଦେଶୀ ଅବୈଧ ପ୍ରବାସୀଙ୍କୁ ଅଟକ ରଖିଥିଲା। ଏପ୍ରିଲରେ ଆହମଦାବାଦ ଓ ସୁରଟରେ ୧,୦୦୦ରୁ ଅଧିକ ଅବୈଧ ବାଂଲାଦେଶୀଙ୍କୁ ହେପାଜତକୁ ନିଆଯାଇଥିଲା। ଗତ ମେ ୨୫ ତାରିଖରେ କୋଲକାତା ପୋଲିସ ଏକ ହିଟ-ଆଣ୍ଡ-ରନ ମାମଲାରେ ଜଣେ ୪୧ ବର୍ଷୀୟ ବାଂଲାଦେଶୀ ନାଗରିକ ଆଜାଦ ଶେଖଙ୍କୁ ଗିରଫ କରିଥିଲା। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେ ଅବୈଧ ଭାବେ ଦୀର୍ଘଦିନ ହେବ ଭାରତରେ ରହି ଆସୁଥିଲେ। ଯାହାର ଖବର କାହା ପାଖରେ ବି ନଥିଲା।
ଦେଖିବାକୁ ଗଲେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୀର୍ଘ ୪,୦୯୬.୭ କିଲୋମିଟର ସୀମାନ୍ତ ଅଞ୍ଚଳ ରହିଛି। ଯାହା ଅନେକ ଅଂଶରେ ସୁରକ୍ଷା ଅଭାବ ଯୋଗୁଁ ଅବୈଧ ପ୍ରବେଶ ପାଇଁ ସୁବିଧା ସୃଷ୍ଟି କରୁଛି। ଅବୈଧ ପ୍ରବାସ ପାଇଁ ପଶ୍ଚିମବଙ୍ଗ ଓ ଆସାମ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ସୁପ୍ରିମକୋର୍ଟ ଫେବୃଆରୀ ୪ରେ ଆସାମ ସରକାରଙ୍କୁ ବିଦେଶୀ ବୋଲି ଘୋଷିତ ବ୍ୟକ୍ତିମାନଙ୍କୁ ନିର୍ବାସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ବିଭିନ୍ନ ଉପୟରେ ଅବୈଧ ପ୍ରବାସୀମାନେ ଭାରତୀୟ ନାଗରିକତା ପ୍ରମାଣପତ୍ର ହାସଲ କରିନେଉଥିବାରୁ ଏହା ଏକ ଜଟିଳ ପ୍ରକ୍ରିୟା ବୋଲି ଜଣାପଡିଛି।
ହେଲେ ଭାରତ ସରକାର ପହଲଗାମ ଆକ୍ରମଣ ପରେ ଏକ ଜରୁରୀକାଳିନ ବୈଠକ ଡାକିଥିଲେ। ଏହି ବୈଠକରେ ଭାରତର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ। ଏହି ବୈଠକରେ ସରକାର ମଖ୍ୟମନ୍ତ୍ରୀ ମାନଙ୍କୁ ନିଜ ରାଜ୍ୟରେ ରହୁଥିବା ଅବୈଧ ପ୍ରବାସୀମାନଙ୍କୁ ଚିହ୍ନଟ ଓ ସେମାନଙ୍କ ସୂଚନା ସରକାରଙ୍କୁ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତ ରାଜ୍ୟ ସରକାର ଏ ଆଦେଶ ଉପରେ କାର୍ଯ୍ୟ ଜାରି ରଖିଛନ୍ତି।
ଏହି ବିବାଦ ଭାରତ-ବାଂଲାଦେଶ ସମ୍ପର୍କରେ ଗୁରୁତର ପ୍ରଭାବ ପକାଇଛି। ବିଶେଷତଃ ଶେଖ ହସିନାଙ୍କ ସରକାରଙ୍କ ପତନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଅଧୀନରେ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଫାଟ ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ବାଂଲାଦେଶ ସେମା ଓ ମହମ୍ମଦ ୟୁନୁସଙ୍କ ସରକାର ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି। ଏହାର ଜବାବରେ ବ୍ରିଗେଡିୟର ଜେନେରାଲ ନାଜିମ-ଉଦ-ଦୌଲା ସେନା ଓ ଅନ୍ତରୀଣ ସରକାରଙ୍କ ମଧ୍ୟରେ କୌଣସି ବିବାଦ ନଥିବା ସଫେଇ ଦେବା ସହ ଉଭୟେ ଏକ ପରିବାରର ଅଂଶ ବୋଲି କହିଛନ୍ତି।